Advertisment

ବାତ୍ୟା ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ୩ ଘଣ୍ଟା ଅଟକ ରହିଲେ ପିଇଓ

ଅଭିଯୋଗ ଅନୁସାରେ, ଏହି ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ଆଜି ସକାଳେ ଅଳ୍ପ ଚୁଡ଼ା, ଗୁଡ଼ ଓ ଦୁଇଟି ଲେଖାଏଁ ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ଚୁଡ଼ା ଭଲ ନଥିଲା। ସେଥିରୁ ଗନ୍ଧ ଆସୁଥିଲା। ସେହିପରି ଗୁଡ଼ ମଧ୍ୟ ପିତା ଲାଗୁଥିଲା। ତେଣୁ ଲୋକେ ଅସନ୍ତୁଷ୍ଟ ହୋଇଥିଲେ।

ଅଦ୍ୟତନ ହୋଇଛି
People

People

Advertisment

ଭୀଷଣ ବାତ୍ୟା ‘ଦାନା’ ଆଜି ମଧ୍ୟରାତ୍ରରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତର କନିକାରୁ ଧାମରା ମଧ୍ୟରେ ଉପକୂଳକୁ ଅତିକ୍ରମ କରିବ ବା ଲ୍ୟାଣ୍ଡଫଲ କରିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଉପୁଳାଇ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ମଧ୍ୟ ଲୋକଙ୍କୁ ରଖାଯାଇଛି। ତେବେ ସେଠାରେ ଲୋକଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଉ ନଥିବା ନେଇ ଅଭିଯୋଗ ହୋଇଛି। ଏମିତିକି ଏହି ଅଭିଯୋଗ କରି ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକେ ସ୍ଥାନୀୟ ପିଇଓଙ୍କୁ ଆଜି ପ୍ରାୟ ୩ ଘଣ୍ଟା ଧରି ଅଟକ ରଖିଥିଲେ। ରାଜକନିକା ବ୍ଳକ ଏଇଇ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ପିଇଓଙ୍କୁ ଛାଡ଼ିଥିଲେ।

Advertisment

ଅଭିଯୋଗ ଅନୁସାରେ, ଏହି ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ଆଜି ସକାଳେ ଅଳ୍ପ ଚୁଡ଼ା, ଗୁଡ଼ ଓ ଦୁଇଟି ଲେଖାଏଁ ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ଚୁଡ଼ା ଭଲ ନଥିଲା। ସେଥିରୁ ଗନ୍ଧ ଆସୁଥିଲା। ସେହିପରି ଗୁଡ଼ ମଧ୍ୟ ପିତା ଲାଗୁଥିଲା। ତେଣୁ ଲୋକେ ଅସନ୍ତୁଷ୍ଟ ହୋଇଥିଲେ। ଏହି ବାତ୍ୟା ଆଶ୍ରୟ ସ୍ଥଳୀର ଦାୟିତ୍ୱରେ ଥିବା ବରାଡ଼ିଆ ପଞ୍ଚାୟତର ପିଇଓ ଜୟନ୍ତ ବେହେରା ସେଠାରକୁ ଲୋକଙ୍କ ସୁବିଧା ଅସୁବିଧା ବୁଝିବାକୁ ଯାଇଥିବା ବେଳେ ଲୋକେ ତାଙ୍କୁ ଖାଦ୍ୟ ସମସ୍ୟା ବିଷୟରେ ଜଣାଇବା ସହିତ ତାଙ୍କୁ ଅଟକ ରଖିଥିଲେ। ଖବର ପାଇ ରାଜକନିକା ବ୍ଳକ ଏଇଇ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ପିଇଓଙ୍କୁ ଛାଡ଼ିଥିଲେ।

ଏହି ବାତ୍ୟା ଆଶ୍ରୟ ସ୍ଥଳୀରେ ରହିଥିବା ରାଧା ଦାସ କହିଛନ୍ତି, ଏଠାରେ ଖାଇବାରେ ବହୁତ ଅସୁବିଧା ହେଉଛି। ମୁଁ ଶାଶୁ, ଶ୍ୱଶୁର ଓ ଦୁଇଟି ଛୁଆକୁ ଧରି ରହିଛି। ଏଠାରେ ଗମୁଆ ଚୁଡ଼ା, ପିତା ଗୁଡ଼ ଓ ଦୁଇଟି ଲେଖାଏଁ ବିସ୍କୁଟ ଖାଇବାକୁ ଦେଉଛନ୍ତି। ଏଗୁଡ଼ିକୁ ଖାଇବାକୁ ଆଦୌ ଭଲ ଲାଗୁନି। ଛୁଆପିଲା ଏହି ସବୁ ଖାଦ୍ୟ ଖାଉ ନାହାନ୍ତି। ସରପଞ୍ଚ ଆସିଥିଲେ। ସେ ଫଟୋ ଉଠାଇ ପଳେଇଲେ। ଅଫିସରମାନେ ଆସିଥିଲେ। ସେମାନେ ବି ଫଟୋ ଉଠାଇ ପଳେଇଲେ। କେହି କିଛି କଲେ ନାହିଁ।

Advertisment

ସେହିପରି ଏଠାରେ ଆଶ୍ରୟ ନେଇଥିବା ରଶ୍ମିତା ମଲ୍ଲିକ କହିଛନ୍ତି, ପୋକରା ଓ ଗମୁଆ ଚୁଡ଼ା ଖାଇବାକୁ ଦେଇଛନ୍ତି। ତା’ ସାଙ୍ଗରେ ଦେଇଥିବା ଗୁଡ଼ ପୂରା ପିତା। ୫ ଟଙ୍କିଆ ବିସ୍କୁଟ ଦୁଇ ଖଣ୍ଡ ଲେଖାଏଁ ଦେଇଛନ୍ତି। ଆମେ କାଲିଠାରୁ ଆସି ରହିଲୁଣି। ଏଭଳି ଖାଇବା ଛୁଆପିଲା ଖାଉ ନାହାନ୍ତି। ଏଣୁ ଆଜି ସକାଳେ ବାଧ୍ୟ ହୋଇ ପାଖ ଦୋକାନରୁ ବିସ୍କୁଟ, ପାଉଁରୁଟି, କଦଳୀ ଆଦି କିଣି ଛୁଆଙ୍କୁ ଦେଇଥିଲୁ। ସେଥିପାଇଁ ଆଜି ଏଠାରେ ହୋହଲ୍ଲା ହୋଇଥିଲା। 

ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ ଯୋଗୁ ୧୧ ଜିଲ୍ଲାର ୩୮ ବ୍ଲକ ଓ ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରନ୍ତି। ସେହିପରି ମୋଟ ୧୬୫୩ ଗାଁ ବାତ୍ୟା ଦ୍ୱାରା ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି। ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର କରାଯିବାକୁ ସରକାର ଲକ୍ଷ୍ୟ ରଖିଥିଲେ। 

ରିପୋର୍ଟ- ଆଳିରୁ ବନମାଳୀ ସାହୁ

Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe