Advertisment

ଡିସେମ୍ବର ୧୬ରୁ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଡ୍ରେସକୋର୍ଡ ଓ ପାନଗୁଟୁକା ଉପରେ କଟକଣା କଡାକଡି କରାଯିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri Temple

Puri Temple

ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର। ଏଥିସହ ଅନ୍ୟନ୍ୟ ନୀତିକୁ ଶୃଙ୍ଖଳିତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

Advertisment

ଡିସେମ୍ବର ୩୧ ରବିବାର ପଡ଼ୁଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାତ୍ରପହୁଡ ଓ ଦିନ ପହୁଡ କରାଯିବ କି ନାହିଁ ସେହି ସମୟରେ ନିତିକାନ୍ତିକୁ ଦେଖି ନିଷ୍ପତ୍ତି ନିଆଯିବ। ଜାନୁଆରୀ ୧୫ ଓ ଜାନୁଆରୀ ୨୫ରେ ଦେବାଭିଶେକ ନିତି ନିର୍ଘଣ୍ଟ ସ୍ଥିର କରାଯାଇଛି।

ଅନ୍ୟପକ୍ଷରେ ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଡ୍ରେସକୋର୍ଡ ଓ ପାନଗୁଟୁକା ଉପରେ କଟକଣା କଡାକଡି କରାଯିବ। ନୂଆବର୍ଷରୁ ଦିବ୍ୟାଙ୍ଗ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣ ହେବ ଛାୟା ସେଡ୍ ବା ଟନେଲ। ଏଥିରେ ସେଣ୍ଟ୍ରାଲ ଏସିର ସୁବିଧା ସହ ବିଶୁଦ୍ଧ ପାନୀୟ ଜଳ, ବସିବା ପାଇଁ ଚେୟାର ଆଦି ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ପାର୍କିଂ ସ୍ଥଳକୁ ଚଉଡା କରାଯାଇ ଦୁଇହଜାର ଭକ୍ତଙ୍କ ବସିବା ପାଇଁ ବିଶ୍ରାମାଗାର କରାଯିବ। କୃଷ୍ଣ ସିନେମାହଲ ଗଳିରେ ଭକ୍ତମାନେ ଜୋତା, ମୋବାଇଲ ଏବଂ ଆସବାବପତ୍ର ରଖିବା ପାଇଁ ଷ୍ଟାଣ୍ଡ ନିର୍ମାଣ କରାଯିବ।

Advertisment

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ରହିଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ଅତିଥି ଯୋଗଦାନ କରିବେ। ସମସ୍ତଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଭିନ୍ନ
ସେବାୟତ ନିଯୋଗ ସହ ଆଲୋଚନା କରାଯାଇଛି। ଅତିଥି ମାନଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂରେ ସ୍ୱତନ୍ତ୍ର ଲେଜର ସୋ'ର ବ୍ୟବସ୍ଥା କରାଯିବ। ଯାହାକି ଅତିଥି ମାନେ ପୁରୀ ଓ ମହାପ୍ରଭୁଙ୍କ ସମ୍ବନ୍ଧରେ ସୂଚନା ପାଇବା ସହ ପରିକ୍ରମା ପ୍ରକଳ୍ପ ଉପରେ ଅବଗତ ହୋଇପାରିବେ।

ନିତି ସବକମିଟି ବୈଠକରେ ଆନନ୍ଦବଜାରର ସୃଙ୍ଖଳା ଆଣିବା ପାଇଁ ମଧ୍ୟ ଆଲୋଚନା ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ନେଇ ସୁଆରମହାସୁଆର ନିଯୋଗ ସହ ଆଲୋଚନା କରାଯାଇଛି। ଆନନ୍ଦବଜାରକୁ ବ୍ୟବସ୍ଥିତ କରାଯିବ। ଆନନ୍ଦବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ସେବନ କରିପାରିବେ ନାହିଁ ଭକ୍ତ। ଆନନ୍ଦବଜାର ପରିସରରେ କେବଳ ମହାପ୍ରସାଦ ବିକ୍ରି ହୋଇପାରିବ। ଆନନ୍ଦବଜାରରୁ ଜରିପାଲ ହଟାଯାଇ ସ୍ୱତନ୍ତ୍ର ସେଡ୍ ନିର୍ମାଣ କରାଯିବ। ଏଥିସହିତ ଆନନ୍ଦବଜାରରେ ଥିବା ୩ ଓ ୧୪ ନମ୍ବର ଖଜା ଦୋକାନ ଭଙ୍ଗାଯାଇ ଆନନ୍ଦ ବଜାରକୁ ଭକ୍ତଙ୍କ ଲାଗି ପ୍ରଶସ୍ତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହ ପହିଲି ଭୋଗ ନିତି ନିର୍ଘଣ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Puri Shreemandir Puri