ଆଳୁ ହେଲା ମହଙ୍ଗା, ୫ ଦିନରେ ୧୦ରୁ ୧୫ଟଙ୍କା ବଢିଲା

ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ। ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ। ଏପଟେ ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ହୋଲସେଲ୍ ମାର୍କେଟରେ ପର୍ଯ୍ୟାପ୍ତ ଆଳୁ ନାହିଁ।

Representational Image

  • Published: Thursday, 25 July 2024
  • , Updated: 25 July 2024, 09:16 PM IST

୫ ଦିନରେ ଆଳୁ ୧୦ରୁ ୧୫ଟଙ୍କା ମହଙ୍ଗା। କିଲୋ ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। କିଛି ସ୍ଥାନରେ ଖୁଚୁରା ଦର ୫୦ ବି ଛୁଇଁଲାଣି। ଆଳୁର ଏମିତି ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ। କହୁଛନ୍ତି, ଗତ ଜୁଲାଇ ୨୦ ତାରିଖରେ ଖୁଚୁରା ବଜାରରେ ଆଳୁ କିଲୋ ୩୦ରୁ ୩୨ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ୨୧ ତାରିଖରେ ହଠାତ୍ ୪୦ ଟଙ୍କା ହୋଇଗଲା। ଆଉ ଦରବୃଦ୍ଧି କାରଣ କ’ଣ, ବୁଝିବା ପୂର୍ବରୁ ଏବେ ୪୫ ଟଙ୍କାରେ ପହଞ୍ଚିଗଲାଣି।

ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ। ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ। ଏପଟେ ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ହୋଲସେଲ୍ ମାର୍କେଟରେ ପର୍ଯ୍ୟାପ୍ତ ଆଳୁ ନାହିଁ। ତେଣୁ ଉଚ୍ଚାଦରରେ କିଣିବାକୁ ପଡ଼ୁଛି। ଆଉ ଯେଉଁ ଆଳୁ ମିଳୁଛି, ଅନେକ ପଚାସଢ଼ାରେ ଯାଉଛି। ତେଣୁ ବାଧ୍ୟହୋଇ ଅଧିକ ଦାମରେ ବିକୁଛୁ।

ରାଜ୍ୟର ସର୍ବବୃହତ୍ ଆଳୁ ଗୋଦାମ ଭୁବନେଶ୍ୱର କୁବେରପୁରୀସ୍ଥିତ ଆଳୁ ଗଦିର। ଆଉ ଅନ୍ୟଟି କଟକ ଛତ୍ରବଜାରସ୍ଥିତ ଆଳୁ ମଣ୍ଡିର। ଉଭୟ ଗୋଦାମ ଖାଁ ଖାଁ। ଯେଉଁ ଆଳୁ ଗୋଦାମରେ ପ୍ରତିଦିନ ୫୦ରୁ ୬୦ ଟନ୍ ଅର୍ଥାତ୍ ୧୨ଶହରୁ ୧୫ଶହ ବସ୍ତା ଆଳୁ ରହୁଥିଲା। ସେଠି ଏବେ ୨୦ରୁ ୩୦ କ୍ୱିଣ୍ଟାଲ ଆଳୁ ଅଛି।

ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ପଶ୍ଚିମବଙ୍ଗ ସରକାର ଆଳୁ ଦରରେ ଅଙ୍କୁଶ ଲଗାଇଥିବାରୁ ସେଠାକାର ବ୍ୟବସାୟୀ ୪ ଦିନ ହେଲା ଧର୍ମଘଟରେ ବସିଛନ୍ତି। ତେଣୁ ରାଜ୍ୟକୁ ଆଳୁ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି। ଏମିତିକି ଶୀତଳଭଣ୍ଡାରରେ ଥିବା ଆଳୁ ବି ସରି ଆସିଲାଣି। ତେଣୁ ଆଳୁ ଦର ବଢ଼ିବାରେ ଲାଗିଛି।

ଏପଟେ ରାଜ୍ୟ ବ୍ୟବସାୟୀ ସଂଘ କହିଛି, ନବୀନ ସରକାର ସମୟରେ ରାଜ୍ୟରେ ଆରମ୍ଭ ହୋଇଥିବା ଆଳୁ ମିଶନ ପୂରା ଫେଲ୍ ମାରିଛି। ବାର୍ଷିକ ରାଜ୍ୟରେ ସାଢ଼େ ୧୪ ଲକ୍ଷ ଟନ୍ ଆଳୁ ଦରକାର। ହେଲେ ଉତ୍ପାଦନ ହେଉଛି ମାତ୍ର ୮୦ରୁ ୯୦ ହଜାର ଟନ୍। ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ସରକାର ତୁରନ୍ତ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛି ରାଜ୍ୟ ବ୍ୟବସାୟୀ ସଂଘ।

ଏ ଭିତରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଧର୍ମଘଟରୁ ଓହରିଥିବାରୁ ଆଗାମୀ ଦିନରେ ରାଜ୍ୟକୁ ଆଳୁ ଯୋଗାଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

Related story