/odisha-reporter/media/post_attachments/uploadimage/library/16_9/16_9_0/IMAGE_1757944917.jpg)
Devdas Chhotray
ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଚଳିତବର୍ଷ ପ୍ରତିଷ୍ଠିତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପ୍ରଦାନ କରାଯିବ । ଇମ୍ପା ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ ।
ଇମ୍ପାକ୍ଟ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ ଅନୁସାରେ, ୨୦୨୩ ମସିହାରେ ଟାଇମପାସ୍ ପ୍ରକାଶନୀ ଦ୍ୱାରା ପ୍ରକାଶିତ ତାଙ୍କର ଗଳ୍ପ ସଂକଳନ ‘ମ୍ୟାଟିନ ସୋ’ ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ଅକ୍ଟୋବର ୨୬ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ଛୋଟରାୟଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସମେତ ୭ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।
ବିଚାରକମାନଙ୍କ ଦ୍ୱାରା ଚଳିତବର୍ଷର ଶାରଳା ପୁରସ୍କାର ନିମନ୍ତେ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଥିବା ପୁସ୍ତକଗୁଡ଼ିକ ମଧ୍ୟରେ ଦେବଦାସ ଛୋଟରାୟଙ୍କ ଗଳ୍ପ ସଂକଳ୍ପ ‘ମ୍ୟାଟିନି ସୋ’ ବ୍ୟତୀତ ଅପର୍ଣ୍ଣା ମହାନ୍ତିଙ୍କ କବିତା ସଂକଳନ ‘ଅପର୍ଣ୍ଣା ମହାନ୍ତିମାନଙ୍କ ପାଇଁ କବିତା’, ମମତା ଦାଶଙ୍କ କବିତା ସଂକଳନ ‘ଭୂମି ସ୍ପର୍ଶ’, ପଦ୍ମଜ ପାଳଙ୍କ ଉପନ୍ୟାସ ‘ସୀତା ମୁଁ ସୀତା’ ଓ ଗଳ୍ପ ସଂକଳନ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ କବିତା ସଂକଳନ ‘ବିଶ୍ୱାସ ଦେ ପୃଥ୍ୱୀ’, ବିଜୟ କୁମାର ଶତପଥୀଙ୍କ ନାଟକ ‘ଅନ୍ଧାରର ବିଭୀଷିକା’ ।
ପ୍ରାଥମିକ ପୁସ୍ତକ ଚୟନ ମଣ୍ଡଳୀରେ ଦୁର୍ଗାପ୍ରସାଦ ପଣ୍ଡା, କୃଷ୍ଣକୁମାର ମହାନ୍ତି, ପବିତ୍ରମୋହନ ଦାଶ, ଶ୍ରୀଦେବ, ଶକ୍ତି ମହାନ୍ତି ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଭାବେ ପ୍ରକାଶ ମହାପାତ୍ର, ପବିତ୍ର ପାଣିଗ୍ରାହୀ, ଧନଞ୍ଜୟ ସ୍ୱାଇଁ, ପାରମିତା ଶତପଥୀ, ସୁସ୍ମିତା ବାଗଚୀ, ପ୍ରବୀଣା ମହାନ୍ତି ଏବଂ ସୂର୍ଯ୍ୟ ମିଶ୍ର ରହିଥିଲେ ।
ସେହିପରି କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ଇମ୍ପାକ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲାବଂଶୀଧର ପଣ୍ଡା କଳା ସମ୍ମାନ’ରେ ଚଳିତ ୨୦୨୫ ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା ଏବଂ ସଂଗୀତଗୁରୁ ରାମହରି ଦାସଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ ।
ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇଲକ୍ଷ ପଚାଶ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ । ସଙ୍ଗୀତ ବିଭାଗରେ ଆଦ୍ୟାଶା ଦାସ, ସୁଜାତା ମହାପାତ୍ର, ସଙ୍ଗୀତା ପଣ୍ଡା ଏବଂ ଚିତ୍ରକଳା ବିଭାଗରେ ପଂଚମୀ ମାନୁ ଉକିଲ, ସୁଦର୍ଶନ ପଟ୍ଟନାୟକ ଓ ପ୍ରଦୋଷ ସ୍ୱାଇଁ ବିଚାରକ ଥିଲେ ।
ସୂଚନାଯୋଗ୍ୟ, ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡଃ ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ। ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଥିବା ଶାରଳା ପୁରସ୍କାର ୪୫ ବର୍ଷ ଧରି ଏହାର ଯାତ୍ରା ଜାରି ରଖିଛି । ଇମ୍ପାକ୍ଟ ପକ୍ଷରୁ ମଧ୍ୟ ଓଡ଼ିଶାର ଯୁବ କ୍ରୀଡ଼ାବିତମାନଙ୍କୁ ଉତ୍କର୍ଷ କ୍ରୀଡ଼ା ପ୍ରଦର୍ଶନ ନିମନ୍ତେ ପ୍ରତିବର୍ଷ ଏକବଲ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
