Advertisment

ଶ୍ରେଣୀ ଗୃହରେ ଲହଡ଼ି ମାରୁଛି ବର୍ଷା ପାଣି; କିନ୍ତୁ ଛୁଟି ହେଉନି ସ୍କୁଲ!

ବର୍ଷା ଆସିଲେ ପିଲାଙ୍କ ଦୁଃଖ ବଢ଼େ। ସ୍କୁଲ ଛାତରୁ ଗଳୁଛି ବର୍ଷା ପାଣି। ଶ୍ରେଣୀ ଗୃହ ଭିତରେ ବର୍ଷା ପାଣି ଲହଡି ମାରୁଛି। ସେଇଥିରେ ପିଲାମାନେ ଓଦା ହୋଇ ପାଠ ପଢ଼ୁଛନ୍ତି। ବେଳେ ବେଳେ ଏମିତି ହୁଏ ସ୍କୁଲ ପାଖରେ ଥିବା ପାହାଡ଼ର ପାଣି ଶ୍ରେଣୀ ଗୃହ ଭିତରେ ପଶି ଯାଉଛି।

Nuapada

Nuapada

Advertisment

ଛାତରୁ ଗଳୁଛି ବର୍ଷା ପାଣି। ଆଉ ପାହାଡ଼ି ପାଣି ଶ୍ରେଣୀ ଗୃହରେ ପଶି ଯାଉଛି। ଯେଉଁଥିପାଇଁ ଶ୍ରେଣୀ ଗୃହରେ ଲହଡ଼ି ମାରୁଛି ବର୍ଷା ପାଣି। ସ୍କୁଲର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ। ସବୁଠାରୁ ଦୁଃଖର ବିଷୟ ଶ୍ରେଣୀ ଗୃହରେ ବସି ପାରୁନଥିବା ସତ୍ତ୍ୱେ ସ୍କୁଲକୁ ଛୁଟି କରାଯାଉନି। ତେଣୁ ୧୪୦ରୁ ଅଧିକ ପିଲା ସ୍କୁଲ ବାରଣ୍ଡରେ ଓଦା ହୋଇ ଘୁରି ବୁଲୁଛନ୍ତି।

Advertisment

୧୯୭୧ ମସିହାରେ ସିନାପାଲି ବ୍ଲକ୍‌ ସରଧପୁରରେ ଗାଁରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ସ୍କୁଲର ଗୋଟିଏ ପାର୍ଶ୍ୱରେ ପ୍ରଧାନୀ ପାହାଡ଼ ଛିଡ଼ା ହୋଇଥିବା ବେଳେ ଆର ପାଖରେ ଯାଇଛି ବିଜୁ ଏକ୍ସପ୍ରେସ୍‌ ୱେ। ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୧୪୦ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଢ଼ାଉଛନ୍ତି। ପିଲାଙ୍କ ପାଇଁ ରହିଛି ୩ଟି ଶ୍ରେଣୀ ଗୃହ। ଗୋଟିଏ ଗୃହରେ ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ଶ୍ରେଣୀର ପିଲାମାନେ ବସୁଥିବା ବେଳେ ଆଉ ଗୋଟିଏ ଘରେ ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ପିଲାମାନେ ବସୁଛନ୍ତି। ଅନ୍ୟ ଏକ ରୁମ୍‌ରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ବସି ପାଠ ପଢ଼ୁଛନ୍ତି।

ବର୍ଷା ଆସିଲେ ପିଲାଙ୍କ ଦୁଃଖ ବଢ଼େ। ସ୍କୁଲ ଛାତରୁ ଗଳୁଛି ବର୍ଷା ପାଣି। ଶ୍ରେଣୀ ଗୃହ ଭିତରେ ବର୍ଷା ପାଣି ଲହଡି ମାରୁଛି। ସେଇଥିରେ ପିଲାମାନେ ଓଦା ହୋଇ ପାଠ ପଢ଼ୁଛନ୍ତି। ବେଳେ ବେଳେ ଏମିତି ହୁଏ ସ୍କୁଲ ପାଖରେ ଥିବା ପାହାଡ଼ର ପାଣି ଶ୍ରେଣୀ ଗୃହ ଭିତରେ ପଶି ଯାଉଛି। ସ୍ଥିତି ଅଣାୟତ୍ତ ହେଲେ ଶିକ୍ଷକମାନେ ପିଲାମାନଙ୍କୁ ଶ୍ରେଣୀ ଗୃହରୁ ବାହାର କରିଦେଉଛନ୍ତି। ପିଲାମାନେ ବାରଣ୍ଡାରେ ଏପାଖ ସେପାଖ ବୁଲୁଛନ୍ତି। ହେଲେ ଘରକୁ ଯିବା ପାଇଁ ଦିଆଯାଉନି। ପ୍ରଶାସନର ନାଲି ଆଖି ଭୟରେ ସ୍କୁଲ ଛୁଟି କରୁନାହାନ୍ତି।

Advertisment

ଶ୍ରେଣୀ ଗୃହ ନିର୍ମାଣ ପାଇଁ ସ୍କୁଲ ପରିଚାଳନା କମିଟି ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଛି। ମାତ୍ର ପ୍ରଶାସନ ଏଥିପ୍ରତି ନଜର ଦେଉନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍କୁଲର ଦୟନୀୟ ଚିତ୍ର ନେଇ ଶିକ୍ଷକ ପରମାନନ୍ଦ ମେହେର କହିଛନ୍ତି, ବର୍ଷା ଋତୁରେ ଛାତରୁ ପାଣି ଗଳୁଛି। ଆଉ ପାହାଡ଼ିଆ ବର୍ଷା ପାଣି ଶ୍ରେଣୀ ଗୃହରେ ପଶି ଯାଉଛି। ତେଣୁ ପିଲାମାନଙ୍କୁ ପାଠ ପଢ଼ାଇବାରେ ବହୁ ଅସୁବିଧା ହେଉଛି। ତେଣୁ ଯଥା ଶୀଘ୍ର ସ୍କୁଲ କୋଠା ନିର୍ମାଣ କରାଯାଉ ବୋଲି ଶ୍ରୀ ମେହେର କହିଛନ୍ତି।

ସିନାପାଲି ବିଡିଓ ଅବିନାଶ ଲାକ୍ରା କହିଛନ୍ତି, ବର୍ତ୍ତମାନ ଯାହା ମରାମତି ଦରକାର, ତାହା କରାଯିବ। ଏଥିପାଇଁ ଅଧିକ ଫଣ୍ଡ ଆବଶ୍ୟକ ରହିଛି। ତେଣୁ ଏନେଇ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇବୁ। ତା’ପରେ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।

ରିପୋର୍ଟ-ନୂଆପଡ଼ାରୁ ମାୟାଧର ସରାଫ

School Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe