Advertisment

ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ସୁବିଧା, ଏଣିକି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ

ସାଧାରଣ ନିର୍ବାଚନ ପୂର୍ବରୁ ପଂଚାୟତସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଖୁସି କରିବାକୁ ରାଜ୍ୟ ସରକାର ଜୋରଦାର ପ୍ରୟାସ କରିଛନ୍ତି।

author-image
Ordigital Desk
Loka Seva Bhavan

Loka Seva Bhavan

ସାଧାରଣ ନିର୍ବାଚନ ପୂର୍ବରୁ ପଂଚାୟତସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଖୁସି କରିବାକୁ ରାଜ୍ୟ ସରକାର ଜୋରଦାର ପ୍ରୟାସ କରିଛନ୍ତି। ଗତ ସପ୍ତାହରେ ପଂଚାୟତରେ ୭୧୪୨ଟି ନୂଆ ଆକାଉଣ୍ଟାଣ୍ଟ ପଦବୀ ସୃଷ୍ଟି କରି ସେଥିରେ ୩୦% ପଦବୀକୁ ଗ୍ରାମ ରୋଜଗାର ସେବକଙ୍କ ପାଇଁ ସଂରକ୍ଷିତ ରଖିଥିବା ରାଜ୍ୟ କ୍ୟାବିନେଟ୍ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ)ର ପୁନର୍ଗଠନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହାଫଳରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ମିଳିବା ସହ ସେମାନଙ୍କ ପ୍ରାରମ୍ଭିକ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ତିନି ବା ସ୍ନାତକସ୍ତରକୁ ବୃଦ୍ଧି କରାଯାଇଛି।

Advertisment

ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀର ପୁନର୍ଗଠନକୁ ଅନୁମୋଦନ ମିଳିଛି। ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିଯୁକ୍ତି ଓ ସର୍ତ୍ତବଳୀକୁ ପରିଚାଳନା ପାଇଁ ୨୦୨୧ ମସିହାରେ ଏହି ନିୟମାବଳୀ ଗଠନ କରାଯାଇଥିଲା। ତେବେ ସେଥିରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ପଦୋନ୍ନତି ପାଇଁ କୌଣସି ବ୍ୟବସ୍ଥା ନଥିଲା।

ତେଣୁ ଏବେ ପ୍ରଚଳିତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ପଦଗୁଡ଼ିକୁ ତୃତୀୟ ଶ୍ରେଣୀରେ ପାହ୍ୟାବୃଦ୍ଧି କରାଗଲା। ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପେ ଲେଭଲ-୫) (ମଞ୍ଜୁରୀପ୍ରାପ୍ତ ପଦବୀ-୩୫୦୦), ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-୨(ପେ ଲେଭଲ-୭) (ମଞ୍ଜୁରୀପ୍ରାପ୍ତ ପଦବୀ-୨୦୩୦) ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-୧(ପେ ଲେଭଲ-୯)(ମଞ୍ଜୁରୀପ୍ରାପ୍ତ ପଦବୀ-୧୨୬୪)। ଯାହାଫଳରେ ଗ୍ରାମ ପଂଚାୟତରେ କାର୍ଯ୍ୟ କରୁଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କ ପାଇଁ ପଦୋନ୍ନତି ପାଇବାର ମାର୍ଗ ପ୍ରଶସ୍ତ ହୋଇଛି।

Advertisment

ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିୟମିତ ୮ବର୍ଷ ଚାକିରି ସମ୍ପୂର୍ଣ୍ଣ କରିଥିଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-୨ ପଦବୀକୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ। ସେହିପରି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-୨ମାନେ ନିୟମିତ ୫ବର୍ଷ ଚାକିରି ସମ୍ପୂର୍ଣ୍ଣ କଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-୧ ପଦବୀକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହେବେ।