ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ । ତା’ପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଛନ୍ତି ଓ ସେଠାରେ ରାତ୍ରିଯାପନ କରିବେ ।

ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରୁଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ।

  • Published: Thursday, 09 January 2025
  • , Updated: 09 January 2025, 07:03 PM IST

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗ ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧାସଳଖ ରାଜଭବନ ଯାଇଛନ୍ତି । ରାଷ୍ଟ୍ରପତି ପହଂଚିବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ଶେଷ କରି ଫେରିଯାଇଛନ୍ତି ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ । ତା’ପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଛନ୍ତି ଓ ସେଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି ।

ସୂଚନାଯୋଗ୍ୟ, ଏହି ୩ଦିନିଆ ସମାରୋହକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଜନତା ମଇଦାନରେ ଆୟୋଜିତ ଏହି ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିଥିଲେ ।

Related story