Advertisment

ସିଏମଓ ଅଫିସର ତାଲିକାରୁ ହଟିଲା ପାଣ୍ଡିଆନଙ୍କ ନାଁ: ସରକାରୀ ସୁରକ୍ଷା ହଟିବ ତ?

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଟ୍ୱିଟ୍ କରି ଦର୍ଶାଇଛନ୍ତି ଯେ, ‘ଫାଇଭ-ଟି’ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିକେ ପାଣ୍ଡିଆନ ବିଦା ହୋଇଛନ୍ତି ।

author-image
Ordigital Desk
undefined

VK Pandian

ବିଜେଡି ନେତା ଭିକେ ପାଣ୍ଡିଆନ ଅଫିସର କି ନେତା ତାହା ସରକାର ସ୍ଥିର କରନ୍ତୁ ବୋଲି ବିଜେପିର ଅଭିଯୋଗ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ଅଫିସର ତାଲିକାରୁ ପାଣ୍ଡିଆନଙ୍କ ନାଁକୁ ସରକାର ହଟାଇ ଦେଇଛନ୍ତି । ରାଜ୍ୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ‘ଫାଇଭ-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭାବେ ସେ କୌଣସି ସରକାରୀ ସୁବିଧା ପାଇପାରିବେ ନାହିଁ । ପାଣ୍ଡିଆନ ଏବେ କେବଳ ଜଣେ ରାଜନୀତିକ ବ୍ୟକ୍ତି ଭାବେ ପରିଚିତ ହେବେ । ତେବେ ପାଣ୍ଡିଆନଙ୍କୁ ମିଳିଥିବା ବ୍ୟାପକ ପୁଲିସ୍ ସୁରକ୍ଷାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି କି ନାହିଁ ତାହା ଜଣାପଡ଼ିନି ।

Advertisment

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଟ୍ୱିଟ୍ କରି ଦର୍ଶାଇଛନ୍ତି ଯେ, ‘ଫାଇଭ-ଟି’ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିକେ ପାଣ୍ଡିଆନ ବିଦା ହୋଇଛନ୍ତି । ଗତ ୪ଦିନ ତଳେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ନେତା ନା ଅଫିସର ତାହା ସରକାର ସ୍ଥିର କରନ୍ତୁ ବୋଲି ଦାବି କରିଥିଲା ।

ଅନ୍ୟପକ୍ଷରେ ଗତ ନଭେମ୍ବର ମାସରେ ସରକାରୀ ଚାକିରି ଛାଡ଼ି ବିଜେଡିର ସଦସ୍ୟତା ଗ୍ରହଣ କରିଥିବା ପାଣ୍ଡିଆନଙ୍କୁ ରାଜ୍ୟ ସରକାର ‘ଫାଇଭ-ଟି, ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭାବେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତି ଦେଇଥିଲେ । ମାତ୍ର ତାଙ୍କ ନାଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସର ତାଲିକାର ଶୀର୍ଷରେ ରହିଥିଲା । ଯାହାକୁ ନେଇ ବିଜେପି ନିକଟରେ ରାଜ୍ୟ ସରକାରଙ୍କୁ ଘେରିଥିଲା । ଆଉ ପାଣ୍ଡିଆନଙ୍କୁ ମିଳିଥିବା ବ୍ୟାପକ ପୁଲିସ ସୁରକ୍ଷାକୁ ନେଇ ମଧ୍ୟ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲା ।

Advertisment

ଏହି ବିବାଦ ବଢ଼ିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟରୁ ପାଣ୍ଡିଆନଙ୍କ ନାଁ ହଟାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ପାଣ୍ଡିଆନଙ୍କୁ ସରକାର ଦେଇଥିବା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମଧ୍ୟ ମିଳିପାରିବ ନାହିଁ । ସେ ଏବେ ଜଣେ ସାଧାରଣ ବିଜେଡି କର୍ମୀ ଭାବେ ରହିବେ । ତାଙ୍କୁ ମିଳିଥିବା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଜାରି ରହିବ ନା ପ୍ରତ୍ୟାହାର ହେବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

Vk Pandian