Advertisment

ନୋଟିସ୍‌ ଦେବାକୁ ଯାଇ ଟଙ୍କା ମାଗିଲା ପୁଲିସ; କହିଲେ- ଖରାରେ ଆସିଛୁ ତେଲ ପାଣି ବାବଦକୁ ୨୦୦ ଟଙ୍କା ଦିଅ

ଶନିବାର ଗ୍ରାମାଞ୍ଚଳ ଥାନା ପୁଲିସ୍‌ ଚାଷୀଙ୍କୁ ନୋଟିସ୍‌ ଦେବା ପାଇଁ କଣିପାଳ ଗାଁକୁ ଯାଇଥିଲା। ସେହି ସମୟରେ ଚାଷୀଙ୍କୁ ଧମକ ଚମକ ଦେଉଥିଲେ। କେତେକ ଚାଷୀଙ୍କଠାରୁ ଜଣକା ୩୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ l

author-image
Manoranjan Sial
ଅଦ୍ୟତନ ହୋଇଛି
Kendrapara

Kendrapara

ଧନ୍ୟ ଆମ ପୁଲିସ୍‌ ବ୍ୟବସ୍ଥା! ନୋଟିସ୍‌ ଦେବାକୁ ଯାଇ ଚାଷୀଙ୍କୁ ଟଙ୍କା ମାଗିଲେ। କହିଲେ, ଖରାରେ ଆସୁଛି, ତେଲ ପାଣି ବାବକୁ ୨୦୦ରୁ ୩୦୦ ଟଙ୍କା ଦିଅ। ପୁଲିସ୍‌ଙ୍କ ନାଲି ଆଖି ଦେଖି କେତେକ ଚାଷୀ ଟଙ୍କା ଦେଇଥିଲେ। ଆଉ କିଛି ଚାଷୀ ଟଙ୍କା ଦେବା ପରିବର୍ତ୍ତେ ପ୍ରତିବାଦ କରିଥିଲେ। ଗାଁ ଦାଣ୍ଡରେ ପୁଲିସ୍‌କୁ ଘେରିଥିଲେ। ଶେଷରେ ଉପାୟଶୂନ୍ୟ ହୋଇ ନେଇଥିବା ଟଙ୍କା ଚାଷୀଙ୍କୁ ପୁଲିସ୍‌ ଫେରାଇଥିଲା। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ଥାନା ଅଞ୍ଚଳରୁ।

Advertisment

ଗତ ୨୨ ତାରିଖରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ବିଧାନସଭା ଘେରାଉ କରିଥିଲା ‘ମୋ ଦଳ’। ସେଥିରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ ଜଣ ଚାଷୀ ସାମିଲ୍‌ ହୋଇଥିଲେ। ସେହି ସମୟରେ ଭୁବନେଶ୍ୱର କମିଶନର ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। କେତେକ ଚାଷୀଙ୍କ ବିରୋଧରେ ୧୦୭ ଦଫାରେ ମାମଲା ରୁଜୁ କରିଥିଲା। ପରେ କମିଶନରେଟ୍‌ ପୁଲିସ୍‌ ସ୍ଥାନୀୟ ପୁଲିସ ସହାୟତାରେ ଚାଷୀମାନଙ୍କ ନିକଟକୁ ନୋଟିସ୍‌ ପଠାଇଥିଲା।

ଶନିବାର ଗ୍ରାମାଞ୍ଚଳ ଥାନା ପୁଲିସ୍‌ ଚାଷୀଙ୍କୁ ନୋଟିସ୍‌ ଦେବା ପାଇଁ କଣିପାଳ ଗାଁକୁ ଯାଇଥିଲା। ସେହି ସମୟରେ ଚାଷୀଙ୍କୁ ଧମକ ଚମକ ଦେଉଥିଲେ। କେତେକ ଚାଷୀଙ୍କଠାରୁ ଜଣକା ୩୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ l ଯିଏ କମ୍‌ ଟଙ୍କା ଦେଉଥିଲେ, ପୁଲିସ୍‌ ଅଧିକାରୀ ସେହି ଟଙ୍କା ତାଙ୍କ ମୁହଁକୁ ଫିଙ୍ଗି ଦେଉଥିଲେ। ୧୦୦ରୁ କମ୍‌ ଦେଲେ ଟଙ୍କା ନେବୁନି ବୋଲି ଖୋଲମ୍‌ଖୋଲା କହୁଥିଲେ। ପୁଲିସ୍‌ବାବୁଙ୍କ ଏପରି କାର୍ଯ୍ୟକୁ ନେଇ ଅତିଷ୍ଠ ହୋଇଥିଲେ ଗରିବ ଚାଷୀ।

Advertisment

ଚାଷୀମାନେ ପୁଲିସ୍‌ଙ୍କୁ ଘେରିଥିଲେ। ପୁଲିସ୍‌ ଗାଡ଼ିରୁ ଚାବି କାଢି ନେଇଯାଇଥିଲେ। ଗାଁ ଦାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ଅଣାୟତ୍ତ ହେବାରୁ କାନମୁଣ୍ଡ ଆଉଁସି ନେଇଥିବା ଟଙ୍କା ଫେରାଇଥିଲେ ପୁଲିସ୍‌। ଆଉ ଜଣେ ପୁଲିସ୍‌ କର୍ମଚାରୀ ଅଜଥାରେ ଯୁକ୍ତିତର୍କ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ଚାଷୀ ଅଭିରାମ ମଳିକ କହିଛନ୍ତି, ଭୁବନେଶ୍ୱରରେ ହୋଇଥିବା ଆନ୍ଦୋଳନରେ ସାମିଲ ହୋଇଥିଲୁ ବୋଲି ନୋଟିସ୍‌ ଦେବା ପାଇଁ ପୁଲିସ୍‌ ଆସିଥିଲା। ନୋଟିସ୍‌ ଦେବା ପରେ ଖର୍ଚ୍ଚ ପାଣି ବାବଦକୁ ୨୦୦ ଟଙ୍କା ମାଗିଲେ। ୨୦୦ ଟଙ୍କା ନଥିବାରୁ ୧୦୦ ଟଙ୍କା ଦେଇଥିଲି। ସେହି ଟଙ୍କା ନେଇ ପଳାଇଗଲେ ବୋଲି ଶ୍ରୀ ମଳିକ କହିଛନ୍ତି।

ନୀଳକଣ୍ଠପୁର ଗାଁର ଜଣେ ଚାଷୀ ସୁନାକର ଦାସ କହିଛନ୍ତି, ନୋଟିସ୍‌ ଦେବାକୁ ଆସି ପୁଲିସ୍‌ ୩୦୦ ଟଙ୍କା ମାଗିଲା। ମୁଁ ତାଙ୍କୁ ୫୦ ଟଙ୍କା ଦେଇଥିଲି। ହେଲେ ୫୦ ଟଙ୍କା ନେବା ପରିବର୍ତ୍ତେ ଘର ଦୁଆର ମୁହଁରେ ରଖିଦେଇ କହିଥିଲେ, ଆମେ କଣ ଭିକ ମାଗୁଛୁ? ତେଣୁ ବାଧ୍ୟ ହୋଇ ୧୦୦ ଟଙ୍କା ଦେଇଥିଲି। କଣିପାଳ ଗାଁରେ ଗଣ୍ଡଗୋଳ ହେବାରୁ ମୋ ପାଖରୁ ନେଇଥିବା ୧୦୦ ଟଙ୍କା ପୁଲିସ ଫେରାଇଲା ବୋଲି ଶ୍ରୀ ଦାସ କହିଛନ୍ତି।

ନବନିର୍ମାଣ କୃଷକ ସଂଘଠନର କେନ୍ଦ୍ରାପଡ଼ା ଜିଲ୍ଲା ଉପଦ୍ଦେଷ୍ଟା ଦାଶରଥୀ ସାହୁ କହିଛନ୍ତି, ପ୍ରାଇସ୍‌, ପେଷ୍ଟିଜ ଓ ପେନ୍‌ସନ ଦାବି ନେଇ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଧାନସଭା ଘେରାଉ କରିବାକୁ ଯାଇଥିଲୁ। ଆମ ବିରୋଧରେ ମାମଲା ରୁଜୁ କଲେ। ଏବେ ନୋଟିସ୍‌ ପଠାଇ ପୁଲିସ୍‌ଙ୍କ ମାଧ୍ୟମରେ ଟଙ୍କା ଆଦାୟ କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି।

ରିପୋର୍ଟ-ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Kendrapara