Advertisment

ଆଜିଠୁ ଖୋଲିବ ଧାନମଣ୍ଡି, ଆଉ ରହିବନି ଟୋକନ୍ ଟେନସନ୍

ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

author-image
Niharika Rout
paddy-procurement

paddy-procurement

ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ଆଜିଠାରୁ ଖରିଫ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Advertisment

ଆଜିଠୁ ବରଗଡ଼ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବାବେଳେ ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ, ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ। ୮୦୦ ଟଙ୍କା ସବସିଡି ପାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ସେପଟେ ନୂଆପଡ଼ା ଜିଲ୍ଲାରେ ଆଜି ନିଜେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରାଶାସନିକ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଧାନ କିଣାକୁ ସ୍ୱଚ୍ଛ କରିବା ପାଇଁ ଦେଇଛନ୍ତି ପରାମର୍ଶ। ତା'ସହ ଦଲାଲଙ୍କୁ ଦେଇଛନ୍ତି ଚେତାବନୀ।

ଦଲାଲମାନେ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ତେବେ ୪୮ ଘଣ୍ଟା ଭିତରେ ଟଙ୍କା କେମିତି ଚାଷୀଙ୍କ ଖାତାକୁ ଯିବ ସେ ସବୁର ଟିକିନିଖ୍ ତଦାରଖ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ। ସେପଟେ କିଛି ଚାଷୀଙ୍କର ଧାନ ଅମଳ ହେବାକୁ ବସିଥିବାବେଳେ ଜାନୁଆରୀରେ ଧାନ ବିକ୍ରି ପାଇଁ ମେସେଜ୍ ଆସିଥିବାରୁ ଚିନ୍ତିତ ହୋଇପଡିଛନ୍ତି।

Advertisment

ବିଗତ ବର୍ଷ ମଣ୍ଡିରେ ଚାଷୀ ଭୋଗିଥିବା ଯନ୍ତ୍ରଣା ଏବେ ବି ମନରୁ ଯାଇନାହିଁ। କେଉଁଠି ଏଫଏକ୍ୟୁ ମାନ ଆଳରେ କଟନୀ ଛଟନୀକୁ ନେଇ ଚାଷୀ ତାତିଛନ୍ତି ତ କେଉଁଠି ଶୀତ କାକରରେ ମାସ ମାସ କାଳ ଧାନ ଜଗି ରହି ଶେଷରେ ଧାନ ଉଠିପାରିନି। ପୁଣି କେଉଁଠି ଟୋକନ୍ ଲାପସ୍ ହେବାରୁ ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ଶିକାର ହୋଇଛି। ଆଉ କେଉଁଠି ଆଖି ଆଗରେ ବର୍ଷାରେ ଭିଜି ଗଜା ହୋଇଯାଇଛି ବର୍ଷକର ପରିଶ୍ରମ। ତେବେ ଏଥର ଏସବୁ ଯନ୍ତ୍ରଣାରୁ ଚାଷୀଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର। ଏଥର ଧାନର ମାନ ପରୀକ୍ଷା କ୍ୱାଲିଟି ଆନାଲାଇଜର ମେସିନରେ କରିବାକୁ ନିଷ୍ପତ୍ତି ହୋଇଛି। ତା'ସହ ମଣ୍ଡିରେ ଦଲାଲ ରାଜ ରୋକିବାକୁ ସିସିଟିଭି ବ୍ୟବସ୍ଥା ବି ହୋଇଛି। ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର।

Paddy Procurement Paddy Mandi