Advertisment

ନୂଆବର୍ଷ ସେଲିବ୍ରେସନ୍‌: ଭୁବନେଶ୍ୱର ଅପେକ୍ଷା କଟକ ପିଇଲା ଅଧିକ ମଦ!

ରାଜ୍ୟରେ ଦେଶୀ ମଦ ଅପେକ୍ଷା ବିଦେଶୀ ମଦ ଓ ଭାରତରେ ତିଆରି ବିଦେଶୀ ମଦ (ଆଇଏମଏଫଏଲ)ର ବିକ୍ରି ଅଧିକ ହେଉଛି। ଡିସେମ୍ବର ୩୦ ତାରିଖରେ ୬୦.୭୩ କୋଟି ଟଙ୍କାର ମଦ ବିକ୍ରିରୁ କେବଳ ବିଦେଶୀ ମଦ ଓ ଆଇଏମଏଫଏଲ ବିକ୍ରିରୁ ୫୦.୮୪ କୋଟି ଟଙ୍କା ଆସିଛି।

Liquor

Liquor

Advertisment

ବିଦାୟ ନେଇଛି ୨୦୨୩। ଆଉ ନୂଆବର୍ଷକୁ କରାଯାଇଛି ସ୍ୱାଗତ। ଏଥିରେ ସଭିଏଁ ଝୁମିଲେ ଓ ମତୁଆଲା ହେଲେ। ଆଉ ସେଲିବ୍ରେସନ୍‌ ବେଳେ ମାତାଲ ହେଲା ସାରା ଓଡ଼ିଶା! ପିଇଦେଲେ ୬୦ କୋଟିରୁ ଅଧିକ ଟଙ୍କାର ମଦ। ଏଥର ରାଜଧାନୀ ଭୁବନେଶ୍ୱରକୁ ପଛରେ ପକାଇ ଆଗକୁ ମାଡ଼ି ଯାଇଛି ସିଲ୍‌ଭର ସିଟି କଟକ। ନୂଆବର୍ଷ ସେଲିବ୍ରେସନ୍‌ରେ କଟକିଆ ଅଧିକ ମଦ ପିଇଥିବା ଜଣାପଡ଼ିଛି।

Advertisment

ନୂଆବର୍ଷରେ ମତୁଆଲା ହେଲା ଓଡ଼ିଶା। ହୋଟେଲ ଓ ପବ୍‌ର ରଙ୍ଗାରଙ୍ଗ ପରିବେଶ ଭିତରେ ଓଡ଼ିଶାର ଲୋକମାନେ ଖୁସିରେ ପିଇଥିଲେ ପ୍ରାୟ ୬୦ କୋଟି ଟଙ୍କାର ମଦ। ଓଡ଼ିଶା ପାନୀୟ ନିଗମ (ଓଡ଼ିଶା ବିଭିରେଜ୍ କର୍ପୋରେସନ ଲିମିଟେଡ) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରତିଦିନ ପ୍ରାୟ ୨୦ କୋଟି ଟଙ୍କାର ମଦ ବିକ୍ରି କରିଥାଏ। ହେଲେ ଡିସେମ୍ବର ୩୦ ତାରିଖରେ ରାଜ୍ୟରେ ପାନୀୟ ନିଗମ ଅଧୀନରେ ଥିବା ୯ଟି ସରକାରୀ ଡିପୋରୁ ଉଠିଥିଲା ୧୧ ଲକ୍ଷ ଲିଟର ମଦ। ଯାହାର ମୂଲ୍ୟ ଥିଲା ୬୦ କୋଟି ୭୩ ଲକ୍ଷ ଟଙ୍କା। ଡିସେମ୍ବର ୩୧ ତାରିଖ ରବିବାର ଥିବାରୁ ବର୍ଷ ଶେଷର ଶେଷ କାର୍ଯ୍ୟଦିବସ ଅର୍ଥାତ୍ ଶନିବାର- ଡିସେମ୍ବର ୩୦ ତାରିଖରେ ରାଜ୍ୟର ପ୍ରାୟ ୨ ହଜାର ରିଟେଲ ଆଉଟଲେଟ ଏହି ପରିମାଣର ମଦ କିଣି ନେଇଥିଲେ।

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟ ଡ. ବିଜୟ କୁମାର ସ୍ୱାଇଁ କହିଛନ୍ତି, ବର୍ଷ ଶେଷ ଦିନ ୬୦ କୋଟି ବିକ୍ରି ହେଲେ ମଧ୍ୟ ତା’ ପୂର୍ବରୁ ରହିଥିବା ଅଧିକ ମଦ ବିକ୍ରି ହୋଇଥିବ। ମଦ ଦ୍ୱାରା ଯେତିକି ରାଜସ୍ୱ ଆସୁଛି, ଦୁର୍ଘଟଣା, ପାରିବାରିକ ହିଂସା ଓ ଅପରାଧରେ ତା’ର ବହୁଗୁଣ ଲୋକଙ୍କର କ୍ଷତି ହେଉଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Advertisment

