ରାଜ୍ୟରେ ଆବଶ୍ୟକତାଠୁ ଅଧିକ ଉତ୍ପାଦନ ହେଉଛି ପିଆଜ,ତଥାପି ଅନ୍ୟ ରାଜ୍ୟରୁ ଆମଦାନୀ ଜରୁରୀ

ପିଆଜ ଅଧିକ ଅମଳ ହେଉଥିଲେ ମଧ୍ୟ ରାଜ୍ୟର ଖାଉଟିଙ୍କୁ ଆମଦାନୀ ହେଉଥିବା ପିଆଜ ଉପରେ ନିର୍ଭର କରିବାକୁ ପଡ଼ୁଛି । ପିଆଜ ଦର ଅନେକ ସମୟରେ ଆକାଶଛୁଆଁ ବି ହେଉଛି।

Representational Image

  • Published: Wednesday, 22 November 2023
  • , Updated: 22 November 2023, 10:40 PM IST

ରାଜ୍ୟରେ ପିଆଜର ଆବଶ୍ୟକତା ଯେତିକି ତା’ଠୁ ଢେର ଅଧିକ ଉତ୍ପାଦନ ହେଉଛି । କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହାର ସଂରକ୍ଷଣ ସମ୍ଭବପର ହୋଇପାରିନି । ଏପରିକି ସରକାରଙ୍କ ଆନ୍ତରିକତା ନଥିବାରୁ ଏବେବି ବାଲେଶ୍ୱର, ଜଗତସିଂହପୁର, ଗଜପତି ଓ ମାଲକାନଗିରି ଭଳି ଜିଲ୍ଲାରେ ଆଖିଦୃଶିଆ ପିଆଜ ଚାଷ ହୋଇପାରୁନି । ତଥାପି ରାଜ୍ୟରେ ଚାହିଦାଠୁ ଅଧିକ ପିଆଜ ଅମଳ ହୋଇପାରୁଛି । ପିଆଜ ଅଧିକ ଅମଳ ହେଉଥିଲେ ମଧ୍ୟ ରାଜ୍ୟର ଖାଉଟିଙ୍କୁ ଆମଦାନୀ ହେଉଥିବା ପିଆଜ ଉପରେ ନିର୍ଭର କରିବାକୁ ପଡ଼ୁଛି । ପିଆଜ ଦର ଅନେକ ସମୟରେ ଆକାଶଛୁଆଁ ବି ହେଉଛି ।

ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ବାର୍ଷିକ ୩.୫୫ଲକ୍ଷ ମେଟ୍ରିକ ଟନ୍ ପିଆଜର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟରେ ୩.୬୮ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହେଉଛି । ଅର୍ଥାତ୍ ଚାହିଦା ତୁଳନାରେ ପ୍ରାୟ ୧୩ହଜାର ମେଟ୍ରିକ ଟନ୍ ଅଧିକ ପିଆଜ ଅମଳ ହେଉଛି । ରାଜ୍ୟରେ ଅତିକମରେ ୩ଲକ୍ଷ ମେଟ୍ରିକ ଟନ୍ ପିଆଜ ସଂରକ୍ଷଣ ନିମନ୍ତେ ଶୀତଳଭଣ୍ଡାରର ଆବଶ୍ୟକତା ଥିବାବେଳେ ଏବେ ମାତ୍ର ୧.୮୩ଲକ୍ଷ ମେଟ୍ରିକ ଟନ୍ ପିଆଜ ସଂରକ୍ଷଣର ବ୍ୟବସ୍ଥା ୭୩୨୧ଟି ସଂରକ୍ଷଣ ଗୃହରେ ସମ୍ଭବପର ହୋଇପାରିଛି । ଏବେ ଟିଟିଲାଗଡ଼ରେ ଆଉ ୧୧୦୦ ମେଟ୍ରିକ ଟନ୍ ପିଆଜ ସଂରକ୍ଷଣ ଗୋଦାମ ନିର୍ମାଣ ହୋଇଛି । ଆଉ ୫ଟି ଜିଲ୍ଲାରେ ୬ହଜାର ମେଟ୍ରିକ୍ ଟନ୍ ପିଆଜ ସଂରକ୍ଷଣ ଗୋଦାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।

ରାଜ୍ୟରେ ପିଆଜ ମିଶନ କାର୍ଯ୍ୟକ୍ଷମ କରାଯାଉ ନାହିଁ କିନ୍ତୁ ମସଲା ମିଶନ ମାଧ୍ୟମରେ ପିଆଜ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ରାଜ୍ୟର ଆବଶ୍ୟକତାଠୁ ଅଧିକ ପିଆଜ ଅମଳ ହେଉଥିଲେ ମଧ୍ୟ କାହିଁକି ଚାହିଦା ମେଣ୍ଟାଉ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଓଡ଼ିଶାର ଜଳବାୟୁ ଅନୁସାରେ ରବି ଋତୁରେ ପିଆଜ ଅଧିକ ଉତ୍ପାଦନ ହୋଇଥାଏ । ଏହା ବାହାର ରାଜ୍ୟକୁ ରପ୍ତାନୀ ହୋଇଥାଏ । ତେଣୁ ବର୍ଷ ଯାକର ଚାହିଦା ମେଣ୍ଟାଇବା ସବୁ ସମୟରେ ସମ୍ଭବପର ହୋଇପାରିନଥାଏ । ଓଡ଼ିଶା ମୁଖ୍ୟତଃ ପିଆଜ ଆମଦାନୀ ପାଇଁ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଏତେ ପରିମାଣର ପିଆଜ ଅମଳ ହେଉଥିଲେ ମଧ୍ୟ ସଂରକ୍ଷଣ ଅଭାବ ଯୋଗୁ ଖାଉଟିଙ୍କୁ ବିଭିନ୍ନ ସମୟରେ ଚଢ଼ା ଦରରେ ପିଆଜ କିଣିବାକୁ ପଡ଼ୁଛି । ଆଉ ସରକାର ସେହି ସମୟରେ ପିଆଜର ଆମଦାନୀ ବନ୍ଦ ଥିବା ଦର୍ଶାଇ ହାତ ଟେକି ଦେଉଛନ୍ତି । ଯଦି ରାଜ୍ୟ ସରକାର ଆନ୍ତାରିକତା ଦେଖାନ୍ତେ ଓ ଆବଶ୍ୟକ ପ୍ରୋତ୍ସାହନ ଦିଅନ୍ତେ ତା’ହେଲେ ଓଡ଼ିଶାରେ ପିଆଜ ଅମଳ ଆହୁରି ବୃଦ୍ଧି ପାଇପାରନ୍ତା । ତେବେ ଏହା ପୂର୍ବରୁ ସରକାରଙ୍କୁ ପିଆଜ ସଂରକ୍ଷଣ ନିମନ୍ତେ ଆବଶ୍ୟକ ଗୋଦାମ ନିର୍ମାଣ କରିବାର ଆବଶ୍ୟକତା ରହିଛି ।

Related story