Advertisment

ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ମାର୍ଗଶୀର କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୁଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

author-image
Debadatta Aryashrestha
undefined

Puri Jagannath Temple (File Photo)

ଆସନ୍ତାକାଲି (ସୋମବାର) ମାର୍ଗଶୀର କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ଚାରିଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ବଢ଼ିବା ପରେ ଅପରାହ୍ନ ପ୍ରାୟ ୫ଟା ସମୟରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ଶ୍ରୀବିଗ୍ରହମାନଙ୍କୁ ପଇତାଲାଗି କରାଯାଏ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟରା ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗା ପାଟ ଯୋଗାଇଦେଇଥାଏ। ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି। ପାଟରା ସେବକ ସେହିଦିନ ଦେଉଳ କରଣଙ୍କୁ ଏହି ପଇତା ଯୋଗାଇଥାନ୍ତି। ଏହାକୁ ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯାଇଥାଏ।

ତେବେ ଏହା ମହାପ୍ରଭୁଙ୍କର ଏକ ଗୁପ୍ତ ସେବା ହୋଇଥିବାରୁ ପଇତାଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରୁହେ। ଏହି ଗୁପ୍ତ ନୀତି ପାଇଁ ଆସନ୍ତାକାଲି ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ସନ୍ଧ୍ୟା ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପଇତାଲାଗି ନୀତି ପରେ ତିନି ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ବ୍ୟବସ୍ଥା ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Paitalagi Ritual Puri Puri Shreemandir Jagannath Temple