ରାଜ୍ୟରେ ଦେଶୀ ମଦ ଅପେକ୍ଷା ବିଦେଶୀ ମଦ ଓ ଭାରତରେ ତିଆରି ବିଦେଶୀ ମଦ (ଆଇଏମଏଫଏଲ)ର ବିକ୍ରି ଅଧିକ ହେଉଛି। ଡିସେମ୍ବର ୩୦ ତାରିଖରେ ୬୦.୭୩ କୋଟି ଟଙ୍କାର ମଦ ବିକ୍ରିରୁ କେବଳ ବିଦେଶୀ ମଦ ଓ ଆଇଏମଏଫଏଲ ବିକ୍ରିରୁ ୫୦.୮୪ କୋଟି ଟଙ୍କା ଆସିଛି। ସେହିଭଳି ବିୟର ବିକ୍ରିରୁ ୮.୦୪ କୋଟି ଓ ଦେଶୀ ମଦ ବିକ୍ରିରୁ ୧.୮୩ କୋଟି ଟଙ୍କାର ରାଜସ୍ୱ ମିଳିଛି।

ବିଦେଶୀ ମଦ ବିକ୍ରିରେ କଟକରେ ସର୍ବାଧିକ ୬୮,୫୦୦ ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ଭୁବନେଶ୍ୱରରେ ୬୩,୮୦୦ ଲିଟର, ପୁରୀରେ ୩୮,୮୦୦ ଲିଟର ବିଦେଶୀ ମଦ ବିକ୍ରି ହୋଇଛି। ସେହିଭଳି ବିୟରରେ ଭୁବନେଶ୍ୱରରୁ ୩୫,୫୭୮ ଲିଟର, କୋରାପୁଟରେ ୩୨,୩୦୦ ଲିଟର, କଟକରେ ୩୦,୪୦୦ ଲିଟର ଓ ବଲାଙ୍ଗିରରେ ୨୭,୪୦୦ ଲିଟର ବିୟର ବିକ୍ରି ହୋଇଛି।

ଅନ୍ୟପକ୍ଷରେ ମଦ୍ୟପାନରେ ଭାରତରେ ସବୁ ରାଜ୍ୟକୁ ପଛରେ ପକାଇ ଆଗକୁ ଯାଉଛି ଓଡ଼ିଶା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୨୦୧୯ରୁ ୨୦୨୧ ଭିତରେ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ଅନୁସାରେ ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧୮.୮ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଓଡ଼ିଶାର ୨୮.୮% ପୁରୁଷ ମଦ୍ୟପାନ କରୁଥିବା ଦେଖାଯାଇଛି। ସେହିଭଳି ସର୍ବଭାରତୀୟ ସ୍ତରରେ ୧୫ ବର୍ଷରୁ ଅଧିକ ବୟସର ୧.୩ % ମହିଳା ମଦ୍ୟପାନ କରୁଥିବାବେଳେ ଓଡ଼ିଶାର ୪.୩% ମହିଳା ମଦ୍ୟପାନ କରୁଥିବା ଦେଖାଯାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଂଚଳରେ ଅଧିକ ଲୋକ ମଦ୍ୟପାନ କରୁଥିବା ଦେଖାଯାଉଛି।

ସମ୍ବିଧାନର ଧାରା-47ରେ ଲୋକଙ୍କ ସୁସ୍ଥ ଜୀବନଯାପନ ପାଇଁ ସରକାରଙ୍କୁ ଧ୍ୟାନ ଦେବାକୁ କୁହାଯାଇଛି। କେବଳ ଔଷଧ ତିଆରି ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶା କାରବାରକୁ ବନ୍ଦ କରିବା ପାଇଁ ସରକାର ଚେଷ୍ଟା କରିବା ଉଚିତ ବୋଲି କୁହାଯାଇଛି। ମାତ୍ର ଏବେ ଦେଖାଯାଉଛି, ରାଜ୍ୟ ସରକାରଙ୍କ ଅବକାରୀ ନୀତି ମଦ ଓ ନିଶାର ପ୍ରସାରଣ ଦିଗରେ କାର୍ଯ୍ୟ କରୁଛି। ଓଡ଼ିଶାରେ ଅବକାରୀ ରାଜସ୍ୱ ୨୦୨୨-୨୩ରେ ପୂର୍ବ ବର୍ଷ ଅପେକ୍ଷା ୧୬.୭% ବଢ଼ିବାରୁ ରାଜସ୍ୱ ସଂଗ୍ରହ ପରିମାଣ ୬୪୫୫.୦୬ କୋଟିରେ ପହଁଚିଛି।

ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ

Bhubaneswar Bhubaneswar News Cuttack Liquor Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe