Advertisment

ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଏଇମାନେ ହେବେ ନିମନ୍ତ୍ରିତ ଅତିଥି

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ।

author-image
Manoranjan Sial
undefined

Jagannath Temple

ପାଖେଇ ଆସୁଛି ଲୋକାର୍ପଣ ତାରିଖ। ବଢୁଛି ଉତ୍କଣ୍ଠା। ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖି ଝଲସା ସୌନ୍ଦର୍ଯ୍ୟ। ଭବ୍ୟ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜୋରସରରେ ଲାଗି ପଡ଼ିଛି। ଲୋକାର୍ପଣ ଉତ୍ସବରେ ଅତିଥି ହେବେ ବହୁ ମାନ୍ୟଗଣ୍ୟ।

Advertisment

ସୂଚନା ଅନୁସାରେ, ରାଜ୍ୟ ଓ ରାଜ୍ୟ ବାହାରୁ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ପ୍ରମୁଖ ଧାର୍ମିକ ସ୍ଥଳୀଙ୍କୁ ମିଶାଇ ମୋଟ ୮୫୭ ଦେବସ୍ଥାନକୁ ନିମନ୍ତ୍ରଣ ପତ୍ର ପଠାଯିବ। ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୬୮, ଗଂଜାମରୁ ୬୦, କଟକ ଓ ଖୋର୍ଦ୍ଧାରୁ ୫୮ଟି ଲେଖାଏଁ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣପତ୍ର ପଠାଯିବ। ବଡ଼ ଅତିଥିମାନଙ୍କ ମଧ୍ୟରେ ୪ ଧାମର ଶଙ୍କରାଚାର୍ଯ୍ୟ, ପ୍ରମୁଖ ଧର୍ମପୀଠମାନଙ୍କରୁ ସାଧୁସନ୍ଥଙ୍କ ସହ ନେପାଳ ରାଜାଙ୍କୁ ଡ଼କାଯିବ। ଏଥିପାଇଁ ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ଟିମ୍ ଭାଗ ଭାଗ ହୋଇ ବାହାରିବେ। ସେମାନେ ଅତିଥିଙ୍କୁ ଏକ ଇନଭିଟେସ୍ କିଟ୍ ପ୍ରଦାନ କରିବେ। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣପତ୍ର ସହ, ମହାପ୍ରଭୁଙ୍କ ଓଲାଗି ଧ୍ୱଜା, ମହାପ୍ରସାଦ ଓ ପରିକ୍ରମା ପ୍ରକଳ୍ପର ବିବରଣୀ ପୁସ୍ତିକା ସଜେଇ ରଖାଯିବ।

ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ। ଯେଉଁଠି ଶ୍ରୀମନ୍ଦିରର ସ୍ୱର୍ଣ୍ଣିମ ଇତିହାସ, ମହାପ୍ରଭୁଙ୍କ ଲୀଳା, ବେଶ ଓ ଯାନିଯାତର ପ୍ରତିକୃତି ପ୍ରଦର୍ଶନ କରାଯିବ। ଏଥିସହ ମ୍ୟୁନିସିପାଲିଟି ମାର୍କେଟରେ ଏକ ଲେଜର ସୋ ଚାଲିବ। ସେଥିରେ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନର ଗାଥା ପ୍ରଦର୍ଶନ ହେବ। ତାହା ସହ ଉତ୍ସବ ସମୟରେ ସମଗ୍ର ପୁରୀ ସହରକୁ ଆଲୋକୀକରଣ କରିଯିବ। ତାଛଡ଼ା ଅନ୍ୟ ସମସ୍ତ ଛୋଟବଡ଼ ମଠ ମନ୍ଦିରକୁ ସଜ୍ଜିତ କରାଯିବ। ପୁରୀ ସହରବାସୀଙ୍କୁ ନିଜ ଘରେ ଦୀପ ଜାଳି ଅତିଥିଙ୍କୁ ସ୍ୱାଗତ ପାଇଁ ମଧ୍ୟ ନିବେଦନ କରିଛି ଜିଲ୍ଲା ପ୍ରଶାସନ। ତେଣେ ଲୋକାର୍ପଣ ଉତ୍ସବ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ, ସେମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତି ଉପରେ ଜୋର ଦେଇଛନ୍ତି ଭକ୍ତ ଓ ସେବାୟତ।

Advertisment
Puri Shreemandir Puri Sri Jagannath Lord Jagannath