Advertisment

ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ

ଦେଶର ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ଦେବେ ଟ୍ରଫି।

author-image
Debadatta Aryashrestha
Pattapur Police Station (File Photo)

Pattapur Police Station (File Photo)

ପୁଣିଥରେ ଓଡ଼ିଶାର ଥାନାକୁ ମିଳିଛି ଦେଶରେ ଶ୍ରେଷ୍ଠ ଥାନା ପୁରସ୍କାର। ୨୦୨୪ ପାଇଁ ଦେଶର ତିନୋଟି ସର୍ବୋତ୍ତମ ଥାନା ଚୟନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ନଭେମ୍ବର ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଟ୍ରଫି ପାଟପୁର ଥାନାଧିକାରୀଙ୍କୁ ଦେବେ। 

Advertisment

ଏମଏଚଏ ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ତଥା ସମ୍ମିଳନୀ ସଚିବ ସମୀର ଏସ୍ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆଙ୍କୁ ଏକ ଚିଠି ଲେଖି ଦେଶର ଶ୍ରେଷ୍ଠ ପୁଲିସ ଷ୍ଟେସନ ମଧ୍ୟରେ ପାଟପୁର ଥାନାକୁ ମନୋନୀତ କରାଯାଇଥିବା ସୂଚନା ଦେଇଛନ୍ତି। ଏନେଇ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଖୁସି ବ୍ୟକ୍ତ କରିଛନ୍ତି। କର୍ମଚାରୀଙ୍କ ଦଳଗତ କାର୍ଯ୍ୟ ଫଳରେ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

୧୫୦ରୁ ଅଧିକ ପାରାମିଟର ଆଧାରରେ ସ୍ଥିର ହୁଏ ରାଙ୍କିଂ
ସାରା ଦେଶରେ ଶ୍ରେଷ୍ଠ ଥାନା ବାଛି ଏଗୁଡ଼ିକୁ ପୁରସ୍କୃତ କରିବା ହେଉଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବାର୍ଷିକ କାର୍ଯ୍ୟକ୍ରମ। ସାରା ଦେଶରେ ଥିବା ଥାନାଗୁଡ଼ିକର ମାନ୍ୟତା ସ୍ଥିର କରିବା ପାଇଁ ପ୍ରାୟ ୧୫୦ରୁ ଅଧିକ ପାରାମିଟରକୁ ଆଧାର କରାଯାଏ। ଅପରାଧ ହାର, ମାମଲାର ତଦନ୍ତ, ମାମଲା ରଫାଦଫା, ଭିତ୍ତିଭୂମି ଓ ଜନସେବା ପରି ୧୫୦ରୁ ଅଧିକ ବିଭିନ୍ନ ପାରାମିଟର ଆଧାରରେ ଶ୍ରେଷ୍ଠ ଥାନା ବଛା ଯାଇଥାଏ। ଗୋଟିଏ ଥାନା ପାଇଥିବା ମାନ୍ୟତାର ପ୍ରାୟ ୨୦ ପ୍ରତିଶତ ମାର୍କ ନାଗରିକଙ୍କ ମତାମତ ଉପରେ ଆଧାରିତ। ଏଭଳି ରାଙ୍କିଂ ପ୍ରସ୍ତୁତ କରିବା ଓ ପୁରସ୍କୃତ କରିବା ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ହେଉଛି ପୁଲିସର ଗୁଣବତ୍ତା ବୃଦ୍ଧି କରିବା ଏବଂ ଥାନାକୁ ଲୋକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ କରାଇବା।

Advertisment

ଥାନା ଗସ୍ତ କରିଥିଲେ ଗୃହ ମନ୍ତ୍ରାଳୟ ଟିମ୍
ପାଟପୁର ଥାନାର ବିଭିନ୍ନ ମାନଦଣ୍ଡ ଆକଳନ କରିବା ପାଇଁ ଗୃହ ମନ୍ତ୍ରାଳୟର ଏକ ଦଳ ଗତ ସେପ୍ଟେମ୍ବର ୨୮ ତାରିଖରେ ୧୧୩ ବର୍ଷ ପୁରୁଣା ପାଟପୁର ଥାନା ପରିଦର୍ଶନ କରିଥିଲେ। ଏହି ସମୟରେ ଥାନାର ମୌଳିକ ସୁବିଧା ମଧ୍ୟ ଆକଳନ କରିଥିଲେ। ସବ୍-ଡିଭିଜନାଲ ପୁଲିସ୍ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି ଯେ, ଏହି ଟିମ୍ ଥାନା ଏବଂ ଏଠାରେ କାର୍ଯ୍ୟରତ ପୁଲିସଙ୍କ କାର୍ଯ୍ୟକାରିତା ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ନେଇଥିଲା।

ବିଭିନ୍ନ ଅପରାଧୀଙ୍କୁ ଚିହ୍ନଟ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅପରାଧ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ, ଅପରାଧ ଏବଂ ଅପରାଧୀ ଟ୍ରାକିଂ ନେଟୱାର୍କ ଏବଂ ସିଷ୍ଟମ (ସିସିଟିଏନ୍ଏସ୍) ଆଦିର ଯାଞ୍ଚ ହୋଇଥିଲା। ଥାନାରେ ମହିଳା ଏବଂ ଶିଶୁ ଡେସ୍କ, ଶିଶୁମାନଙ୍କ ପାଇଁ ଆଡପ୍ଟେସନ୍ କର୍ଣ୍ଣର, ଶୌଚାଳୟ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ପାଇଁ ଖୋଲା ଜିମ୍ ଭଳି ଭଲ ଭିତ୍ତିଭୂମି ସୁବିଧା ମଧ୍ୟ ଅଛି। ଏସବୁ ମାନଦଣ୍ଡ ଅନୁଯାୟୀ ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ ବିବେଚିତ କରାଯାଇଛି।

Pattapur Police Station Best Police Station In India Best Police Station Odisha Best Police Station