Advertisment

ରାଜା ଚକ୍ରଙ୍କ ନାଁରେ ୧୪ ମାମଲା: ତଦନ୍ତରେ କରୁଛନ୍ତି ଅସହଯୋଗ, ଗିରଫ ହୋଇପାରନ୍ତି ପତ୍ନୀଙ୍କ ସମେତ ୪ ସହଯୋଗୀ

ଗିରଫଦାରୀ ଉପରେ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଆଜି ଉଠାଇ ନେବାପରେ ସେମାନେ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।

author-image
Ordigital Desk
Raja

Raja

ବିଜେଡି ନେତା ରାଜା ଚକ୍ରଙ୍କ ଅଡ଼ୁଆ ବଢ଼ିଲା । ସେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ତାଙ୍କ ପତ୍ନୀ ଓ ଅନ୍ୟ ୪ ସହଯୋଗୀ ସୁଶାନ୍ତ କୁମାର ସାମଲ, ସଦାଶିବ ସାମଲ, ସୁଧାଂଶୁ ଶେଖର ନାଏକ ଓ ସମୀର କୁମାର ଜେନାଙ୍କୁ ମଧ୍ୟ କ୍ରାଇମବ୍ରାଂଚ ଅର୍ଥନୀତିକ ଅପରାଧ ଶାଖା ଖୁବଶୀଘ୍ର ନିଜ ହେପାଜତକୁ ନେଇ ଜେରା କରିବାର ସମ୍ଭାବନା ରହିଛି । ଏମାନଙ୍କ ଗିରଫଦାରୀ ଉପରେ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଆଜି ଉଠାଇ ନେବାପରେ ସେମାନେ ଗିରଫ ହେବା ନିଶ୍ଚିତ ହୋଇଯାଇଛି । ରାଜାଙ୍କ ନାଁରେ ଅର୍ଥନୀତିକ ଅପରାଧ ଶାଖାରେ ଗୋଟିଏ ମାମଲା ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୦୧୨ରୁ ୨୦୨୫ ମସିହା ମଧ୍ୟରେ ମୋଟ ୧୩ଟି ଥାନା ରୁଜୁ ହୋଇଛି ।

Advertisment

ରାଜା ତଦନ୍ତରେ ସାମାନ୍ୟତମ ସହଯୋଗ କରୁନଥିବାବେଳେ ଗିରଫ ପରେ ଜେରାରେ ଅନେକ ବିସ୍ଫୋରକ ତଥ୍ୟ ଦେବାର ଆଶଙ୍କା ରହିଛି । ରାଜାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୧କୋଟି ୫୫ଲକ୍ଷ ୯୫ହଜାର ୬୨୫ଟଙ୍କାର ସନ୍ଦେହଜନକ ଟ୍ରାନ୍ସଫର ମଧ୍ୟ ତାଙ୍କ ପତ୍ନୀଙ୍କ ଅଡ଼ୁଆ ବଢ଼ାଇଛି । କେବଳ ସେତିକି ନୁହେଁ ୧୪ଟି ଗାଁରେ ସିଏସଆର ଅର୍ଥକୁ ଖର୍ଚ୍ଚ ନକରି ନିଜେ ଚଳୁ କରିଦେଇଥିବାର ପ୍ରମାଣ ମଧ୍ୟ କେନ୍ଦୁଝର ସଦର ଓ ବାଂଶପାଳ ବ୍ଲକର ବିଡିଓଙ୍କ ସମେତ ଓଏମସିର ଗନ୍ଧମାର୍ଦ୍ଧନ ଆଂଚଳିକ କାର୍ଯ୍ୟାଳୟ ଲିଖିତ ଭାବେ ଦେଇଛି ।

ରାଜା ଚକ୍ର ଓ ତା’ର ସହଯୋଗୀମାନେ ରାଜନୀତିକ ଛତ୍ରଛାୟାରେ ରହି ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଆଣ୍ଡ ଟ୍ରାନ୍ସପୋର୍ଟିଂ କେଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ମଧ୍ୟ କୋଟିକୋଟି ଟଙ୍କାର ଆତ୍ମସାତ କରିଛନ୍ତି । କ୍ରାଇମବ୍ରାଂଚକୁ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୋସାଇଟିର ୭କୋଟି ୩୬ଲକ୍ଷ ୭୪ହଜାର ଟଙ୍କାର ବେଆଇନ ଦେଣନେଣରେ ରାଜା ଓ ତାଙ୍କ ସହଯୋଗୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିସାରିଛି । ଏବେ ରାଜା ଗିରଫ ହେବା ପ୍ରାୟତଃ ନିଶ୍ଚିତ ଥିବାବେଳେ ତାଙ୍କର ଗଡ଼ଫାଦରମାନଙ୍କ ନିଦ ହଜିଯାଇଛି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ, ପ୍ରଣବପ୍ରକାଶ ଦାସ, ଡିଏସ କୁଟ୍ଟେ ଓ ମାନସ ମଙ୍ଗରାଜଙ୍କର ଅତ୍ୟନ୍ତ ଖାସ୍ ଭାବେ ରାଜା ଚକ୍ର ପରିଚିତ ।

Advertisment

ସଦସ୍ୟ ନଥାଇ ସୋସାଇଟିର ସର୍ବେସର୍ବା ଥିଲେ ରାଜା

ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଆଣ୍ଡ ଟ୍ରାନ୍ସପୋର୍ଟିଂ କେଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀମାନେ ଏହି ସୋସାଇଟିର ସମସ୍ତ ଆର୍ଥିକ ଓ ପ୍ରଶାସନିକ ନିଷ୍ପତ୍ତି ନେଉଥିଲେ । ବିଜେଡି ଶାସନକାଳରେ ତୃତୀୟ ମହଲାର ରାଜନୀତିକ ଛତ୍ରଛାୟାରେ ରହି ରାଜାଙ୍କ ସହଯୋଗୀ ସୁଶାନ୍ତ କୁମାର ସାମଲ ସମାନ୍ତରାଳ ଭାବେ ତାଙ୍କ ଘରେ ଏହି ସୋସାଇଟିର ଏକ ଅଫିସ୍ ଖୋଲିଥିଲେ । କ୍ରାଇମବ୍ରାଂଚକୁ ମିଳିଥିବା ଦସ୍ତାବିଜ ଆଧାରରେ ମୋଟ ୭.୩୬କୋଟି ଟଙ୍କା ସୋସାଇଟି ଆକାଉଣ୍ଟରୁ ସେଲଫ ଚେକ୍ ମାଧ୍ୟମରେ ଉଠାଣ କରାଯାଇଛି ।

ଯେଉଁଥିରୁ ୨.୭୬କୋଟି ଟଙ୍କା, ୯୫.୪୦ଲକ୍ଷ ଟଙ୍କା, ୩.୬୪ଲକ୍ଷ ଟଙ୍କା ଯଥାକ୍ରମେ ରାଜାଙ୍କ ଖାସ୍ ସହଯୋଗୀ ସୁଧାଂଶୁ ଶେଖର ନାଏକ, ସମୀର କୁମାର ଜେନା ଓ ସଦାଶିବ ସାମଲ ଉଠାଣ କରିଛନ୍ତି । ଏହି ଟଙ୍କା ପାରିପାଶ୍ୱିର୍କ ବିକାଶ ନାଁରେ ଖର୍ଚ୍ଚ ହେବା ।ଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ସେଲଫ୍ ଚେକ୍ ମାଧ୍ୟମରେ ଏହି ଟଙ୍କା ଉଠାଣ କରି ରାଜା ଓ ତାଙ୍କ ସହଯୋଗୀମାନେ ତାକୁ ଆତ୍ମସାତ କରିଥିବାର ପ୍ରମାଣ କ୍ରାଇମବ୍ରାଂଚ ପାଇଛି । ସେହିପରି କେନ୍ଦୁଝର ସଦର ଓ ବାଂଶପାଳ ବ୍ଲକର ବିଡିଓ ଏବଂ ଓଏମସି ଗନ୍ଧମାର୍ଦ୍ଧନ ଆଂଚଳିକ ମ୍ୟାନେଜର ମଧ୍ୟ ସୋସାଇଟି ଦ୍ୱାରା କୌଣସି ପାରିପାଶ୍ୱିର୍କ ବିକାଶ କାର୍ଯ୍ୟ ହୋଇନଥିବା ଲିଖିତ ଭାବେ ସ୍ପଷ୍ଟ କରିଛନ୍ତି । ଓଏମସି ୧୪ଟି ଗାଁରେ ସିଏସଆର କାର୍ଯ୍ୟ କରିବାକୁ ପଦକ୍ଷେପ ନେଇଥିଲା । କିନ୍ତୁ ସୋସାଇଟି ଦ୍ୱାରା କୌଣସି କାର୍ଯ୍ୟ ଖଣି ଅଂଚଳରେ ହୋଇନାହିଁ ବୋଲି ଓଏମସି କହିଛି।

ରାଜାଙ୍କ କେଳେଙ୍କାରୀ ଏତିକିରେ ସୀମିତ ନାହିଁ । କେନ୍ଦୁଝରର ପଣ୍ଡାପଡ଼ାଠାରେ ଥିବା ମା କାଳୀ କିଶାନ ସେବା କେନ୍ଦ୍ର ନାମକ ଏକ ପେଟ୍ରୋଲ ପମ୍ପ ମାଲିକ ପ୍ରେମାନନ୍ଦ ବାରିକ ପୁଲିସ ଦେଇଥିବା ବୟାନରେ କହିଛନ୍ତି ଯେ ରାଜାଙ୍କ ମାଲିକାନାରେ ଥିବା  ଶଙ୍କର ରୋଡୱେଜ୍ ନାଁରେ ୮କୋଟି ଟଙ୍କାର ବିଲ୍ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀରୁ ମା’କାଳୀ କେଏସକେକୁ ହୋଇଛି ଯାହାକି ପରେ ଶଙ୍କର ଟ୍ରାନ୍ସପୋର୍ଟକୁ ଯାଇଛି । ରାଜାଙ୍କ ଡ୍ରାଇଭର ସଦାଶିବ ସାମଲଙ୍କ ଆକାଉଣ୍ଟରୁ ୧.୫୫କୋଟି ଟଙ୍କା ମଧ୍ୟ ରାଜାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଯାଇଛି । ଏହି ସମସ୍ତ ଟଙ୍କା ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀର ବୋଲି ଜଣାପଡ଼ିଛି।

ରାଜାଙ୍କ ନାଁରେ ୧୪ ମାମଲା

ବିଜେଡି ନେତା ରାଜା ଚକ୍ରଙ୍କ ନାଁରେ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖାରେ ଗୋଟିଏ ମାମଲା ଥିବାବେଳେ କେନ୍ଦୁଝରର ବିଭିନ୍ନ ଥାନାରେ ୧୩ଟି କେସ୍ ରହିଛି । ସେଥିରୁ ୨୦୦୫ ମସିହାରେ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର-୧୨୨, ୨୦୧୦ ମସିହାରେ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର-୭୧, ୨୦୧୨ ମସିହାରେ କେନ୍ଦୁ୍‌ଝର ଟାଉନ ଥାନାରେ ରାଜାଙ୍କ ନାଁରେ କେସ୍ ନମ୍ବର ୧୯୨,୧୯୩,୧୯୪,୧୯୫. ୨୦୧୪ ମସିହାରେ ପଣ୍ଡାପଡ଼ା ଥାନାରେ କେସ୍ ନମ୍ବର-୬୫, ୨୦୧୯ରେ କେନ୍ଦୁଝର ଟାଉନ୍ ଥାନାରେ କେସ୍ ନମ୍ବର ୯୯, ୨୦୨୧ ମସିହାରେ କେନ୍ଦୁଝର ସଦର ଥାନାରେ କେସ୍ ନମ୍ବର ୧୮୯, ୨୦୨୪ ମସିହାରେ ଦୈତାରୀ ଥାନାରେ କେସ୍ ନମ୍ବର-୧୪, କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର-୩୦୮, ୨୦୨୫ ମସିହାରେ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର-୧୭ ଓ ୧୮ ମାମଲା ରହିଛି । କେବଳ ରାଜା ନୁହଁନ୍ତି ତାଙ୍କ ସହଯୋଗୀ ସଦାଶିବ ସାମଲ ଓ ସୁଶାନ୍ତ କୁମାର ସାମଲଙ୍କ ନାଁରେ ମଧ୍ୟ ବିଭିନ୍ନ ଥାନାରେ ମାମଲା ରହିଛି ।

ତଦନ୍ତରେ କରୁନାହାନ୍ତି ସହଯୋଗ, ଏପଟେ ଚାପି ଦେବାକୁ ପ୍ରୟାସ

ବିଜେଡି ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ଜେରା କରିଥିଲେ ମଧ୍ୟ ସେ କୌଣସିଥିରେ ସହଯୋଗ କରୁନଥିବା ଜଣାପଡ଼ିଛି । ଏସବୁ ଟଙ୍କାର ଉତ୍ସ ଓ କେନ୍ଦୁଝର ଖଣି କାରବାରରେ ତାଙ୍କର ଭୂମିକା କ’ଣ ଥିଲା, ଏତେ ଗାଡ଼ି, ଫାର୍ମହାଉସ ଓ ସମ୍ପତ୍ତି କିଭଳି କଲେ ସେ ନେଇ କୌଣସି ଜବାବ ଦେଇନାହାନ୍ତି । ରାଜାଙ୍କୁ ଯାହାବି ପଚାରିଲେ ସେ ନିରବ ରହୁଛନ୍ତି ଅବା ତାଙ୍କ ଓକିଲ କୋର୍ଟରେ କହିବେ କହି ଏଡ଼ାଇ ଯାଉଥିବାରୁ ତଦନ୍ତକାରୀ ଅଧିକାରୀଙ୍କ ପାଇଁ ସମସ୍ୟା ପାଲଟିଛି । ଏବେ ହାଇକୋର୍ଟ ତାଙ୍କର ଗିରଫଦାରୀ ଉପରେ ଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେବା ପରେ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇ ଜେରା କରିବା କ୍ରାଇମବ୍ରାଂଚ ପାଇଁ ସହଜ ହେବ । ରାଜାଙ୍କର ଅର୍ଥନୀତିକ କାରବାର ସହ ବିଜେଡିର ବଡ଼ପଣ୍ଡାମାନଙ୍କ ସମ୍ପୃକ୍ତି ଥିବାରୁ ଏବେ ସେମାନଙ୍କର ନିଦ ହଜିଯାଇଛି।

ବିଜେଡିର ଅଘୋଷିତ ସର୍ବେସର୍ବା ଓ ତାଙ୍କ ଟିମ୍ ପକ୍ଷରୁ ଏହି ମାମଲାକୁ ଚପାଇ ଦେବାକୁ ସବୁପ୍ରକାରର ପ୍ରୟାସ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଲବି ଫେଲ୍ ମାରିବା ପରେ ଦିଲ୍ଲୀ ରହଣୀରୁ କିଛି ସୁଫଳ ମିଳିବ ରାଜାଙ୍କ ଗଡ଼ଫାଦରମାନେ ଆଶା ରଖିଛନ୍ତି।

Odisha Raja Chakra