Advertisment

ହାର୍‌ ମାନିନାହାନ୍ତି: ଦରପୋଡ଼ା ଶରୀର ଧରି ମେଡିକାଲ ବେଡ୍‌ରେ ଚଳାଇଛନ୍ତି IAS ପ୍ରସ୍ତୁତି

ଶାଶୁଘର ଲୋକେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଥିଲା।

ଅଦ୍ୟତନ ହୋଇଛି
Rasmita Panigrahi

Rasmita Panigrahi

Advertisment

ରୋଗ ଶଯ୍ୟା ଉପରେ ଚାଲିଛି ଆଏଏସ୍ ହେବାର ପ୍ରସ୍ତୁତି। କଟକ ବଡ଼ ମେଡିକାଲ(ଏସ୍‌ସିବି) ଜଳାପୋଡ଼ା ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଜଣେ ମହିଳାଙ୍କ ଏଭଳି ପାଠପଢ଼ା ଓ ଆଇଏଏସ୍‌ ହେବା ଝୁଙ୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶାଶୁଘରେ ତାଙ୍କ ଉପରେ ଯୌତୁକ ନିର୍ଯାତନା ହୋଇଛି। ଶାଶୁଘର ଲୋକେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ରୋଗୀ ଶଯ୍ୟାରେ ବହୁଦୀର୍ଘ ସଂଘର୍ଷ ପରେ ସେ ସାମାନ୍ୟ ସୁସ୍ଥ ହେବା ପରେ କିଛିଦିନ ତଳେ ଆଇଏଏସ୍ ପରୀକ୍ଷା ଦେଇଥିଲେ। ହେଲେ ସ୍ୱପ୍ନ ସଫଳ ହୋଇନଥିବାରୁ ମେଡିକାଲ ଶଯ୍ୟାରେ ଯନ୍ତ୍ରଣା ସତ୍ତ୍ୱେ ସେ ଆଇଏଏସ୍‌ ହେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁରର ରଶ୍ମିତା ପାଣିଗ୍ରାହୀ।

Advertisment

ତାଙ୍କ ଜୀବନ ଯନ୍ତ୍ରଣାର କାହାଣୀ ଆପଣଙ୍କୁ ସିନେମାର କାହାଣୀ ଭଳି ଲାଗିପାରେ। ହେଲେ ଏ କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଯାହାର ହାତ ଧରି ଜୀବନ ଗଢିବାର ସ୍ୱପ୍ନ ଦେଖିଥିଲେ, ସେହି ସ୍ୱାମୀ ଓ ଏବଂ ତାଙ୍କ ଶାଶୁଘର ଲୋକେ ଏତେ ନିଷ୍ଠୁର ହୋଇପାରନ୍ତି ତାହାକୁ ସେ ବିଶ୍ୱାସ କରିପାରୁନାହାନ୍ତି। ୨୦୧୫ ମେ’ ୮ ତାରିଖରେ ରାୟଗଡା ଜିଲ୍ଲା ପଦ୍ମପୁରରେ ସେ ବିବାହ କରିଥିଲେ।

ରଶ୍ମିତା କହିଛନ୍ତି, ବିବାହର କିଛି ଦିନ ପରେ ଶାଶୁଘର ଲୋକେ ଆରମ୍ଭ କରିଥିଲେ ଅତ୍ୟାଚାର। ଯୌତୁକ ପାଇଁ ହୋଇଥିଲା ନିର୍ଯାତନା। ଏହି ଦୁଃଖଦ ସ୍ଥିତିରେ ସେ ଏକ କନ୍ୟାକୁ ଜନ୍ମ ଦେଇଥିଲେ। ଝିଅ ଜନ୍ମ ଦେବାରୁ ଅତ୍ୟାଚାର ସୀମା ଟପିଥିଲା। ଗତ ୨୦୨୨ ଅକ୍ଟୋବର ୨୮ ତାରିଖରେ କିରୋସିନି ପକାଇ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ସ୍ୱାମୀ ଓ ଦେଢଶୁର। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡାରୁ ଏସିସିବିକୁ ସ୍ଥାନାନ୍ତର କରାଯାଇଥିଲା। ଏସ୍‌ସିବି ପୋଡ଼ାଜଳା ବିଭାଗରେ ସେ ଦୀର୍ଘ ମାସ ଧରି ଚିକିତ୍ସା ହେବା ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି।

Advertisment
Rasmitaରଶ୍ମିତା

ପିଲାଟି ବେଳୁ ତାଙ୍କର ଆଇଏଏସ ହେବାର ସ୍ୱପ୍ନ ଥିଲା। ସେଥିପାଇଁ ଶାଶୁଘରେ ମଧ୍ୟ ପଢାପଢି କରୁଥିଲେ। ଆଉ ଏବେ ଟିକିଏ ସୁସ୍ଥ ହେବା ପରେ ମେଡିକାଲ ବେଡରେ ସ୍ୱପ୍ନକୁ ସାକାର କରିବା ପାଇଁ ଜୋରଦାର ଉଦ୍ୟମରେ ଲାଗି ପଡିଛନ୍ତି। ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ସେ ଜୀବନ ଯୁଦ୍ଧରେ ହାରି ନ ଯାଇ ଆଇଏଏସ୍ ହେବା ପାଇଁ ଜିଦ ଧରି ବସିଛନ୍ତି। ଚିକିତ୍ସା ଅବସ୍ଥାରେ ଗତ ମେ’ ମାସ ୨୮ ତାରିଖରେ ଆଇଏଏସ ପ୍ରିଲିମ ପରୀକ୍ଷା ଦେଇଛନ୍ତି।

ସେତେବେଳେ ସେ ହାତରେ ଲେଖିପାରୁ ନଥିଲେ, ତେଣୁ ତାଙ୍କୁ ପରୀକ୍ଷା ଖାତାରେ ଲେଖିବା ପାଇଁ ଜଣେ ସହାୟକ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ୟୁପିଏସସି କର୍ତ୍ତୃପକ୍ଷ। ହେଲେ ଏବେ ସେ ବାମ ହାତରେ ଲେଖାଲେଖି କରିପାରୁଛନ୍ତି। ସେହି ହାତର ବ୍ୟବହାର କରି ଆସନ୍ତା ବର୍ଷ ଆଇଏଏସ୍ ପରୀକ୍ଷା ଦେବା ପାଇଁ ସେ ପ୍ରସ୍ତୁତି କରୁଛନ୍ତି।

ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୁତି ନାୟକ କହିଛନ୍ତି ଗତ ବର୍ଷ ଅକ୍ଟୋବର ମାସରେ ରଶ୍ମିତାଙ୍କୁ ତାଙ୍କ ପରିବାର ଲୋକେ ଭର୍ତ୍ତି କରିଥିଲେ। ସେତେବେଳେ ତାଙ୍କ ଜୀବନ ବଞ୍ଚାଇବା ମଧ୍ୟ କଷ୍ଟକର ଥିଲା। ହେଲେ ଭଗବାନଙ୍କ ଆର୍ଶୀବାଦ ଓ ଉତ୍ତମ ଚିକିତ୍ସା ଯୋଗୁଁ ସେ ବଞ୍ଚି ପାରିଛନ୍ତି। ତାଙ୍କ ସହ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁଃଖଦାୟକ। ତାଙ୍କର ଆଗକୁ ଆହୁରି ମଧ୍ୟ ଅପରେଶନ ଆବଶ୍ୟକ ଅଛି। ହେଲେ ସେ ଯେଭଳି ନିଜକୁ ହସପିଟାଲ ବେଡରେ ରହି ପାଠ ପଢୁଛନ୍ତି ଏବଂ ଆଇଏଏସ୍ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ତାହା ସମସ୍ତ ଆଶ୍ଚର୍ଯ୍ୟ କରିବା ସହ ପ୍ରେରଣା ଯୋଗାଉଛି।

Cuttack Women Sword Fight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe