ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨୩ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ଥିରୀକୃତ ହୋଇଥିଲା ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • Published: Monday, 21 October 2024
  • , Updated: 21 October 2024, 09:40 PM IST

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨୩ରୁ ପ୍ରସ୍ତାବିତ ୩ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାଷ୍ଟ୍ରପତି ଭବନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରିବା ପରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨୩ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ଥିରୀକୃତ ହୋଇଥିଲା । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଥିଲା । କିନ୍ତୁ ସମ୍ଭାବ୍ୟ ବାତ୍ୟାବେଳେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକସ୍ତରରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେବ ଦର୍ଶାଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଷ୍ଟ୍ରପତି ଭବନକୁ ଲିଖିତ ଭାବେ ଅବଗତ କରାଯାଇଥିବା ସୂଚନା ମିଳିଛି ।

ଅବଶ୍ୟ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେହି ଆନୁଷ୍ଠାନିକ ସୂଚନା ଦେଇନାହାନ୍ତି । ମାତ୍ର ସମ୍ଭାବ୍ୟ ବାତ୍ୟା ଆଶଙ୍କା ଲାଗି ରହିଥିବାରୁ ରାଷ୍ଟ୍ରପତିଙ୍କ ୨୩ରେ ଓଡ଼ିଶା ଆସିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ୨୩ତାରିଖରେ ମୟୂରଭଞ୍ଜସ୍ଥିତ ନିଜ ଗାଁକୁ ଯାଇ ୨୪ରେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ବାର୍ଷିକ ଉତ୍ସବରେ ସାମିଲ ହୋଇ ଭୁବନେଶ୍ୱରରେ ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବ ଯୋଗ ଦେଇ ୨୫ତାରିଖରେ ଫେରିଯିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ସମ୍ଭାବ୍ୟ ବାତ୍ୟା ପୁରୀଠାରେ ଉପକୂଳ ଛୁଇଁବାର ଆଶଙ୍କା କରାଯାଉଥିବାରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରିଦିଆଯାଇଥିବା ଜଣାପଡ଼ିଛି ।

Related story