President
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଏମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କୁ ଭେଟିଛନ୍ତି । ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନଥାଇ ମଧ୍ୟ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆତ୍ମହତ୍ୟା ଉଦ୍ୟମ କରି ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରିଛନ୍ତି। ଏପଟେ ଏହି ଘଟଣାରେ ବିଜେଡି ଓ କଂଗ୍ରେସ ପକ୍ଷରୁ ସରକାରଙ୍କୁ ତୀବ୍ର ସମାଲୋଚନା ଜାରି ରହିଥିବାବେଳେ କଲେଜର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ପୁଲିସ ଆଜି ଗିରଫ କରିଛି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨ଦିନିଆ ଗସ୍ତରେ ଆସି ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଂଚିବା ପରେ ସିଧାସଳଖ ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବରୁ ବାହାରିବା ପରେ ପୀଡ଼ିତା ଛାତ୍ରୀଙ୍କୁ ଭେଟିବାକୁ ରାଷ୍ଟ୍ରପତି ଇଚ୍ଛାବ୍ୟକ୍ତ କରିଥିଲେ । ଏମ୍ସ ହସ୍ପିଟାଲର ବର୍ଣ୍ଣିଂ ୱାର୍ଡକୁ ଯାଇ ପୀଡ଼ିତା ଛାତ୍ରୀର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ତାଙ୍କ ପରିବାର ଓ ଡାକ୍ତରୀ ଟିମ୍ ସହ ଆଲୋଚନା କରିଥିବା ଜଣାପଡ଼ିଛି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିଭାଇ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ଏପଟେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଏହି ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ବାଲେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ହୋଇଛି । ଜାତୀୟ କଂଗ୍ରେସର ମହିଳା ୱିଙ୍ଗ ଅଧ୍ୟକ୍ଷା ଅଲକା ଲାମ୍ବା ଓ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ସୋମବାର ପୂର୍ବାହ୍ନରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଦ୍ୟମ ଘଟଣାକୁ ନିନ୍ଦା କରିବା ସହ ସମଗ୍ର ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଏହାସହିତ ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତାଫା ଦିଅନ୍ତୁ ଓ ପ୍ରଧାନମନ୍ତ୍ରୀ ନିଜେ ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିଜେ ଓଡ଼ିଶାର ଝିଅ ଓ ତାଙ୍କର ଭୁବନେଶ୍ୱର ଏମ୍ସ କଲେଜକୁ ଗସ୍ତ ଥିବାରୁ ସେଠାରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିବା ନିମନ୍ତେ କଂଗ୍ରେସ ଦାବି କରିଥିଲା । ଏସବୁ ବ୍ୟତୀତ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ଆବଶ୍ୟକ ସଂସ୍କାର ଆଣିବାକୁ କଂଗ୍ରେସ ଦାବି କରି ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୁଦ୍ଧରେ ହିଂସା ମାତ୍ରାଧିକ ବୃଦ୍ଧି ପାଇଛି ଓ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।
କଂଗ୍ରେସର ଏଭଳି ଅଭିଯୋଗ ଉପରେ ଆଜି ଅପରାହ୍ନରେ ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସ ଏହି ସମ୍ବେଦନଶୀଳ ଘଟଣାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ହୀନ ରାଜନୀତି କରୁଛି । ଏଫଏମ୍ କଲେଜରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟ ବିଦାରକ । ଏହି ଘଟଣା ସମସ୍ତ ଓଡ଼ିଶାବାସୀଙ୍କୁ ଦୁଃଖ ଦେଇଛି । ରାଜନୀତିକ ଦଳ ହିସାବରେ ବିଜେପି ପାର୍ଟି ହେଉ କିମ୍ବା ଓଡ଼ିଶା ସରକାର ହୁଅନ୍ତୁ ସମେସ୍ତ ଏହି ଘଟଣାରେ ବ୍ୟଥିତ ଅଛନ୍ତି । ଓଡ଼ିଶା ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ଘଟଣା ଘଟିବାର ୬ଘଣ୍ଟା ମଧ୍ୟରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ କଲେଜ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ମଧ୍ୟ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଦିଲ୍ଲୀରୁ ଫେରି ପୀଡ଼ିତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।
ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ଛାତ୍ରୀଙ୍କୁ ଏମ୍ସ ହସ୍ପିଟାଲ ପଠାଇବାଠୁ ଆରମ୍ଭ କରି ନିରପେକ୍ଷ ତଦନ୍ତ କରାଇବା ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ କରିଛନ୍ତି । ଛାତ୍ରୀ ଆତ୍ମାହୂତି ଘଟଣା ପଛରେ ଛାତ୍ର କଂଗ୍ରେସର ନେତାମାନେ ଉସକାଇଥିବାର ପ୍ରମାଣ ସୋସିଆଲ ମିଡିଆରେ ଥିବା ସେ କହିଛନ୍ତି । ଜୁଲାଇ ୧ରେ ପୀଡ଼ିତା ଛାତ୍ରୀ ନିଜର ଅଭିଯୋଗ କରିଥିବାବେଳେ ଛାତ୍ର କଂଗ୍ରେସର ବାଲେଶ୍ୱର ଜିଲ୍ଲା ସମ୍ପାଦକ ସୋସିଆଲ ମିଡିଆରେ ଏହି ଅଭିଯୋଗକୁ ମିଛ ବୋଲି କହିଥିଲେ । ସେହିପରି ଛାତ୍ର କଂଗ୍ରେସର ଅନ୍ୟ ଜଣେ କର୍ମୀ ତାଙ୍କୁ ଆତ୍ମହତ୍ୟା କରିଦିଅ ବୋଲି ଲେଖିଥିଲେ । ତେଣୁ କଂଗ୍ରେସ ଶାସନରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ଛବିରାଣୀ ହତ୍ୟାଠୁ ଅଞ୍ଜନା ଗଣଦୁଷ୍କର୍ମ ମାମଲାକୁ ନେଇ ଶ୍ରୀ ତ୍ରିପାଠୀ ବର୍ଷିଥିଲେ ।
ବିଜେଡି ଓ କଂଗ୍ରେସ ପକ୍ଷରୁ ଆଜି ବାଲେଶ୍ୱରରେ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ବିଚାରବିଭାଗୀୟ ତଦନ୍ତ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।
ସୂଚନାଯୋଗ୍ୟ, ନିଜ ବିଭାଗର ଅଧ୍ୟାପକ(ବିଭାଗୀୟ ମୁଖ୍ୟ) ସମୀର କୁମାର ସାହୁଙ୍କ ବିରୁଦ୍ଧରେ ଇଣ୍ଟିଗ୍ରେଟେଡ୍ ବିଏଡ୍ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯାହାକୁ କଲେଜ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଏହି କମିଟି ଫେଲ୍ ମାରିଥିଲା । ନ୍ୟାୟ ପାଇବା ପାଇଁ ସବୁଆଡ଼ୁ ନିରାଶ ହେବାପରେ ଛାତୀଜଣକ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଥିଲେ ।
ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିବାବେଳେ ତାଙ୍କୁ ବଂଚାଇବାକୁ ଉଦ୍ୟମ କରିଥିବା ଅନ୍ୟଜଣେ ଛାତ୍ରୀ ପ୍ରାୟ ୭୦ ପ୍ରତିଶତ ପୋଡ଼ି ଏବେ ଚିକିତ୍ସିତ ହେଉଛନ୍ତି । ସରକାର ଏହି ପୀଡ଼ିତା ଛାତ୍ରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିସାରିଥିବାବେଳେ ସମଗ୍ର ଘଟଣାର ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/President__1752503030.jpg)