Advertisment

ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସରକାରୀ ଚାକିରି !

ଲିଖିତ ପରୀକ୍ଷାରେ ଟପ୍ ୯୭ ଜଣ ପିଲାଙ୍କ ଭିତରେ ୩୧ ଜଣ ଏପରି ପିଲା ରହିଛନ୍ତି ଯେଉଁମାନଙ୍କ ମେଟ୍ରିକ୍ ପରୀକ୍ଷାରେ ମାତ୍ର ୩୫% ମାର୍କ ରଖିଥିଲେ। ତେଣୁ ପରୀକ୍ଷାରେ ଅନିୟମିତତା ହୋଇନାହିଁ ବୋଲି କେମିତି କହିବା ?

ଅଦ୍ୟତନ ହୋଇଛି
Students in the Library

Students in the Library

Advertisment

ଗଜପତି ଜିଲ୍ଲାର ଜଣେ ପ୍ରାର୍ଥୀ। ଗତ ବର୍ଷ ଜୁଲାଇ ମାସରେ ପଂଚାୟତ ନିବାର୍ହୀ ଅଧିକାରୀ (ପିଇଓ) ପରୀକ୍ଷାରେ ୧୮୦ ମାର୍କରୁ ରଖିଥିଲେ ମାଇନସ୍ ୭। ମାନେ ଶୂନଠାରୁ ବି କମ। କିଛି ମାସ ପରେ ଅର୍ଥାତ୍ ୨୦୨୪ ଏପ୍ରିଲ ମାସରେ ସେ ଫରେଷ୍ଟ ଗାର୍ଡ ପାଇଁ ଲିଖିତ ପରୀକ୍ଷା ଦେଲେ। ଆଉ ତାଙ୍କୁ ୧୫୦ ମାର୍କରୁ ମିଳିଲା ୧୦୦ ପରସେଣ୍ଟାଲ୍ ଅର୍ଥାତ୍ ପରୀକ୍ଷା ଦେଇଥିବା ପିଲାଙ୍କ ଭିତରେ ସର୍ବୋତ୍ତମ ପିଲା। ଯେଉଁ ପରୀକ୍ଷାର୍ଥୀ ପୂର୍ବରୁ ଶୂନ ମାର୍କ ବି ରଖି ପାରୁନଥିଲେ, ସେ ଏବେ କେମିତି ସର୍ବୋଚ୍ଚ ବର୍ଗରେ ରହିପାରିଲେ, ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି।

Advertisment

ଏମିତି ଆଉ ଜଣେ ଗଜପତି ଜିଲ୍ଲା ପ୍ରାର୍ଥୀ ପୂର୍ବରୁ ପଂଚାୟତ ନିବାର୍ହୀ ଅଧିକାରୀ ପରୀକ୍ଷା ଦେଇ ରଖିଥିଲେ ମାତ୍ର ୯.୫ ମାର୍କ। ମାତ୍ର ଏବେ ଫରେଷ୍ଟ ଗାର୍ଡ ପରୀକ୍ଷାରେ ରଖିଛନ୍ତି ୯୯.୯୮୪ ପର୍ସେଣ୍ଟାଇଲ୍। ଅର୍ଥାତ୍ ସେ ଏବେ ସର୍ବୋଚ୍ଚ ଯୋଗ୍ୟ ପ୍ରାର୍ଥୀଙ୍କ ବର୍ଗରେ ସ୍ଥାନ ପାଇଛନ୍ତି। ଆଉ ଅନଲାଇନରେ ଏ ସବୁ ଗ୍ରୁପ୍-ସି ବର୍ଗର ପରୀକ୍ଷା କରିଛି ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ।

ଫରେଷ୍ଟର ଓ ଫେରଷ୍ଟଗାର୍ଡ଼ ପରୀକ୍ଷା ଦେଇଥିବା ସୋମନାଥ ହୋତାଙ୍କ ଭଳି କିଛି ପରୀକ୍ଷାର୍ଥୀ କହିଛନ୍ତି, 'ସେମାନଙ୍କୁ ବି ୧୦-୧୨ ଲକ୍ଷ ଦେଲେ ଚାକିରି ମିଳିଯିବ ବୋଲି ଅଫର ଆସିଥିଲା। କିଛି ଅସାଧୁ କମ୍ପ୍ୟୁଟର ସେଣ୍ଟର କର୍ମଚାରୀ ଏଭଳି କରୁଛନ୍ତି। ସେମାନେ କିଛି ଆପ୍ ଜରିଆରେ କମ୍ପ୍ୟୁଟର ଉତ୍ତରକୁ ରିମୋଟଲି କଣ୍ଟ୍ରୋଲ କରି ପିଲାଙ୍କୁ ଟପରେ ରଖି ଦେଉଛନ୍ତି। କୋଶ୍ଚିନ୍ ଲିକ ଓ ଅନଲାଇନ ପରୀକ୍ଷାରେ ନିଶ୍ଚିତ ଏକ ରାକେଟ ରହିଛି। ଲିଖିତ ପରୀକ୍ଷାରେ ଟପ୍ ୯୭ ଜଣ ପିଲାଙ୍କ ଭିତରେ ୩୧ ଜଣ ଏପରି ପିଲା ରହିଛନ୍ତି ଯେଉଁମାନଙ୍କ ମେଟ୍ରିକ୍ ପରୀକ୍ଷାରେ ମାତ୍ର ୩୫% ମାର୍କ ରଖିଥିଲେ। ତେଣୁ ପରୀକ୍ଷାରେ ଅନିୟମିତତା ହୋଇନାହିଁ ବୋଲି କେମିତି କହିବା?’

Advertisment

ପୂର୍ବରୁ ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ପରୀକ୍ଷାରେ କିଛି ପରୀକ୍ଷାର୍ଥୀଙ୍କୁ ହାଟେଲରେ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ବତାଇ ଦିଆଯାଉଥିବା ଅଭିଯୋଗ ଆସିଥିଲା। ପରେ ବାଲେଶ୍ବରରୁ ଏଭଳି ଏକ ରାକେଟର ପର୍ଦ୍ଦାଫାଶ କରିଥିଲା ପୁଲିସ୍। ଏବେ ସେଭଳି କିଛି ଅସାଧୁ କମ୍ପ୍ୟୁଟର ଇନଷ୍ଟିଚୁଟଙ୍କ ଜରିଆରେ କମ୍ପ୍ୟୁଟରକୁ ହାକିଂ କରି ଏଭଳି ମାର୍କ ବଢ଼ାଯାଉଥିବା ଅଭିଯୋଗ ଆସୁଛି। ଅନ୍ୟପଟରେ କିଛି ପିଲା ସରକାରୀ ଚାକିରିଟିଏ ପାଇବା ପାଇଁ ଦିନରାତି ଲାଇବ୍ରେରୀରେ ପାଠ ପଢ଼ୁଛନ୍ତି। ଏମିତିକି ଅନେକ ପିଲା ଅଧିକ ଫି ଦେଇ ଘରୋଇ ଲାଇବ୍ରେରୀରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ମାତ୍ର ଏଭଳି ଏକ ରାକେଟର ତୁରନ୍ତ ପର୍ଦ୍ଦାଫାଶ ହେବା ଓ ପରୀକ୍ଷାକୁ ସଂପୂର୍ଣ୍ଣ ସନ୍ଦେହମୁକ୍ତ କରିବାକୁ ଦାବି ହେଉଛି। ଆମେ ଏ ନେଇ ଓଏସଏସଏସସିର ଅଧ୍ୟକ୍ଷ ଶାଶ୍ୱତ ମିଶ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ - ଲକ୍ଷ୍ମୀନାରାୟଣ କାନୁନଗୋ

Odisha Bhubaneswar Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe