Advertisment

ଭୁବନେଶ୍ୱରରେ ଚାଲିବ ଡବଲଡେକର ଏସି ବସ୍; କଳ୍ପନାରୁ ରବି ଟକିଜ୍ ଛକ ପର୍ଯ୍ୟନ୍ତ ହେବ ଫ୍ଲାଏଓଭର

ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଶିଶୁଭବନରୁ ମାଉସୀମା’ ଛକ ପର୍ଯ୍ୟନ୍ତ ଆଉ ଗୋଟିଏ ଆରଓବି ଏବଂ ଭୁବନେଶ୍ୱର ଚାରିପାଶ୍ୱର୍ରେ ରିଂରୋଡ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା।

ଅଦ୍ୟତନ ହୋଇଛି
Representational Image

Representational Image

Advertisment

ରାଜଧାନୀ ଭୁବନେଶ୍ୱରରେ ଯାତାୟତ ସୁବିଧା ପାଇଁ ଖୁବଶୀଘ୍ର ଡବଲଡେକର ଏସି ଇ-ବସ୍ ଚଳାଚଳ କରିବ। ଏହାସହ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ କଳ୍ପନାରୁ ରବିଟକିଜ୍ ଛକ ପର୍ଯ୍ୟନ୍ତ ନୂଆ ଫ୍ଲାଏଓଭର, ଶିଶୁଭବନରୁ ମାଉସୀମା’ ଛକ ପର୍ଯ୍ୟନ୍ତ ଆଉ ଗୋଟିଏ ଆରଓବି ଏବଂ ଭୁବନେଶ୍ୱର ଚାରିପାଶ୍ୱର୍ରେ ରିଂରୋଡ୍ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି।

Advertisment

ସୂଚନା ଅନୁସାରେ, ଓଡ଼ିଶାରେ ଖୁବଶୀଘ୍ର ଡବଲଡେକର ଶୀତତାପ ନିୟନ୍ତ୍ରିତ ଇ-ବସ୍ ଚଳାଚଳ କରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ପକ୍ଷରୁ ଡିସେମ୍ବର ୫ତାରିଖରେ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ପୁରୀ ମଧ୍ୟରେ ୫ଟି ଡବଲଡେକର ଇ-ବସ ଚଳାଚଳ କରିବ। ଗ୍ରସ୍ କଷ୍ଟ କଣ୍ଟ୍ରାକ୍ଟ(ଜିସିସି) ମଡେଲରେ ରାଜ୍ୟ ସରକାର ଏହି ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। କ୍ରୁଟ୍ ପକ୍ଷରୁ ଏନେଇ ଟେଣ୍ଡର ଆହ୍ୱାନ କରାଯାଇଛି ଓ ଡିସେମ୍ବର ୨୦ତାରିଖ ଟେଣ୍ଡର ଦାଖଲର ଶେଷଦିନ ରହିଛି। ଯେଉଁ ସଂସ୍ଥା ସର୍ବନିମ୍ନ ବିଡର ହେବ ତାକୁ ୧୦ବର୍ଷ ପାଇଁ ଓ ପରେ କର୍ତ୍ତୃପକ୍ଷ ଚାହିଁଲେ ଆଉ ୨ବର୍ଷ ଅଧିକ ଏହି ବସ୍ ଚଳାଚଳ କରିବାକୁ ସୁଯୋଗ ମିଳିବ।

ଏହି ବସ୍ ଚଳାଚଳ, ମରାମତି ଓ ଯୋଗାଣ ଆଦି ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ସଂସ୍ଥାର ରହିବ। ସରକାର ଅବା କ୍ରୁଟ ଏଥିପାଇଁ କୌଣସି ଅର୍ଥ ଖର୍ଚ୍ଚ କରିବେ ନାହିଁ। ସମସ୍ତ ମାଲିକାନା ଉକ୍ତ ସଂସ୍ଥା ନାଁରେ ରହିବ ବୋଲି ଟେଣ୍ଡର ଦସ୍ତାବିଜରେ ଉଲ୍ଲେଖ ରହିଛି। ଏହି ବସ୍ ପ୍ରତିଦିନ ସକାଳ ସାଢ଼େ ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବାଧିକ ୨୦୦କିମି ଚାଲିବ ବୋଲି ଜଣାପଡ଼ିଛି। ଏଥିପାଇଁ ସରକାର ମଧ୍ୟ ବସଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି। ଜିସିସି ମଡେଲରେ ଏହି ଡବଲଡେକର ବସ୍ ଚଳାଇବାକୁ ସରକାର ଅନୁମତି ଦେବାପରେ କ୍ରୁଟ୍ ପକ୍ଷରୁ ଏହି ଟେଣ୍ଡର ଆହ୍ୱାନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ନିଜେ ବସ୍ ନକିଣି ହେଉଥିବା ଜିସିସି ମଡେଲରେ ଏହା ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ସେହିପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୂର୍ତ୍ତ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ଚଳାଚଳ ଓ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଯୋଜନା ଉପସ୍ଥାପିତ ହୋଇଥିଲା। ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସହରରେ ଏକାଧିକ ସଡ଼କ, ଫ୍ଲାଏଓଭର, ରେଳଓଭର ବ୍ରିଜ(ଆରଓବି) ଏବଂ ରିଙ୍ଗରୋଡ୍ ନିର୍ମାଣ ପାଇଁ ଯୋଜନା ହେଉଥିବା ଜଣାପଡ଼ିଛି।

ପୂର୍ତ୍ତ ବିଭାଗ ପକ୍ଷରୁ ଉପସ୍ଥାପିତ ପ୍ରକଳ୍ପ ଯୋଜନାରେ ଭୁବନେଶ୍ୱରର ଶିଶୁଭବନ ଛକରୁ ମାଉସୀମା’ ଛକ ମଧ୍ୟରେ ଆଉ ଏକ ଆରଓବି, କଳ୍ପନା ଛକ-ମ୍ୟୁଜିୟମ-ରବି ଟକିଜ୍ ଛକ ପର୍ଯ୍ୟନ୍ତ ନୂଆ ଫ୍ଲାଏଓଭର, ଜୟଦେବ ବିହାର-ନନ୍ଦନକାନ ନୂଆ ରାସ୍ତା, ଦୟାୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗରୋଡ୍ , ମାଥମେଟିକସଠାରୁ ଏକାମ୍ରକାନନ ପର୍ଯ୍ୟନ୍ତ ନୂଆ ରାସ୍ତା, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଙ୍ଗରୋଡ୍ ନିର୍ମାଣ ପାଇଁ ଯୋଜନା ରହିଥିବା ନେଇ ପ୍ରସ୍ତାବିତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗ ଉପସ୍ଥାପନ କରିଥିଲା।

ସେହିପରି ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ଭୁବନେଶ୍ୱର-କଟକ-ପୁରୀ ଇକୋନୋମିକ୍ ରିଜିଅନ୍ ଗଠନ ଏବଂ ଗ୍ରେଟର ଭୁବନେଶ୍ୱର ଗଠନ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି।

Bhubaneswar News Bhubaneswar Traffic PWD Department New Fly Over In Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe