Advertisment

ଏଥର ମଣ୍ଡି ଜଗିବେ ମନ୍ତ୍ରୀ-ଅଫିସର, ସାବାଡ୍ ହେବେ ଦଲାଲ୍

କାଲିଠୁ ବରଗଡ଼ ଓ ୨୧ରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରୁ ମୁକ୍ତି ପାଇବେ ଚାଷୀ। ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସର ଜଗିବେ ମଣ୍ଡି।

ଅଦ୍ୟତନ ହୋଇଛି
Paddy Procurment (File Photo)

Paddy Procurment (File Photo)

Advertisment

ରାଜ୍ୟରେ କାଲିଠୁ ଖୋଲିବ ଧାନ ମଣ୍ଡି। ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବାବେଳେ ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସରଙ୍କୁ ମଣ୍ଡି ଜଗିବାକୁ କୁହାଯାଇଛି। ସେପଟେ ଆଜି ଯୋଗାଣମନ୍ତ୍ରୀ ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ଧାନ କିଣା ପୂର୍ବରୁ ସ୍ଥିତି ପରଖିଛନ୍ତି।

Advertisment

କାଲିଠୁ ବରଗଡ଼ ଓ ୨୧ରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ବର୍ଷକର ପରିଶ୍ରମକୁ ସାଙ୍ଗରେ ଧରି ମଣ୍ଡିରେ ପହଞ୍ଚିବେ ଚାଷୀ। କେମିତି ଧାନ ରଖିବାକୁ ହୋଇଛି ସୁବିଧା? ଟୋକନ୍ କେଉଁଠି ଦେବେ? କେତେ ଦିନ ଭିତରେ ଧାନ ଉଠିବ? ୪୮ ଘଣ୍ଟା ଭିତରେ ଟଙ୍କା କେମିତି ଚାଷୀଙ୍କ ଖାତାକୁ ଯିବ? ସେ ସବୁର ଟିକିନିଖ୍ ତଦାରଖ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ। ସେପଟେ କିଛି ଚାଷୀଙ୍କର ଧାନ ଅମଳ ହେବାକୁ ବସିଥିବାବେଳେ ସେମାନଙ୍କୁ ଜାନୁଆରୀରେ ଧାନ ବିକ୍ରି ପାଇଁ ମେସେଜ୍ ଆସିଥିବାରୁ ସେମାନେ ଚିନ୍ତିତ ହୋଇପଡିଛନ୍ତି।

ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ, ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ। ୮୦୦ ଟଙ୍କା ସବସିଡି ପାଇବା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ସେପଟେ ନୂଆପଡ଼ା ଜିଲ୍ଲାରେ ଆଜି ନିଜେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରାଶାସନିକ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଧାନ କିଣାକୁ ସ୍ୱଚ୍ଛ କରିବା ପାଇଁ ଦେଇଛନ୍ତି ପରାମର୍ଶ। ତା'ସହ ଦଲାଲଙ୍କୁ ଦେଇଛନ୍ତି ଚେତାବନୀ।

Advertisment

ବିଗତ ବର୍ଷ ମଣ୍ଡିରେ ଚାଷୀ ଭୋଗିଥିବା ଯନ୍ତ୍ରଣା ଏବେ ବି ମନରୁ ଯାଇନାହିଁ। କେଉଁଠି ଏଫଏକ୍ୟୁ ମାନ ଆଳରେ କଟନୀ ଛଟନୀକୁ ନେଇ ଚାଷୀ ତାତିଛନ୍ତି ତ କେଉଁଠି ଶୀତ କାକରରେ ମାସ ମାସ କାଳ ଧାନ ଜଗି ରହି ଶେଷରେ ଧାନ ଉଠିପାରିନି। ପୁଣି କେଉଁଠି ଟୋକନ୍ ଲାପସ୍ ହେବାରୁ ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ଶିକାର ହୋଇଛି। ଆଉ କେଉଁଠି ଆଖି ଆଗରେ ବର୍ଷାରେ ଭିଜି ଗଜା ହୋଇଯାଇଛି ବର୍ଷକର ପରିଶ୍ରମ। ତେବେ ଏଥର ଏସବୁ ଯନ୍ତ୍ରଣାରୁ ଚାଷୀଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର। ଏଥର ଧାନର ମାନ ପରୀକ୍ଷା କ୍ୱାଲିଟି ଆନାଲାଇଜର ମେସିନରେ କରିବାକୁ ନିଷ୍ପତ୍ତି ହୋଇଛି। ତା'ସହ ମଣ୍ଡିରେ ଦଲାଲ ରାଜ ରୋକିବାକୁ ସିସିଟିଭି ବ୍ୟବସ୍ଥା ବି ହୋଇଛି। ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର।

Odisha Paddy Paddy Procurement Paddy Mandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe