Advertisment

ପ୍ରବାସୀ ଭାରତୀୟ ଦିବସ: ସଜେଇ ହେଲାଣି ଜନତା ମଇଦାନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ପ୍ରବାସୀ ଭାରତୀୟଙ୍କ ମନ ମୋହିବାକୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତକଳାରେ ସଜେଇ ହେଲାଣି ଜନତା ମଇଦାନରେ ଓଡ଼ିଶା ପାଭିଲିୟନ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ୍ ଡିଜି।

author-image
Debadatta Aryashrestha
Preparation for Pravasi Bharatiya Mela

Preparation for Pravasi Bharatiya Mela

ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଭୁବନେଶ୍ୱର ଦେଖିବ ପ୍ରବାସୀ ଭାରତୀୟଙ୍କ ମହାମେଳି। ଗୋଟିଏ ଛାତ ତଳେ ଏକାଠି ହେବେ ସାରା ବିଶ୍ୱରୁ ସାଢ଼େ ୩ ହଜାରରୁ ଅଧିକ ପ୍ରବାସୀ ଭାରତୀୟ। ଏମିତି କି ସେମାନଙ୍କ ମଧ୍ୟରୁ ଅନେକ ଓଡ଼ିଆ ଲୋକଙ୍କ ଘରେ ରହିବେ, ଓଡ଼ିଆ ଖାଦ୍ୟର ମଜା ନେବେ। ଏପଟେ ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବା ପାଇଁ କସରତ ଚଳାଇଛି ପୂରା ସରକାରୀ କଳ।

Advertisment

ପ୍ରବାସୀ ଭାରତୀୟଙ୍କୁ ମିଳିବ ଓଡ଼ିଆ ଚଳଣୀର ଅନୁଭୂତି। ଓଡ଼ିଆଙ୍କ ଘରେ ରହିବେ, ଓଡ଼ିଆ ପରଷା ଖାଇବେ। ହୋମ ଷ୍ଟେ’ ବୁକ୍ କରିଥିବା ପ୍ରବାସୀ ଭାରତୀୟ ପାଇବେ ଏଭଳି ସୁବିଧା। ସେ ମଧ୍ୟରୁ ଗୋଟିଏ ହେଉଛି ପଟିଆ ଅଞ୍ଚଳର ସ୍ୟାଣ୍ଡ ପେବେଲ୍ସ ହୋମ୍ ଷ୍ଟେ’। ୪ଟି ରୁମ୍ ଥିବା ଏହି ଘର ପ୍ରବାସୀ ଭାରତୀୟଙ୍କୁ ସେବା ଯୋଗାଇବାକୁ ପର୍ଯ୍ୟଟନ ବିଭାଗରେ ପଞ୍ଜୀକୃତ ହୋଇଛି। ଏଠାରେ ଘର ଭଳି ଡାଇନିଂ ହଲ୍, ଡ୍ରଇଂ ରୁମ୍, କିଚେନ୍, ବାଲ୍କୋନୀ ଆଦି ସବୁକିଛି ଅତିଥିଙ୍କ ପାଇଁ ସଜେଇ ହୋଇ ରହିଛି।

ଅନ୍ୟପକ୍ଷରେ ପ୍ରବାସୀ ଭାରତୀୟ ମହାକୁମ୍ଭ ପାଇଁ ସଜେଇ ହେଲାଣି ଜନତା ମଇଦାନ। ପ୍ରବାସୀ ଭାରତୀୟଙ୍କ ମନ ମୋହିବାକୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତକଳାରେ ସଜେଇ ହେଲାଣି ଓଡ଼ିଶା ପାଭିଲିୟନ। ସେପଟେ ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତିର ଅଗ୍ରଗତି ନେଇ ଆଜି ଜନତା ମଇଦାନ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ ହଜାର ହଜାର ଅତିଥି ଯୋଗଦେବାକୁ ଥିବାରୁ ଉଦଘାଟନୀ ହ୍ୟାଙ୍ଗରଠୁ ଆରମ୍ଭ କରି ପ୍ଲେନାରୀ ହ୍ୟାଙ୍ଗର, ଥିମ୍ ପାଭିଲିୟନ ସବୁକିଛିର ଟିକିନିଖି ଯାଞ୍ଚ କରିଛନ୍ତି ମୁଖ୍ୟ ସଚିବ। ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ପାଖାପାଖି ସାଢ଼େ ୩ ହଜାର ପଞ୍ଜୀକରଣ ହୋଇଛି। ପ୍ରବାସୀ ଭାରତୀୟମାନେ ଯେଭଳି ଏକ ଭଲ ଅନୁଭୂତି ନେଇ ଫେରିବେ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

Advertisment

ଅନ୍ୟପଟେ ଶିଳ୍ପ ସଚିବ କହିଛନ୍ତି ଯେ ଗତକାଲିଠୁ ଭୁବନେଶ୍ୱରକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ଆରମ୍ଭ ହେଲାଣି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ୫୦୦ ପ୍ରବାସୀ ଭାରତୀୟଙ୍କ ଲାଗି ଏକ ତାରକା ହୋଟେଲରେ ଇନଭେଷ୍ଟ ଓଡ଼ିଶା ସ୍ୱତନ୍ତ୍ର ସେସନର ଆୟୋଜନ କରାଯାଇଛି। ଏହାବାଦ୍ ଓଡ଼ିଶା ପର୍ଯ୍ୟଟନ ଓ ୨୦୩୬ରେ ବିକଶିତ ଓଡ଼ିଆ ଶୀର୍ଷକ ଦୁଇଟି ସ୍ବତନ୍ତ୍ର ଅଧିବେଶନର ମଧ୍ୟ ଆୟୋଜନ କରାଯାଇଛି।

ସେପଟେ ଆଜି ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଖୋଦ୍ ପୁଲିସ୍ ଡିଜି। ଏହି କାର୍ଯ୍ୟକ୍ରମ ଅବସରରେ ଯଦି କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣ ହୁଏ କିମ୍ବା କୌଣସି ପ୍ରକାର ଅଘଟଣ ଘଟେ, ତେବେ ସୁରକ୍ଷାବାହିନୀ କେତେ ପ୍ରସ୍ତୁତ ତାର ରିହରସାଲ ବି ହୋଇଛି। ସହରରେ ଏହି ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବା ସହ ୮ ପ୍ଲାଟୁନ ରାଜ୍ୟ ପୁଲିସ, ୧୧ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ ବୋଲି ଡିଜିପି କହିଛନ୍ତି।

ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରାୟ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଏବେଠାରୁ ଡେରା ପକାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହେଲାଣି।

Bhubaneswar News Pravasi Bharatiya Divas Overseas Indian Day Pravasi Bharatiya Mela