Advertisment

ଏ ମାଟିର ସ୍ନେହଶ୍ରଦ୍ଧା ପାଇଁ ଆଜି ମୁଁ ମହାମହୀମ; ତେଣୁ ନିଜ ମାଟିକୁ କେମିତି ଭୁଲି ପାରିବି?

ରାଷ୍ଟ୍ରପତି ଆହୁରି କହିଛନ୍ତି, ଗତବର୍ଷ ଜନ୍ମମାଟିକୁ ଆସିଥିଲି। ଆସିଲା ବେଳେ କେବେହେଲେ ଖାଲି ହାତରେ ଆସିନଥିଲି। ଟାଟାନଗର-ବାଦାମପାହାଡ଼ ମେମୋ ଟ୍ରେନ୍‌, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍‌ ଟ୍ରେନ୍‌, ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍‌ ଟ୍ରେନ୍‌ର ପ୍ରମୁଖ ଶୁଭାରମ୍ଭ କରିଥିଲି।

author-image
Manoranjan Sial
ଅଦ୍ୟତନ ହୋଇଛି
President Droupadi Murmu

President Droupadi Murmu

ଏ ମାଟି ଓ ଏ ମାଟିର ଲୋକଙ୍କ ଆଶୀର୍ବାଦ ପାଇଁ ଆଜି ମୁଁ ମହାମହୀମ ହୋଇଛି। ତେଣୁ ନିଜ ମାଟିକୁ କେମିତି ଭୁଲି ପାରିବି? ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ଏପରି କହିଛନ୍ତି ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ଆଜି ରାଷ୍ଟ୍ରପତି ନିଜ ଜନ୍ମମାଟି ରାଇରଙ୍ଗପୁର ମହୁଲଡିହାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ପରେ ସେ କହିଥିଲେ, ଭାରତ ସରକାରଙ୍କ ପ୍ରସାଦ ଯୋଜନାରେ ଖିଚିଂର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିରକୁ ଅନ୍ତର୍ଭୁକ୍ତ କରାଯାଇଛି। ଆମେ ସମସ୍ତେ ଜାଣିଛେ, ମୟୂରଭଞ୍ଜ ମାନେ ମା’ କିଚକେଶ୍ୱରୀ। ଆଉ ମା’ କିଚକେଶ୍ୱରୀ ମୟୂରଭଞ୍ଜକୁ ପରିଚୟ ଦେଇଛନ୍ତି। ସେଇଥିପାଇଁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ସାଧୁବାଦ ଜଣାଉଛି। ଗତବର୍ଷ ମେ’ ମାସରେ ଏଠାକୁ ଆସିଥିଲି। ଭାରତର ରାଷ୍ଟ୍ରପତି ହେବା ପରେ ତାହା ଥିଲା ଜନ୍ମମାଟିକୁ ମୋର ପ୍ରଥମ ଆଗମନ। ଏ ମାଟି ଓ ଏ ମାଟିର ଲୋକଙ୍କ ଆଶୀର୍ବାଦ ପାଇଁ ଆଜି ମୁଁ ମହାମହୀମ ହୋଇଛି। ତେଣୁ ନିଜ ମାଟିକୁ କେମିତି ଭୁଲି ପାରିବି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତି ଆହୁରି କହିଛନ୍ତି, ଗତବର୍ଷ ଜନ୍ମମାଟିକୁ ଆସିଥିଲି। ଆସିଲା ବେଳେ କେବେହେଲେ ଖାଲି ହାତରେ ଆସିନଥିଲି। ଟାଟାନଗର-ବାଦାମପାହାଡ଼ MEMU ଟ୍ରେନ୍‌, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍‌ ଟ୍ରେନ୍‌, ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍‌ ଟ୍ରେନ୍‌ର ପ୍ରମୁଖ ଶୁଭାରମ୍ଭ କରିଥିଲି। ଏହାଦ୍ୱାରା ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଶିଳ୍ପ ନଗରୀ ରାଉରକେଲାର ଲୋକମାନେ ଉପକୃତ ହେବେ। ଏହି ଅଞ୍ଚଳର ଉନ୍ନତି ଘଟୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ରେଳପଥ ପରି ସଡ଼କ ସେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବାଇପାସ୍‌ ରୋଡ଼୍‌ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଲୋକମାନେ କମ୍‌ ସମୟ ଭିତରେ ଯିବା ଆସିବା କରିପାରିବେ। ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କ୍ରିଡ଼ା କ୍ଷେତ୍ରରେ ଯୁବପୀଢ଼ୀଙ୍କୁ ଉତ୍ତମ ସୁଯୋଗ ପ୍ରଦାନ କରିବ। ଆପଣମାନେ ଜାଣିଛନ୍ତି ଏହି ମାଟିରୁ ମୁଁ ଦିନେ ପବ୍ଲିକ୍‌ ଲାଇଫ୍‌କୁ ଆସିଥିଲି। ପବ୍ଲିକ୍‌ ଲାଇଫ୍‌ ଥିବା ବେଳେ କ୍ରିଡ଼ା କ୍ଷେତ୍ରରେ ବିକାଶ ପାଇଁ ବହୁ ଉଦ୍ୟମ କରିଥିଲି। ଏବେ ସେହି ସମୟ ଆସିଯାଇଛି। ଏଥିରୁ ସେମାନେ ଫଳପ୍ରଦ ହୋଇପାରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଆହୁରି କହିଛନ୍ତି, ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ଭାଇ ଓ ଭଉଣୀ ବସବାସ କରୁଛନ୍ତି। ଇତି ମଧ୍ୟ ଭାରତ ସରକାର ଆଉ ଦୁଇ ପ୍ରକାର ଜାତିକୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହାଦ୍ୱାରା ଓଡ଼ିଶାରେ ଆଦିବାସୀଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ତାହାଛଡ଼ା ଉଚ୍ଚାରଣ ଓ ବନାନଗତ ଭିନ୍ନତା ଯୋଗୁ ଆଦିବାସୀ ମାନ୍ୟତା ପାଇନଥିବା କେତେକ ବର୍ଗକୁ ଆଦିବାସୀ ତାଲିକା ଭୂକ୍ତ କରାଯାଇଛି। ଏହାଦ୍ୱାରା ଦରକାରୀ ସୁବିଧାରୁ ବଞ୍ଚିତ ଅନେକ ଲୋକ ଉପକୃତ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରୁ ଝାରଖଣ୍ଡର ରାଞ୍ଚି ଆସିଥିଲେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ମୟୂରଭଞ୍ଜର ଖିଚିଂର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ଦର୍ଶନ କରିଥିଲେ। ୧୯୩୪ରେ ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରକୁ ଯାଇ ମା’ଙ୍କ ପାଖରେ ସ୍ୱତନ୍ତ୍ର ପୂଜା ସହ ଆଳତୀ କରିଥିଲେ। ପରେ ଚନ୍ଦ୍ରଶେଖର ମହାଦେବଙ୍କ ପୂଜାର୍ଚ୍ଚନା କରି କଦଳୀ ପତ୍ରରେ ଅନ୍ନପ୍ରସାଦ ସେବନ କରିଥିଲେ। ସାଙ୍ଗରେ ଥିଲେ ରାଷ୍ଟ୍ରପତିଙ୍କ ଝିଅଙ୍କ ସହ ରାଜ୍ୟପାଳ ରଘୁବର ଦାସ। କନିକା, ଡାଲି, ବେସର, ଶାଗ ଓ ଖିରି ଆଦି ସେବନ କରିଥିଲେ ସମସ୍ତେ।

ମାର୍ଚ୍ଚ ୨ ଯାଏଁ ଓଡ଼ିଶାରେ ରହିବେ ମହାମହିମ। ଆସନ୍ତାକାଲି କେନ୍ଦୁଝର ଯାଇ ଗୋନାସିକା କଦଳୀବାଡ଼ି ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ। ପରେ ଧରଣୀଧର ୟୁନିଭର୍ସିଟିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେଇଠୁ ଫେରି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର
ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ। ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Baripada President Droupadi Murmu