୨୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, ନିଜ ଗାଁ’ ଲୋକଙ୍କୁ ଭେଟିବେ

ବାଙ୍ଗିରିପୋଷିରେ କାର୍ଯ୍ୟକ୍ରମ ସରିବା ପରେ ସେହିଦିନ ମଧ୍ୟାହ୍ନ ୧୨ଟାରେ ରଙ୍ଗମାଟିଆ ହେଲିପ୍ୟାଡରେ ଓହ୍ଲାଇ ନିକଟସ୍ଥ ଉପରବେଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • Published: Tuesday, 15 October 2024
  • , Updated: 15 October 2024, 10:45 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୟୂରଭଞ୍ଜରେ ନିଜ ଗାଁ ସ୍ଥିତ ଘରକୁ ଯାଇ ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ ଓ ରାତ୍ରିଯାପନ କରିବା ସହ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ସଚିବ ମନୋଜ ଆହୁଜା ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁୁର୍ମୁ ଚଳିତମାସ ୨୩ତାରିଖରେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନରେ ଆସି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିସ୍ଥିତ ହେଲିପ୍ୟାଡ଼ରେ ସକାଳ ୯ଟା ୫୫ମିନିଟରେ ପହଂଚିବେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ବିଭିନ୍ନ ରେଳ ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭର୍ଚୁଆଲ ମୋଡରେ ରାଇରଙ୍ଗପୁରଠାରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ ଓ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ବାଙ୍ଗିରିପୋଷିରେ କାର୍ଯ୍ୟକ୍ରମ ସରିବା ପରେ ସେହିଦିନ ମଧ୍ୟାହ୍ନ ୧୨ଟାରେ ରଙ୍ଗମାଟିଆ ହେଲିପ୍ୟାଡରେ ଓହ୍ଲାଇ ନିକଟସ୍ଥ ଉପରବେଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ । ଦିନ ୧ଟା ୧୦ରୁ ୧ଟା ୪୦ମିନିଟ୍ ମଧ୍ୟରେ ଉପରବେଡ଼ାସ୍ଥିତ ନିଜ ଘରେ ରହି ଗାଁ ଲୋକଙ୍କ ସହ ଆଲୋଚନା କରିବେ । ରାଇରଙ୍ଗପୁରରେ ମଧ୍ୟାହ୍ନ ଭୋଜନ ପରେ ସ୍ଥାନୀୟ ଉପଖଣ୍ଡ ମେଡିକାଲରେ ଏଏଲଏସ୍ ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ଆମ୍ବୁଲାନ୍ସକୁ ପତାକା ଦେଖାଇ ଲୋକାର୍ପଣ କରିବେ । ପରେ ସ୍ଥାନୀୟ ମହିଳା କଲେଜକୁ ଗସ୍ତ କରି ଅଧ୍ୟାପିକା ଓ ଛାତ୍ରୀମାନଙ୍କ ସହ ଭାବବିନିମୟ କରିବେ । ସନ୍ଧ୍ୟାରେ ରାଇରଙ୍ଗପୁରସ୍ଥିତ ପୁଣ୍ୟେଶ୍ୱର ମହାଦେବ ମନ୍ଦିରର ନବନିର୍ମିତ ଗଣେଶ ମୂର୍ତ୍ତି ଅନାବରଣ କରିବା ପରେ ରାଇରଙ୍ଗପୁରରେ ରାତିଯାପନ କରିବେ ।

୨୪ତାରିଖ ସକାଳୁ ବାୟୁସେନା ବିମାନରେ ପୁରୀ ଅଭିମୁଖେ ଗସ୍ତ କରି ୧୦ଟା ୪୫ମିନିଟରେ ତାଳବଣିଆ ହେଲିପ୍ୟାଡ଼ରେ ଓହ୍ଲାଇବେ । ସେଠାରୁ ସିଧାସଳଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ୧୨ଟା ୧୦ମିନିଟରେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଅପରାହ୍ନରେ ଭୁବନେଶ୍ୱର ଫେରି ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସନ୍ଧ୍ୟା ୬ଟାରେ ନବନିର୍ମିତ ବିଚାରବିଭାଗୀୟ କୋର୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ । ୨୪ତାରିଖରେ ରାଜଭବନରେ ରାତ୍ରିଯାପନ କରିବେ । ୨୫ତାରିଖ ସକାଳ ସାଢ଼େ ୯ଟାରେ ନିଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ୧୦ଟା ୨୦ମିନିଟରେ ଭୁବନେଶ୍ୱରରୁ ରାୟପୁର ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ଏହି ସମୀକ୍ଷା ବୈଠକରେ ମୟୂରଭଞ୍ଜ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାପାଳମାନେ ସାମିଲ ଥିଲେ ଓ ସେମାନଙ୍କୁ ଗସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ତଦାରଖ କରିବାକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

Related story