Advertisment

ନନାଙ୍କ ପେଟେଣ୍ଟ ମେଡିସିନ୍‌; ଦୁଇ ମଦୁଆଙ୍କୁ ଉଠବସ୍‌ କରାଇଲେ

ରାତିରେ ହଠାତ୍‌ ପ୍ରତାପ ନନାଙ୍କୁ ଦେଖି ହଡବଡେଇ ଯାଇଥିଲେ ମଦୁଆମାନେ। ନନାଙ୍କୁ ଦେଖି ମଦ ବେପାରୀ ଓ କେତେକ ମଦୁଆ ଚମ୍ପଟ ମାରିଥିଲେ। ତେବେ ଯେଉଁମାନେ ଚାଲିବା ସ୍ଥିତିରେ ନଥିଲେ, ସେମାନଙ୍କୁ ଧରି ପକାଇଥିଲେ ନନା।

Nana

Nana

Advertisment

ପ୍ରତାପ ନନାଙ୍କ ପେଟେଣ୍ଟ ମେଡ଼ିସିନ୍‌। ଦୁଇ ମଦୁଆଙ୍କୁ ଧରିଲେ, ବିଚ୍‌ ରାସ୍ତାରେ ଉଠବସ୍‌ କରାଇଲେ। ଆଉ ନନାଙ୍କ କଥା କାଟି ନପାରି ଦୁଇ ମଦୁଆ ବାଧ୍ୟ ହୋଇ ପରସ୍ପରର କାନ ଧରି ଉଠ୍‌ ବସ୍‌ ହୋଇଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଟାଉନ୍‌ରେ ଘଟିଛି। ପ୍ରତାପ ନନାଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Advertisment

ନୀଳଗିରି ରେଲୱେ ଷ୍ଟେସନର ନିର୍ମାଣ କାର୍ଯ୍ୟ ଚାଲିଛି। ସଞ୍ଜ ନଇଁଲେ ସେହି ଅଞ୍ଚଳରେ ଜମୁଛି ମଦୁଆଙ୍କ ଆଡ୍ଡା। ଚୋରା ମଦ ବେପାରୀମାନେ ବେପାର ମଧ୍ୟ କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ମଦୁଆଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ମଙ୍ଗଳବାର ଦିନ ସ୍ଥାନୀୟ ଲୋକେ ଏନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓରଫ ପ୍ରତାପ ନନାଙ୍କୁ କହିଥିଲେ। ଏହାପରେ ପ୍ରତାପ ନନା ନିଜ ସହକର୍ମୀଙ୍କ ସହ ଷ୍ଟେସନ୍‌ରେ ପହଞ୍ଚିଥିଲେ।

ରାତିରେ ହଠାତ୍‌ ପ୍ରତାପ ନନାଙ୍କୁ ଦେଖି ହଡବଡେଇ ଯାଇଥିଲେ ମଦୁଆମାନେ। ନନାଙ୍କୁ ଦେଖି ମଦ ବେପାରୀ ଓ କେତେକ ମଦୁଆ ଚମ୍ପଟ ମାରିଥିଲେ। ତେବେ ଯେଉଁମାନେ ଚାଲିବା ସ୍ଥିତିରେ ନଥିଲେ, ସେମାନଙ୍କୁ ଧରି ପକାଇଥିଲେ ନନା। ଦୀର୍ଘ ସମୟ ଧରି ଟ୍ୟୁସନ୍‌ କରିଥିଲେ। ଦୁଇ ମଦୁଆଙ୍କୁ କାନ ଧରି ଉଠା ବସା ହେବାକୁ କହିଥିଲେ ନନା। ନିଶାରେ ଟଳମଳ ହେଉଥିବା ଦୁଇ ମଦୁଆ ପରସ୍ପରର କାନ ଧରି ଉଠା ବସା ହୋଇଥିଲେ।

Advertisment

ସବୁଠାରୁ ମଜାକଥା ହେଉଛି, ଦୁଇ ମଦୁଆ କାନ ଧରି ଉଠ୍‌ ବସ ହେଉଥିବା ବେଳେ ଠିକ୍‌ ଭାବେ ବସୁନଥିଲେ। ଏହା ଦେଖି ନନା ବିରକ୍ତି ହୋଇଥିଲେ। ଆଉ କହିଥିଲେ, ଠିକ୍‌ ଭାବେ ଉଠ୍‌ବସ ହୁଅ। ହେଲେ ଦୁଇ ମଦୁଆ କହିଥିଲେ, ଆଜ୍ଞା ପ୍ୟାଣ୍ଟ ଫାଟି ଯାଇଛି। ମଦୁଆଙ୍କଠାରୁ ଏପରି କଥା ଶୁଣିବା ପରେ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ତା’ପରେ ନନା କହିଥିଲେ ପ୍ୟାଣ୍ଟ କିଣିବାକୁ ପଇସା ନାହିଁ, ମଦ କିଣିବାକୁ ପଇସା କେଉଁଠୁ ଆଣୁଛୁ? ନନାଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଆଜି ସକାଳେ ମଧ୍ୟ ନନା ଷ୍ଟେସନ୍‌ ଅଞ୍ଚଳକୁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲେ। ଆଉ କହିଥିଲେ, ଷ୍ଟେସନ୍‌ ହେଲା ପରେ ଏଠାରେ କୌଣସି ମଦ ଦୋକାନ ହେବନାହିଁ। ମଦ୍ୟପଙ୍କୁ ଦେଖିଲେ ଉଚିତ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଥିଲେ।

ଉଠ୍‌ବସ ନେଇ ପ୍ରତାପ ନନା କହିଛନ୍ତି, ନିଶା ନିବାରଣ ବିରୋଧରେ ଦୀର୍ଘ ୩୫ ବର୍ଷ ଧରି ମୁଁ ଲଢ଼େଇ କରୁଛି। ନିଶା ସେବନ କରି ଲୋକମାନେ ମାର୍‌ପିଟ ଓ ମାଲି ମୋକଦ୍ଦମାନେ ଫସୁଛନ୍ତି। ତଳିତଳାନ୍ତ ହେଉଛନ୍ତି। ନିଶାଠାରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ପରାମର୍ଶ ଦେଉଛି ବୋଲି ଶ୍ରୀଯୁକ୍ତ ଷଡଙ୍ଗୀ କହିଛନ୍ତି।

ନୀଳଗିରି ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ନନାଙ୍କ ଜନ୍ମ। ପିଲା ବେଳୁ ଦେଖିଛନ୍ତି ଆଦିବାସୀଙ୍କ ଜୀବନଶୈଳୀ। ତେଣୁ ସେମାନଙ୍କ ଶିକ୍ଷା ଓ ଆର୍ଥିକ ବିକାଶ ପାଇଁ ନନା ଅନବରତ କାମ କରୁଛନ୍ତି। ମଦ ନପିଇବା ପାଇଁ ଆଦିବାସୀଙ୍କୁ ବୁଝାଉଥିବା ବହୁବାର ଦେଖିବାକୁ ମିଳିଛି। ନନାଙ୍କ ଏପରି ଉଦ୍ୟମ ଯୋଗୁ ବହୁ ଗରିବ ଆଦିବାସୀ ମଦଠାରୁ ଦୂରେଇ ଯାଇଛନ୍ତି ଓ ଶିକ୍ଷାକୁ ଅପଣାଇ ପାରିଛନ୍ତି। ଯେଉଁଥିପାଇଁ ବହୁ ଆଦିବାସୀ ପାଠ ପଢ଼ି ବହୁ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି।

ରିପୋର୍ଟ- ବାଲେଶ୍ୱରରୁ ବିଶ୍ୱମ୍ଭର ଦାସ/ରଞ୍ଜିତ ପାକଳ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe