Advertisment

ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ

ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।

author-image
Ordigital Desk
ଅଦ୍ୟତନ ହୋଇଛି
Bhubaneswar Patha Utsav (File Photo)

Bhubaneswar Patha Utsav (File Photo)

ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଏହି ସମୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ମେଳା, ପଥ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି। ଏହାସହିତ ରାତ୍ରିକାଳୀନ ବଜାର(ନାଇଟ୍ ଫ୍ଲି ମାର୍କେଟ୍) ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

Advertisment

ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନର ଅଗ୍ରଗତି ସମ୍ପର୍କରେ  ବିଭାଗୀୟ ସଚିବମାନଙ୍କ ସହ ବିଚାରବିମର୍ଶ ହୋଇଛି। ପ୍ରବାସୀ ଭାରତୀୟ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କେଉଁମାନେ ଅଂଶଗ୍ରହଣ କରିବେ ତାହା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚୂଡ଼ାନ୍ତ ହୋଇଛି। ଜାନୁଆରୀ ୭ରୁ ୧୧ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମ୍ୟୁଜିକ୍ ଫେଷ୍ଟିଭାଲ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓ ଏକାମ୍ର କାନନଠାରେ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

ସେହିପରି ଜାନୁଆରୀ ୮ରେ ସାଂସ୍କୃତିକ ଫ୍ୟୁଜନ୍ ନୃତ୍ୟ ପରିବେଷଣ, ଜାନୁୟାରୀ ୫ରୁ ୧୫ତାରିଖ ପର୍ଯ୍ୟନ୍ତ ଆଦିବାସୀ ମେଳା, ୬ରୁ ୧୨ତାରିଖ ପର୍ଯ୍ୟନ୍ତ ଚିଲିକା ପକ୍ଷୀ ଉତ୍ସବ, ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଖାଦ୍ୟ ମେଳା, ପଥ ଉତ୍ସବ ଓ ରାତ୍ରିକାଳୀନ ବଜାର ଅନୁଷ୍ଠିତ ହେବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ଅବସରରେ ପ୍ରାଚୀନରୁ ଆଧୁନିକ ପର୍ଯ୍ୟନ୍ତ ଓଡ଼ିଶାର ଗୌରବ(ଗ୍ଲୋରିୟସ୍ ଓଡ଼ିଶା ଫ୍ରମ ଆନସିଏଂଟ ଟୁ ମଡ଼ର୍ଣ୍ଣ) ଉପରେ ଆଧାରିତ ଓଡ଼ିଶା ଥିମ୍ ପାଭିଲିୟନ ଆୟୋଜିତ ହେବ। ଏହାର ରୂପରେଖ କିଭଳି ରହିବ ସେଥିପାଇଁ ପ୍ରସ୍ତୁତି ଜାରି ରହିଛି।

Advertisment

ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ଜନତା ମଇଦାନଠାରେ ଆୟୋଜନ ହୋଇଛି। କାର୍ଯ୍ୟକ୍ରମ ସ୍ଥଳରେ ଭିଭିଆଇପି, ଅତିଥି, ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକଙ୍କ ବସିବା ବ୍ୟବସ୍ଥା, ଯାନବାହନ ପାର୍କିଂ ସ୍ଥଳ, ପ୍ରବାସୀ ଭାରତୀୟଙ୍କ ଖାଦ୍ୟ ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି, ନକ୍ସା ଉପସ୍ଥାପନ ଓ ଅନୁମୋଦନ ମୁତାବକ କାର୍ଯ୍ୟର ଅଗ୍ରଗତି ଚାଲିଥିବା ଶିଳ୍ପ ବିଭାଗ ସୂଚନା ଦେଇଛି। ପ୍ରବାସୀ ଭାରତୀୟ ଦିବସ ସମାରୋହର ପ୍ରଥମ ଦିନ ଜାନୁଆରୀ ୮ରେ ଯୁବପ୍ରବାସୀ ଭାରତୀୟ ଦିବସ, ଜାନୁୟାରୀ ୯ରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଓ ଉଦଯାପନୀ ଦିବସରେ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।

ଏହି ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଟ୍ରାଫିକ ନିୟନ୍ତ୍ରଣ, ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଜାରି ରହିଛି। ସେହିପରି ପ୍ରବାସୀ ଭାରତୀୟମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବାକୁ ଥିବାରୁ ବିଶେଷକରି ଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ଥିବା ୨୮ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସମାରୋହ ଆୟୋଜନ ସ୍ଥଳରେ ଓଡ଼ିଶା ପାଇଁ ଚିହ୍ନଟ କରାଯାଇଥିବା ୪୦ଟି ପ୍ରଦର୍ଶନୀ ଷ୍ଟଲ ରହିବ ବୋଲି ଜଣାପଡ଼ିଛି।

ଆଜିର ଏହି ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Pravasi Bharatiya Divas Pravasi Bharatiya Divas In Bhubaneswar Patha Utsav Cutural Program