Advertisment

ଏଥର ପଞ୍ଚୁକ ଚାରିଦିନ, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଥିବାରୁ ପୁରୀରେ ଜମିବ ଅସମ୍ଭାଳ ଭିଡ଼। ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ପୁରୀ ପ୍ରଶାସନ।

author-image
Debadatta Aryashrestha
undefined

Puri Jagannath Temple

ରାତି ପାହିଲେ ଧାର୍ମ ମାସ କାର୍ତ୍ତିକର ମହାପଞ୍ଚୁକ ବ୍ରତ ଆରମ୍ଭ ହେବ। ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଥିବାରୁ ଏହି ସମୟରେ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିବ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁରକ୍ଷା ଏବଂ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁରୀ ଏସପି।

Advertisment

ଆସନ୍ତାକାଲି (ମଙ୍ଗଳବାର) ଦେବୋତ୍ଥାପନ ଏକାଦଶୀରେ ଚତୁର୍ଦ୍ଧାମୂର୍ତ୍ତ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ। ୧୩ ତାରିଖରେ ବାଙ୍କଚୂଡ଼ା ବେଶ, ୧୪ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୧୫ ତାରିଖ ପୂର୍ଣ୍ଣିମା ଦିନ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ।

ମହାପ୍ରଭୁଙ୍କର ପଞ୍ଚୁକରେ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ବେଶ ଗୁଡ଼ିକୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ହବିଷ୍ୟାଳିଙ୍କ ଭିଡ଼ ଜମିବ। ସେମାନେ ମରଚିକୋଟ ଛକଠାରୁ ବ୍ୟାରିକେଡରେ ପ୍ରବେଶ କରିବା ପରେ ଲମ୍ବା ଧାଡିରେ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ସେଠାରୁ ଦୋଳବେଦୀ କୋଣ ସମ୍ମୁଖ ବ୍ୟାରିକେଡ ଦେଇ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସେଠାରୁ ଦଫା ଦଫା ହୋଇ ବାଇଶି ପାହାଚ ପରେ ସାତ ପାହାଚ ଦେଇ ନାଟମଣ୍ଡପର ବାହାର କାଠ ନିକଟରୁ ଦର୍ଶନ କରିବେ। ଭିତର କାଠ ଦର୍ଶନ ପଞ୍ଚୁକରେ ବନ୍ଦ ରହିବା ବୋଲି ଜଣାପଡ଼ିଛି।

Advertisment

ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନ୍ସପେକ୍ଟରଙ୍କ ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁରୀ ଏସପି କହିଛନ୍ତି। ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତମାନେ ବେଳାଭୂମିରେ ଡଙ୍ଗା ଭସାଇ ନିଜ ବ୍ରତ ଉଦଯାପନ କରିବାକୁ ଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ନିୟୋଜିତ କରାଯିବ ବୋଲି ଏସପି କହିଛନ୍ତି।

Panchuka Preparation In Puri Panchuka Darshan Panchuka Puri Puri Srimandir