Rajendra Dholkia
ଆଉ ନାହାନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ। ଚେନ୍ନାଇର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ୪ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆ ଦୀର୍ଘ ଦିନ ହେଲା ଅସୁସ୍ଥତା କାରଣରୁ ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହାର୍ଟ ଏବଂ କିଡନୀ ରୋଗରେ ପୀଡ଼ିତ ଥିଲେ ଶ୍ର ଢୋଲିକିଆ।
ସେ ପ୍ରଥମଥର ୨୦୦୪ରେ ନୂଆପଡ଼ାରୁ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ମିଶି ୨୦୧୪, ୨୦୧୯ ଓ ୨୦୨୪ ନିର୍ବାଚନ ଜିତିଥିଲେ। ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଚ୍ଛାୟା ଖେଳିଯାଇଛି।
ବିଧାୟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।
ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, “ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ।
ଦଳର ସଙ୍ଗଠନକୁ ମଜବୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”
ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ସେ ମଧ୍ୟ ସୋଶାଲ ମିଡିଆ ଏକ୍ସରେ ପୋଷ୍ଟ ଶେୟାର କରି କହିଛନ୍ତି, “ଦୀର୍ଘ ଧରି ଅସୁସ୍ଥ ରହିବା ପରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ପରିବାର ଓ ପରିଜନ ପ୍ରତି ସମବେଦନା ଜଣାଉଛି।"
ବିଧାୟକ ସହ ଶ୍ରୀ ଢୋଲକିଆ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ରାଜନୀତି, ସମାଜସେବା ଓ କ୍ରୀଡ଼ା ପ୍ରତି ତାଙ୍କ ଅବଦାନ ଉଲ୍ଲେଖନୀୟ। ତାଙ୍କ ବିୟୋଗ ପୂରା ନୂଆପଡ଼ାକୁ ଶୋକରେ ବୁଡ଼ାଇ ଦେଇଛି। ଆଜି ଶ୍ରୀ ଢୋଲକିଆଙ୍କ ଦେହାନ୍ତ ହୋଇଥିବା ପାର୍ଥିବ ଶରୀରକୁ ଚେନ୍ନାଇରୁ ନୂଆପଡ଼ାକୁ ଅଣାଯାଉଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1757318100.jpg)