Advertisment

ଶ୍ରୀମନ୍ଦିର ପ୍ରଶାସନ ହାକିମାତି ନଦେଖାଉ, ଭକ୍ତ ପାଇଁ ସବୁ ଦ୍ୱାର ଖୋଲିଦିଅ : ଧର୍ମେନ୍ଦ୍ର; ବିରୋଧ କଲେ ପ୍ରମିଳା

ପ୍ରମିଳା କହିଛନ୍ତି, ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଖାଲଖମା ହୋଇଛି। ସେଥିପାଇଁ ଶ୍ରୀମନ୍ଦିର ୪ ଦ୍ୱାର ପ୍ରବେଶ ନିମନ୍ତେ ଖୋଲା ହୋଇନି।

author-image
Niranjan Mishra
Dharmendra Pradhan and Pramila Malik

Dharmendra Pradhan and Pramila Malik

ଶ୍ରୀମନ୍ଦିର ପ୍ରଶାସନ ହାକିମାତି ନଦେଖାଉ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ସବୁଦ୍ୱାର ଖୋଲି ଦିଆଯାଉ। ଭକ୍ତମାନେ ସ୍ୱଚ୍ଛନ୍ଦରେ ୪ ଦ୍ୱାର ଦେଇ ଜଗା ଦର୍ଶନ କରନ୍ତୁ। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଦେଇ ପ୍ରବେଶ ପ୍ରସ୍ଥାନ କଟକଣା ଲଗାଯିବା ପରେ ଭକ୍ତଙ୍କ ଦୁର୍ଦ୍ଦଶା ବଢ଼ୁଥିବା ବେଳେ ଧର୍ମେନ୍ଦ୍ର ଏହି ମତ ବାଢ଼ିଛନ୍ତି।

Advertisment

ସେ କହିଛନ୍ତି, କରୋନା ସମୟରେ ଗୋଟେ ଦ୍ୱାର ଖୋଲାଯାଇ ଅନ୍ୟ ଦ୍ୱାର ବନ୍ଦ କରାଯାଇଥିଲା। ତେବେ କରୋନା ଡର ଆଉ ନାହିଁ। ତେଣୁ ଚାରିଦ୍ୱାର ଖୋଲାଯାଉ। ଚାରୋଟି ଦ୍ୱାର ସହିତ ଜଡିତ ଭକ୍ତଙ୍କ ଭାବାବେଗ। ତେଣୁ ଖୋଲିବା ନିତ୍ୟାନ୍ତ ଜରୁରୀ। ଶ୍ରୀମନ୍ଦିର ଚାରିପାଖରେ ରହିଥିବା ଜବର ଦଖଲ ହଟିଥିବାରୁ ପରିବେଶ ଉନ୍ମୁକ୍ତ ହୋଇଛି। ତେଣୁ ରାଜ୍ୟ ସରକାର ଶ୍ରୀମନ୍ଦିରର ୪ଟି ଯାକ ଦ୍ୱାର ଖୋଲିଲେ ପୁରୀରେ ରହୁଥିବା ବାସିନ୍ଦା ଓ ଏଠାରେ ଶ୍ରୀଜଗନ୍ନାଥ ଦର୍ଶନ ନିମନ୍ତେ ରହୁଥିବା ଶ୍ରଦ୍ଧାଳୁ ଉପକୃତ ହେବେ। କାରଣ ଜଗା ସାଙ୍ଗରେ ସେମାନଙ୍କର ନୀତି ଦିନିଆ ସମ୍ପର୍କ, ଘରୋଇ ସମ୍ପର୍କ। ଜଗା ସହିତ ସେମାନଙ୍କ ବିଶେଷ ଭାବାବେଗ ଜଡ଼ିତ। ବୟସ୍କ ହୁଅନ୍ତୁ ଅବା ମହିଳା, ଯିଏ ଯେଝା ସମୟରେ ସ୍ୱଚ୍ଛନ୍ଦରେ ଶ୍ରୀମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବା ନିମନ୍ତେ ହଜାର ହଜାର ବର୍ଷ ତଳେ ଚାରି ଦ୍ୱାର ହୋଇଛି। ଏହାକୁ ସ୍ଥାୟୀ ଭାବେ ବନ୍ଦ କରିବା ଭଲ ହେବନି। ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ସମସ୍ତ ଦ୍ୱାର ସେମାନଙ୍କ ନିମନ୍ତେ ଖୋଲିଦେବା ନିତାନ୍ତ ଜରୁରୀ। ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ହାକିମାତି ନ ଦେଖାଇ ଏହି ସମ୍ୱେଦନଶୀଳ ପ୍ରସଙ୍ଗକୁ ସମାଧାନ କରନ୍ତୁ।

ଏପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମାନ ଦାବି ରଖିଛନ୍ତି। ସେ କହିଛନ୍ତି, ୪ ଦ୍ୱାର ଦେଇ ଭକ୍ତ ସ୍ୱଚ୍ଛନ୍ଦରେ ଶ୍ରୀମନ୍ଦିର ଯାଇପାରିବା ନେଇ ଜନମତ ସୃଷ୍ଟି ହୋଇଛି। ସମସ୍ତେ ଏନେଇ ଦାବି କରୁଛନ୍ତି। ଲୋକଙ୍କ ପ୍ରତିବାଦକୁ ଦେଖି ଓ ଜନମତକୁ ଗ୍ରହଣ କରି ନିଶ୍ଚୟ ସରକାରଙ୍କ ଜ୍ଞାନ ଉଦୟ ହେବ ବୋଲି ଆଶା ରହିଛି। କାରଣ ଜନମତକୁ ସମସ୍ତେ ସମ୍ମାନ ଦେବା କଥା।

Advertisment

ସେପଟେ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର ଓ ନରସିଂଙ୍କ ମତକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିରୋଧ କରିଛନ୍ତି। ସେ କହିଛନ୍ତି ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଖାଲଖମା ହୋଇଛି। ସେଥିପାଇଁ ଶ୍ରୀମନ୍ଦିର ୪ ଦ୍ୱାର ପ୍ରବେଶ ନିମନ୍ତେ ଖୋଲା ହୋଇନି। ଯଦି ଭକ୍ତ ମାନେ ୪ ଦ୍ୱାର ଦେଇ ଯିବେ ତେବେ ଆହତ ହେବାର ଆଶଙ୍କା ରହିଛି। ତେଣୁ ସଠିକ ସମୟ ଆସିଲେ ୪ ଦ୍ୱାର ଖୋଲାଯିବ। ରାଜ୍ୟ ସରକାର କୌଣସି ଥିରେ ପ୍ରତିବନ୍ଧକ ହୋଇନାହାନ୍ତି।ଜାଣିଶୁଣି ସରକାର ଭକ୍ତଙ୍କ ନିମନ୍ତେ ୪ ଦ୍ୱାର ପ୍ରବେଶ ବନ୍ଦ କରିନାହାନ୍ତି। ଯେତେବେଳେ ଆବଶ୍ୟକ ହେବ ନିଶ୍ଚିତ ପକ୍ଷେ ଖୋଲାଯିବ।

Puri Shreemandir Dharmendra Pradhan Jagannath Temple Pramila Mallick