Advertisment

୪ ମାସ ଆଗରୁ ବିଦା ହେଲେ ପାଣ୍ଡିଆନଙ୍କ ବାନ୍ଧବୀ ସାଗରିକା

୧୯୯୯ ବ୍ୟାଚ୍ ଆଇଆରପିଏସ୍ ଅଫିସର ସାଗରିକାଙ୍କୁ ଗତ ଡିସେମ୍ବର ୩୧ତାରିଖରେ ଓଡ଼ିଶା ଛାଡ଼ି କେନ୍ଦ୍ର ସରକାରରେ ନିଜର ସେବା ଦେବା ପାଇଁ ଫେରିଯାଇଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
Sagarika

Sagarika

୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ପର୍ସନାଲ ସର୍ଭିସ(ଆଇଆରପିଏସ) ଅଫିସର ସାଗରିକା ପଟ୍ଟନାୟକଙ୍କ ଡେପୁଟେସନ ଅବଧିକୁ କାଂଟଛାଂଟ କରି କେନ୍ଦ୍ର ସରକାର ୪ମାସ ଆଗରୁ ଫେରାଇ ନେଇଛନ୍ତି । ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଏପ୍ରିଲ ୨୨ତାରିଖରେ ଶେଷ ହୋଇଥାନ୍ତା । ବିଜେଡି ଶାସନକାଳରେ ପାୱାରଫୁଲ ଅଫିସର ଭାବେ ସାଗରିକା ପରିଚିତ ଥିଲେ।

Advertisment

ସୂଚନା ଅନୁସାରେ, ୧୯୯୯ ବ୍ୟାଚ୍ ଆଇଆରପିଏସ୍ ଅଫିସର ସାଗରିକାଙ୍କୁ ଗତ ଡିସେମ୍ବର ୩୧ତାରିଖରେ ଓଡ଼ିଶା ଛାଡ଼ି କେନ୍ଦ୍ର ସରକାରରେ ନିଜର ସେବା ଦେବା ପାଇଁ ଫେରିଯାଇଛନ୍ତି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ତାଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆସିଥିଲା । ସେ ୨୦୨୧ ସେପ୍ଟେମ୍ବର ମାସରେ ଓଡ଼ିଶା ସରକାରରେ ସ୍ୱତନ୍ତ୍ର ସଚିବ ଭାବେ ଯୋଗ ଦେଇଥିଲେ।

ଆରମ୍ଭରୁ ନଗର ଉନ୍ନୟନ ବିଭାଗରେ ନିଯୁକ୍ତି ପାଇଥିବା ସାଗରିକା ଏହି ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ । ମାଥିଭାଥାନନ୍ ବିଭାଗର ସଚିବ ଥିଲେ ମଧ୍ୟ ୨୦୨୨ ମସିହା ପରଠୁ ବିଜେଡି ସରକାରର କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ସାଗରିକାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଥିଲା ବୋଲି ଚର୍ଚ୍ଚା ହେଉଥିଲା । ରାଜ୍ୟ ହାଉସିଂ ବୋର୍ଡଠୁ ଆରମ୍ଭ କରି ନଗର ଉନ୍ନୟନ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ପାଖରେ ରହିଥିଲା । ମାତ୍ର ତାଙ୍କ ନାଁରେ ବିଭିନ୍ନ ଅଭିଯୋଗ ଆସିବା ପରେ ମୋହନ ସରକାର ତାଙ୍କୁ ଫେରାଇ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

Advertisment

ସୂତ୍ର ଅନୁସାରେ, ରାଜ୍ୟରେ ପାଣ୍ଡିଆନ ଦ୍ୱିତୀୟ କ୍ଷମତାକେନ୍ଦ୍ର ହେବାପରେ  ତତକାଳୀନ ରାଜ୍ୟ ସରକାର ୨୦୨୧ ଜୁନ୍ ମାସରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସାଗରିକାଙ୍କୁ ଡେପୁଟେସନରେ ପଠାଇବା ପାଇଁ ଅନୁରୋଧ କରିଥିଲେ । ଆଉ ରାଜ୍ୟର ଅନୁରୋଧ ପରେ କେନ୍ଦ୍ର ସରକାର ୨୦୨୧ ସେପ୍ଟେମ୍ବର ମାସରେ ସାଗରିକାଙ୍କୁ ଓଡ଼ିଶା ପଠାଇଥିଲେ । ତାଙ୍କର ଡେପୁଟେସନ ଅବଧି ୨୦୨୫ ଏପ୍ରିଲ ୨୨ତାରିଖ ପର୍ଯ୍ୟନ୍ତ ରହିବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା।

ଚର୍ଚ୍ଚା ହେଉଛି, ପାଣ୍ଡିଆନ ଦିଲ୍ଲୀରେ ରହି ଆଇଏଏସ୍ ପାଇଁ ପ୍ରସ୍ତୁତି କରିବାବେଳେ ସାଗରିକାଙ୍କ ସଙ୍ଗେ ପରିଚୟ ହୋଇଥିଲା । ସାଗରିକାଙ୍କ ସହ ପାଣ୍ଡିଆନ ମଧ୍ୟ ୧୯୯୯ରେ ଇଣ୍ଡିଆନ ରେଲୱେ ସର୍ଭିସ ପାଇ ଯୋଗ୍ୟ ବିବେଚିତ ହୋଇଥିଲେ । ମାତ୍ର ପାଣ୍ଡିଆନ ରେଲୱେ ସର୍ଭିସରେ ନଯାଇ ପୁଣିଥରେ ପରୀକ୍ଷା ଦେଇ ୨୦୦୦ ମସିହାରେ ଆଇଏଏସ୍ ପାଇଥିଲେ । କିନ୍ତୁ ପାଣ୍ଡିଆନ ଓଡ଼ିଶାରେ ସର୍ବେସର୍ବା ହେବାପରେ ନିଜର ପୁରୁଣା ବନ୍ଧୁ ରେଲୱେ ସର୍ଭିସର ମନୋଜ ମିଶ୍ର ଓ ସାଗରିକା ପଟ୍ଟନାୟକଙ୍କୁ ଆଣି ନିଜ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଢ଼ିଥିଲେ ବୋଲି ଚର୍ଚ୍ଚା।

Odisha Vk Pandian