Advertisment

ସନ୍ଥ କବି ଭୀମ ଭୋଇଙ୍କ ଜନ୍ମପୀଠ ଓ ଜ୍ଞାନପ୍ରାପ୍ତି ପୀଠ ବୁଲିଲେ ରାଷ୍ଟ୍ରପତି

ସନ୍ଥ କବି ଭୀମ ଭୋଇଙ୍କ ଜନ୍ମପୀଠ ତଥା ପ୍ରାପ୍ତି ସ୍ଥାନ କୁହାଯାଉଥିବା ମଧୁପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ଵାଗତ କରିଥିଲେ ମହିମା ଧର୍ମାବଲମ୍ବୀ ସାଧୁ ସନ୍ଥ। ରାଷ୍ଟ୍ରପତି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

author-image
Manoranjan Sial
Sambalpur

Sambalpur

ସନ୍ଥ କବି ଭୀମ ଭୋଇଙ୍କ ଜନ୍ମପୀଠ ଓ ଜ୍ଞାନପ୍ରାପ୍ତି ସ୍ମୃତି ପୀଠ ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହ ମହିମା ସାଧୁ ସନ୍ଥଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଲେ। ଫେରିବା ବେଳେ ପିଲାମାନଙ୍କୁ ଚକୋଲେଟ୍‌ ବଣ୍ଟନ କଲେ। ମହାମହୀମଙ୍କୁ ପାଖରେ ଖୁସି ବ୍ୟକ୍ତ କରିଛନ୍ତି ସାଧୁସନ୍ଥ ଓ ସାଧାରଣ ଲୋକେ।

Advertisment

ଝାରସୁଗୁଡା ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରେଢ଼ାଖୋଲ ଅଭିମୁଖେ ଯାଇଥିଲେ ମହାମହୀମ ରାଷ୍ଟ୍ରପତି। ରେଢାଖୋଲ କଦଳୀଗଡ଼ ହେଲିପ୍ୟାଡ୍‌ରେ ନିର୍ଦ୍ଧାରିତ ସମୟରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରୀତା ସାହୁ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ତା’ପରେ ହେଲିପ୍ୟାଡ ସ୍ଥଳରୁ ମଧୁପୁରକୁ ସଡ଼କ ପଥରେ ଯାଇଥିଲେ ରାଷ୍ଟ୍ରପତି।

ସନ୍ଥ କବି ଭୀମ ଭୋଇଙ୍କ ଜନ୍ମପୀଠ ତଥା ପ୍ରାପ୍ତି ସ୍ଥାନ କୁହାଯାଉଥିବା ମଧୁପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ଵାଗତ କରିଥିଲେ ମହିମା ଧର୍ମାବଲମ୍ବୀ ସାଧୁ ସନ୍ଥ। ରାଷ୍ଟ୍ରପତି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଚଉଷଠୀ ସିଦ୍ଧଙ୍କର ଧୁନିରେ ଘୃତ ଆହୁତ କରିଥିଲେ। ତା’ପରେ ନଡ଼ିଆ ଅର୍ପଣ କରିଥିଲେ। ମହିମା ସାଧୁମାନଙ୍କ ସହ ରାଷ୍ଟ୍ରପତି କିଛି ସମୟ ଆଲୋଚନା କରିଥିଲେ। ତା’ପରେ ରାଷ୍ଟ୍ରପତି ଜ୍ଞାନପ୍ରାପ୍ତି ସ୍କୃତିପୀଠ କନ୍ଧରା ଆଶ୍ରମକୁ ଯାଇ ସ୍କୃତି କୂପରେ ପୂଜାର୍ଚ୍ଚନା କରିଥିଲେ। ସେଠାରେ ଚାଲିଥିବା ଧୁନିରେ ରାଷ୍ଟ୍ରପତି ଘୃତ ଢାଳି ଥିଲେ।

Advertisment

ଜ୍ଞାନପ୍ରାପ୍ତି ସ୍କୃତିପୀଠ ପରିଦର୍ଶନ କରିବା ପରେ ରାଷ୍ଟ୍ରପତି ସଡ଼କ ପଥରେ କଙ୍କନପଡା ଗାଁରେ ଥିବା ସନ୍ଥଙ୍କ ଆଶ୍ରମକୁ ଯାଇଥିଲେ। ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଘୃତ ଦୀପଦେଇ ଅଖଣ୍ଡ ଜ୍ୟୋତି ପ୍ରଜ୍ଵଳନ କରିଥିଲେ। ତା’ପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଆଶ୍ରମ ବାହାରେ ପ୍ରବଳ ଜନ ଗହଳି ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଲୋକମାନେ ଅପେକ୍ଷା କରିଥିଲେ। ଆଶ୍ରମ ଛାଡ଼ିବା ବେଳେ ଗାଁ ଲୋକଙ୍କୁ ଭେଟିଥିଲେ। ଛୋଟ ଛୋଟ ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଥିଲେ ରାଷ୍ଟ୍ରପତି।

ରାଷ୍ଟ୍ରପତି ଆଶ୍ରମରୁ ଆସି ରେଢାଖୋଲ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। କିଛି ସମୟ ବିଶ୍ରମ ନେବା ପରେ ମିନି ଷ୍ଟାଡିୟମ୍‌ରେ ମହିମା ଧର୍ମ ଉପାସକଙ୍କ ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମନ୍ତ୍ରୀ ରୀତା ସାହୁ ମଧ୍ୟ ଯୋଗଦେଇଥିଲେ।

ଏହି ଅବସରରେ ନିଜ ଅବିଭାଷଣରେ ରାଷ୍ଟ୍ରପତି ମହିମା ଧର୍ମ ଓ ସନ୍ଥ କବି ଭୀମ ଭୋଇଙ୍କ ସାହିତ୍ୟ ସାଧନା କିପରି ସମାଜକୁ ଦିଗଦର୍ଶନ ଦେଇଛି, ତାହା ଉପରେ ଆଲୋକପାତ କରିଥିଲେ। ୩ଟି ପୀଠ ପରିଦର୍ଶନ ପରେ ସେ ଅପାର ଆନନ୍ଦ ଲାଭ କରିଛନ୍ତି ବୋଲି କହିଥିଲେ। ସନ୍ଥ କବିଙ୍କ ପ୍ରଚାର ପ୍ରସାର ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ଆଜିର ଦିନ ସ୍କୃତିରେ ଅମ୍ଲାନ ହୋଇ ରହିବ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏଥିସହ କମାଣ୍ଡାଣ୍ଟ ସ୍ତରର ୮ ଜଣ ଅଧିକାରୀ, ଅତିରିକ୍ତ Sp ପାହ୍ୟାର ୫ ଜଣ ଓ DSP ସ୍ତରର ୨୩ ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱ ରହିଥିଲେ।

Sambalpur President Of India Draupadi Murmu