ଦ୍ୱିଗୁଣ ହେବ ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା

ଆଲୋଚନାବେଳେ କେନ୍ଦ୍ର ଇସ୍ପାତ ସଚିବ ସୂଚନା ଦେଇ କହିଥିଲେ ଯେ, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ କରାଯିବ । ଏହାର ଉତ୍ପାଦନ କ୍ଷମତାକୁ ୪.୫ ମିଲିୟନ ଟନରୁ ୯ ମିଲିୟନ ଟନକୁ ବୃଦ୍ଧି କରାଯିବ । ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ।

ରାଉରକେଲା ଇସ୍ପାତ କାରଖାନା

  • Published: Thursday, 29 August 2024
  • , Updated: 29 August 2024, 10:40 PM IST

 ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ଦ୍ୱିଗୁଣ ବୃଦ୍ଧି ପାଇବ । ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନରୁ ୯ ମିଲିୟନ ଟନକୁ ବୃଦ୍ଧି କରାଯିବ । କେନ୍ଦ୍ର ଇସ୍ପାତ ସଚିବ ସନ୍ଦୀପ ପୌଣ୍ଡ୍ରିକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏହି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ କେନ୍ଦ୍ର ଇସ୍ପାତ ସଚିବ ଶ୍ରୀ ପୌଣ୍ଡ୍ରିକ ସାକ୍ଷାତ କରି ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନାବେଳେ ରାଉରକେଲା ଇସ୍ପାତ କାରଖାନା, ଏନଏମଡିସି ଓ ଇସ୍ପାତ ବିଭାଗ ଅଧୀନସ୍ଥ ବିଭିନ୍ନ ପିଏସୟୁର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଲୋଚନାବେଳେ କେନ୍ଦ୍ର ଇସ୍ପାତ ସଚିବ ସୂଚନା ଦେଇ କହିଥିଲେ ଯେ, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ କରାଯିବ । ଏହାର ଉତ୍ପାଦନ କ୍ଷମତାକୁ ୪.୫ ମିଲିୟନ ଟନରୁ ୯ ମିଲିୟନ ଟନକୁ ବୃଦ୍ଧି କରାଯିବ । ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ । ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଉରକେଲା ଆଇଜିଏଚ୍ ହସ୍ପିଟାଲ ଓ ଅନ୍ୟ ଖଣି ଅଂଚଳରେ ବିଭିନ୍ନ ବିଭାଗୀୟ ପିଏସୟୁ ଦ୍ୱାରା ପରିଚାଳିତ ହେଉଥିବା ହସ୍ପିଟାଲଗୁଡ଼ିକରେ ଅଧିକ ଉନ୍ନତି ଅଣାଯିବା ଆବଶ୍ୟକ । ଏହାଦ୍ୱାରା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ । ଇସ୍ପାତ ମନ୍ତ୍ରଣାଳୟର ବିଭିନ୍ନ ପିଏସୟୁମାନେ ନିଜର କର୍ପୋରେଟ ସାମାଜିକ ଦାୟିତ୍ୱ ପାଣ୍ଠି ସହାୟତାରେ ଓଡ଼ିଶାରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ରାଜ୍ୟ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related story