/odisha-reporter/media/post_attachments/uploadimage/library/16_9/16_9_0/IMAGE_1698843055.jpg)
Loka Seva Bhavan
ଚଳିତମାସ ୨୨ତାରିଖରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ । ଘର ପାଇବାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଆୱାସ ପ୍ଲସ୍ ମୋବାଇଲ ଆପ୍ ମାଧ୍ୟମରେ ଚିହ୍ନଟ କରିବାକୁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।
ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ପ୍ରକ୍ରିୟା ଆରମ୍ଭ ପାଇଁ ପରାମର୍ଶ ଦିଆଯାଇଛି । ମୋବାଇଲ୍ ଆପ୍ଲିକେସନ ‘ଆୱାସ୍ ପ୍ଲସ୍’ ମାଧ୍ୟମରେ ସାନି ସର୍ଭେ କରି ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ । ସଂଶୋଧିତ ସର୍ତ୍ତାବଳୀ ଆଧାରରେ ସାନି ସର୍ଭେରେ ଯେଭଳି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ଜାରି ଏସଓପିକୁ ପାଳନ କରିବାକୁ ମଧ୍ୟ ତାଗିଦ୍ କରାଯାଇଛି । ବିଭାଗ ପକ୍ଷରୁ ନଭେମ୍ବର ୨୭ ଓ ଡିସେମ୍ବର ୨୭ତାରିଖରେ ପ୍ରଧାନମନ୍ତ୍ରୀ-ଆବାସ ଯୋଜନାକୁ ନେଇ ଏସଓପି ଓ ସର୍ତ୍ତାବଳୀ ଜାରି କରାଯାଇଥିଲା ।
ଏହି ସର୍ଭେ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ମଧ୍ୟ ବିଭାଗ ପରାମର୍ଶ ଦେଇଛି । ବ୍ଲକ ଓ ଜିଲ୍ଲାସ୍ତରରେ ଉପଲବ୍ଧ ଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ପ୍ରଶାସନିକ ପାଣ୍ଠିରୁ ଖର୍ଚ୍ଚ ତୁଲାଇବାକୁ କୁହାଯାଇଛି । ସବୁ ପଂଚାୟତରେ ମାଇକ୍ ଯୋଗେ ଘୋଷଣା କରାଯିବ । ରେକର୍ଡିଂ ହୋଇଥିବା ତଥ୍ୟ ରାଜ୍ୟ ସରକାର ଯୋଗାଇ ଦେବେ ଯାହାକୁ ମାଇକ୍ ଯୋଗେ ପ୍ରଚାର କରାଯିବ । ସେହିପରି ବ୍ଲକ ଓ ପଂଚାୟତ ମୁଖ୍ୟାଳୟରେ ବଡ଼ ବଡ଼ ବ୍ୟାନର ଓ ହୋର୍ଡିଂ ଲଗାଯିବ । ଯେଉଁଠି ଯୋଗାଯୋଗର ସୁବିଧା ନାହିଁ ସେଠାରେ ସ୍ଥାନୀୟ ସାଂସ୍କୃତିକ ଦଳ ଦ୍ୱାରା ଷ୍ଟ୍ରିଟ୍ ପ୍ଲେ କରାଯିବ । ଏହି ସର୍ଭେ ସମ୍ପର୍କରେ ମଧ୍ୟ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର କରିବାକୁ ମଧ୍ୟ କୁହାଯାଇଛି ।
ସୂଚନାଯୋଗ୍ୟ, ‘ପିଏମ-ଆବାସ’ ଯୋଜନାରେ ଘର ଯୋଗାଇ ଦେବା ନିମନ୍ତେ ପ୍ରଚଳିତ ନିୟମକୁ ସରକାର କୋହଳ କରିସାରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
