Advertisment

ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା, ମଧୁ ପାଢ଼ୀ ରାଜ୍ୟ ନିର୍ବାଚନ ଆୟୁକ୍ତ

ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ପ୍ରଥମ ବ୍ୟକ୍ତି ଯିଏ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶଦାତା ହେବେ।

prakash mishra

prakash mishra

Advertisment

ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ସେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାପରେ ଶ୍ରୀ ମିଶ୍ର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମନ୍ତ୍ରିପରିଷଦ ବାହାରେ ଥାଇ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧା ହାସଲ କରିବେ । ସେହିପରି ଅବସରପ୍ରାପ୍ତ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଛି ।

Advertisment

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତି ଅନୁସାରେ ଅବସରପ୍ରାପ୍ତ ଆଇପିଏସ୍ ତଥା ରାଜ୍ୟର ପୂର୍ବତନ ପୁଲିସ ଡିଜି ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ଶ୍ରୀ ମିଶ୍ର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶଦାତା ହେବେ । ଶ୍ରୀ ମିଶ୍ର ରାଜ୍ୟର ପୁଲିସ ଡିଜି ଭାବେ ୨୦୧୨ ଜୁନରୁ ୨୦୧୪ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ଏହି ନିଯୁକ୍ତି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଗୁରୁଦାୟିତ୍ୱ ଦେଇଛନ୍ତି । ରାଜ୍ୟବାସୀଙ୍କ କଲ୍ୟାଣ ଓ ବୃହତ୍ତର ସ୍ୱାର୍ଥ ରକ୍ଷା କିଭଳି ହୋଇପାରିବ ସେ ଦିଗରେ ପ୍ରୟାସ କରିବେ । ରାଜ୍ୟର ଲୋକମାନଙ୍କ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ଓ ନୂଆ ବିଜେପି ସରକାର ଠିକ୍ ଭାବେ କାର୍ଯ୍ୟ କରିବ ସେ ଦିଗରେ ପ୍ରାଥମିକତା ଦେବେ ।

Advertisment

ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଅବସରପ୍ରାପ୍ତ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କୁ ନିଯୁକ୍ତି ମିଳିଛି । ପଂଚାୟତିରାଜ ବିଭାଗ ପକ୍ଷରୁ ଏନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଶ୍ରୀ ପାଢ଼ୀ ହେଉଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଓ ୨୦୨୨ ଅକ୍ଟୋବରରେ ସେ ସରକାରୀ ଚାକିରିରୁ ଅବସର ନେଇଥିଲେ । ୨୦୨୪ ଅଗଷ୍ଟ ମାସରୁ ରାଜ୍ୟ ନିର୍ବାଚନ ଆଯୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କାର୍ଯ୍ୟକାଳ ସରିଲାଣି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି ସରକାରରେ ଉଭୟ ଅଫିସର ଶ୍ରୀ ମିଶ୍ର ଓ ଶ୍ରୀ ପାଢ଼ୀଙ୍କୁ ତତକାଳୀନ ସର୍ବେସର୍ବାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ।

ସୂଚନାଯୋଗ୍ୟ, ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ଶକ୍ତି ବିଭାଗର ପରାମର୍ଶଦାତା ଭାବେ ବରିଷ୍ଠ ଓକିଲ ସଞ୍ଜୟ ସେନଙ୍କୁ ନିଯୁକ୍ତି ଦେଇଥିଲା । ଆଗାମୀ ଦିନରେ ଅଧିକ ସଂଖ୍ୟକ ରାଜନୀତିକ ଓ ଅଣରାଜନୀତିକ ବ୍ୟକ୍ତିଙ୍କୁ ସରକାରର ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି ।

Odisha Bjp Prakash Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe