Advertisment

ସ୍ଥାନାନ୍ତର ହେଲା ଭିତର ରତ୍ନଭଣ୍ଡାରର ଅଳଙ୍କାର; ଜଷ୍ଟିସ ରଥ କ’ଣ କହିଛନ୍ତି ପଢ଼ନ୍ତୁ

ଭିତର ରତ୍ନଭଣ୍ଡାରରେ ମୋଟ ୩ଟି ସିନ୍ଦୁକ ଓ ୪ଟି ଆଲମିରା ଥିଲା।

ଅଦ୍ୟତନ ହୋଇଛି
Justice Ratha

Justice Ratha

Advertisment

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଆଜି ସ୍ଥାନାନ୍ତର କରାଯାଇଛି। ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ କରାଯାଇ ଭିତର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସେଠାକୁ ସ୍ଥାନାନ୍ତର କରାଯାଇଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା ଥିଲା। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ୧୧ ଜଣ ଟିମ୍‌ ସକାଳ ୯ଟା ୫୧ରେ  ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ ଓ ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। 

Advertisment

ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ ସଂପୂର୍ଣ୍ଣ କରି ବାହାରକୁ ଆସିବା ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ମୋଟ ୩ଟି ସିନ୍ଦୁକ ଓ ୪ଟି ଆଲମାରୀ ଥିଲା। ୪ଟି ଆଲମିରା ମଧ୍ୟରୁ ୩ଟି କାଠର ଓ ଗୋଟିଏ ଷ୍ଟିଲର। ସେହିଭଳି ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମିରା ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର କରାଯାଇଛି। କିଛି ଆଲମିରା ଓ ସିନ୍ଦୁକରେ ତାଲା ପଡ଼ିଥିଲା। ସେଗୁଡ଼କର ଚାବି କାହା ପାଖରେ ନଥିଲା। ତେଣୁ ତାଲା ଭାଙ୍ଗି ଦିଆଯାଇଥିଲା। ଯେଉଁ ସିନ୍ଦୁକ ଓ ଆଲମିରାରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ନୂଆ ଆଲମିରାରେ ରଖାଯାଇଥିଲା। ଏସ୍‌ଓପି ଅନୁଯାୟୀ ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ରତ୍ନ ଭଣ୍ଡାର ଭିତରକୁ ଯାଇଥିବା ସଦସ୍ୟ ଓ ଭଣ୍ଡାର ମେକାପ ମିଶି ସ୍ଥାନାନ୍ତର କରିଥିଲେ ଭିତର ରତ୍ନଭଣ୍ଡାରର ଅଳଙ୍କାର। ଭିତର ରତ୍ନ ଭଣ୍ଡାର ଭିତରେ ଏବେ ଖାଲି ସିନ୍ଦୁକ ଓ ଆଲମିରା ରହିଛି । ସେସବୁକୁ ତାଲା ପକାଯାଇଛି।

ତେବେ ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର କ’ଣ ସବୁ ଅଳଙ୍କାର ଅଛି,ସେ ନେଇ ସୂଚନା ଦେଇ ନାହାନ୍ତି ଜଷ୍ଟିସ ରଥ। ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆପଣଙ୍କ ଘରେ କଣ ଅଳଙ୍କାର ଅଛି, ଆପଣ କାହାକୁ କହିନଥାନ୍ତି। ସେମିତି ମହାପ୍ରଭୁଙ୍କର କ’ଣ ଅଳଙ୍କାର ଅଛି, ତାକୁ ପ୍ରକାଶ କରିବୁ ନାହିଁ। ଏନେଇ ଆମେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନାଁରେ ଶପଥ ନେଇଛୁ। ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡରୁ ବାହାରିବ ନାହିଁ।

Advertisment

ଜଷ୍ଟିସ ରଥ କହିଛନ୍ତି, ରତ୍ନଭଣ୍ଡାରର ଅବସ୍ଥା ଆମେ ଯାଞ୍ଚ କରିଥିଲୁ। ସେଥିପାଇଁ କାନ୍ଥକୁ ଲାଗି ରହିଥିବା ଆଲମିରାଗୁଡ଼ିକୁ ଘୁଞ୍ଚାଇଥିଲୁ। ସିନ୍ଦୁକଗୁଡ଼ିକୁ ମଧ୍ୟ ପାରୁ ପର୍ଯ୍ୟନ୍ତ ଘୁଞ୍ଚାଇଛୁ। କାନ୍ଥ ଓ ଛାତରେ କିଛି ଦୁର୍ବଳତା ଥିବା ଆମେ ଦେଖିଛୁ। ଭିତର ରତ୍ନଭଣ୍ଡାର ଭିତରର ଭିଡିଓଗ୍ରାଫି କରାଯାଇଛି। କିନ୍ତୁ ଗୁପ୍ତ ଭଣ୍ଡାର କି ଗୁପ୍ତ ସୁଡ଼ଙ୍ଗ ଭଳି କିଛି ଜିନିଷ ଆମେ ଦେଖିପାରିଲୁନି। ତଥାପି ଯଦି ଏ ବିଷୟରେ ଆଲୋଚନା ହେଉଛି, ଆମେ ପ୍ରସ୍ତାବ ଦେବୁ। ଏସ୍‌ଓପିରେ ଏନେଇ ବ୍ୟବସ୍ଥା ନଥିବାରୁ ସରକାରଙ୍କୁ ଅନୁରୋଧ କରିବୁ। ଲେଜର ସ୍କାନିଂ ପାଇଁ ସରକାରଙ୍କୁ ଅନୁରୋଧ କରିବୁ। ସରକାର ଏନେଇ ଅନୁମତି ଦେଲେ ଲେଜର ସ୍କାନିଂ ପାଇଁ ଆଗେଇବୁ। ସେହିପରି ଭିତରେ ଝିଟିପିଟି, ମୂଷା କି ପିମ୍ପୁଡ଼ି ଥିବା ଆମେ ଦେଖିବାକୁ ପାଇଲୁ ନାହିଁ। 

ସୂଚନାଯୋଗ୍ୟ, ଗତ ରବିବାର ଅର୍ଥାତ୍ ଜୁଲାଇ ୧୪ ତାରିଖରେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଦିନ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା, କିନ୍ତୁ ସମୟ ଅଭାବରୁ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ କରାଯାଇ ନଥିଲା।   

Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe