Odisha
ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣରେ ବିଫଳତା ଯୋଗୁ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୂଲ୍ୟବାନ ଜୀବନ ଚାଲିଗଲା । ପ୍ରାୟ ୭୦୦ ଲୋକ ଆହତ ହେଲେ । କିନ୍ତୁ ଘଟଣାକଚ ଦେଢ଼ମାସ ପୁରିବାକୁ ବସିଲାଣି, କେହି ଉତ୍ତରଦାୟୀ ହେଲେନି କିମ୍ବା କାହା ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇନାହାନ୍ତି । ଯଦିଓ ରଥଯାତ୍ରା ବିପର୍ଯ୍ୟୟ ଓ ଦଳାଚକଟା ଘଟଣାର ତଦନ୍ତ ଶେଷ କରି ଉନ୍ନୟନ କମିଶନର ଅନୁ ଗର୍ଗ କମିଟି ଜୁଲାଇ ୩୧ତାରିଖରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ଦାଖଲ କରିସାରିଲେଣି ।
ତେବେ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ କେଉଁ କାରଣରୁ ଅବ୍ୟବସ୍ଥା ହେଲା ଓ କାହାର ଦାୟିତ୍ୱହୀନତା ଯୋଗୁ ରାଜ୍ୟ ସରକାରଙ୍କ ସମେତ ସମଗ୍ର ଓଡ଼ିଶାକୁ ବିଶ୍ୱରେ ନିନ୍ଦିତ ହେବାକୁ ପଡ଼ିଲା ତାହା ଏବେବି ରହସ୍ୟଘେରରେ ।
ଅନୁ ଗର୍ଗ କମିଟି ରିପୋର୍ଟ ଓ ଏହାର ବୈଧତା
ରଥଯାତ୍ରା ଦଳାଚକଟା ଘଟଣାକୁ ନେଇ ସବୁମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଅନୁ ଗର୍ଗଙ୍କୁ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଲେ । ଅନୁ ଗର୍ଗ କମିଟି ଜୁନ୍ ୩୦ରୁ ତଦନ୍ତ ଆରମ୍ଭ କରି ଜୁଲାଇ ୩୧ତାରିଖରେ ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମାତ୍ର ଏହି ତଦନ୍ତ ରିପୋର୍ଟକୁ ନେଇ କେହି କିଛି ସାର୍ବଜନୀନ ଭାବେ ସୂଚନା ଦେଇନଥିଲେ ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ କେତେକ ଚାଂଚଲ୍ୟକର ସୂଚନା ମିଳିଛି । ଯାହାକି ଏହି କମିଟିର ବୈଧତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନୁ ଗର୍ଗ କମିଟି ନିଜର ତଦନ୍ତ ପ୍ରକ୍ରିୟାରେ ପୁଲିସ ଡିଜିଙ୍କ ବୟାନ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି । ଏହାସହିତ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ଲଗାଯାଇଥିବା ଏଆଇ କ୍ୟାମେରା-ସିସିଟିଭି କ୍ୟାମେରା ଆଦି ଉପଯୁକ୍ତ ଢଙ୍ଗରେ କାହିଁକି କାମ କଲାନି ତା’ର ମଧ୍ୟ ଖୋଳତାଡ଼ କରିବାରେ କମିଟି ସକ୍ଷମ ହୋଇପାରିନାହିଁ ।
ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଓ ନିରାପଦ କରିବା ପାଇଁ ୮୫ଲକ୍ଷ ଟଙ୍କାର ବୈଷୟିକ ଉପକରଣ ଲଗାଇବା ନିମନ୍ତେ ଓଡ଼ିଶା ପୁଲିସ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର ଦେଇଥିଲେ ମଧ୍ୟ ତା’ର ଗୁଣାତ୍ମକ ମାନ ଠିକ୍ ନଥିଲା ଓ ଏହା ଫେଲ୍ ମାରିଥିଲା ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହେବା ସତ୍ତ୍ୱେ କମିଟି ଏହି ଟେଣ୍ଡର ପ୍ରକ୍ରିୟା କିମ୍ବା ବୈଷୟିକ ଦିଗ ଉପରେ ଖୋଳତାଡ଼ କରିନଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ, ରଥଯାତ୍ରା ପ୍ରସ୍ତୁତିର ତଦାରଖ ପାଇଁ ଗଠିତ ମନ୍ତ୍ରିସ୍ତରୀୟ କମିଟିର ସଦସ୍ୟ କିମ୍ବା ମୁଖ୍ୟ ସଚିବଙ୍କ ବୟାନ ସଂଗ୍ରହ କରିବାରେ ଅନୁ ଗର୍ଗ କମିଟି ସକ୍ଷମ ହୋଇନଥିବା ସୂଚନା ମିଳିଛି ।
ଯଦିଓ ଅନୁ ଗର୍ଗ କମିଟି ନିଜର ତଦନ୍ତ ରିପୋର୍ଟରେ ମୋଟ ୬୭ଜଣଙ୍କ ବୟାନ ରେକର୍ଡ କରିବା ସହ ସିସିଟିଭି ଫୁଟେଜ, ମୋବାଇଲ ଭିଡିଓ ଓ ଫଟୋଗ୍ରାଫିକୁ ବିଶ୍ଲେଷଣକୁ ସାମିଲ କରିଥିବା ସୂଚନା ମିଳିଛି । କିନ୍ତୁ ଯେଉଁମାନଙ୍କ ତ୍ରୁଟି ଯୋଗୁ ଏତେବଡ଼ ବିପର୍ଯ୍ୟୟ ହେଲା ଓ ୩ଟି ମୂଲ୍ୟବାନ ଜୀବନ ଅକାଳରେ ଚାଲିଗଲା ସେଥିପାଇଁ କ’ଣ କେହି ଉତ୍ତରଦାୟୀ ରହିବେ ନାହିଁ କିମ୍ବା କାହାରି ତ୍ରୁଟି ନାହିଁ କି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ସରକାରଙ୍କ ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଅନୁ ଗର୍ଗ ତଦନ୍ତ କମିଟିର ରିପୋର୍ଟ ଓ ଏହାର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଥିବା ଚର୍ଚ୍ଚା ହେଉଛି ।
ପୁଲିସର ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନଚିହ୍ନ
ଚଳିତବର୍ଷ ପୁଲିସ ଡିଜି ୱାଇବି ଖୁରାନିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରାରେ ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନାର ଦାୟିତ୍ୱ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କ ଉପରେ ଥିଲା । ଡିଜିପି ଶ୍ରୀ ଖୁରାନିଆ ନିଜର ଟିମ୍ ଭାବେ ବରିଷ୍ଠ ଆଇପିଏସ୍ ସଞ୍ଜୟ କୁମାର(ଆଇନଶୃଙ୍ଖଳା), ଅମିତାଭ ଠାକୁର (କର୍ଡନ ନିୟନ୍ତ୍ରଣ) ଓ ଦୟାଲ ଗଙ୍ଗୱାର( ଟ୍ରାଫିକ ଦାୟିତ୍ୱ)ଙ୍କୁ ନେଇ ରଥଯାତ୍ରା ପରିଚାଳନାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ମଧ୍ୟ ଏହି ଅଫିସରମାନଙ୍କର ଅନଭିଜ୍ଞତା ଯୋଗୁ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣରେ ପୁଲିସ ଫେଲ୍ ମାରିଥିଲା ।
ତେବେ ଅନୁଗର୍ଗ କମିଟିର ନୋଟିସ୍ ଆଧାରରେ ଏହି ବରିଷ୍ଠ ଆଇପିଏସ୍ ଅଫିସରମାନେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ମଧ୍ୟ ପୁଲିସ ଡିଜି ଶ୍ରୀ ଖୁରାନିଆ ଅନୁପସ୍ଥିତ ରହିଥିଲେ। ଆଉ ତାଙ୍କର ପକ୍ଷ ରଖିବାକୁ ଅନ୍ୟ ଜଣେ ଅଫିସରଙ୍କୁ ପଠାଇଥିଲେ ବୋଲି ସୂଚନା ମିଳିଛି । ରଥଯାତ୍ରାରେ ବିପର୍ଯ୍ୟସ୍ତ ସ୍ଥିତି ପାଇଁ ପୁଲିସର କାର୍ଯ୍ୟଶୈଳୀ ସନ୍ଦେହଘେରରେ ଥିଲେ ମଧ୍ୟ ପୁଲିସ ଡିଜି ନିଜେ ତଦନ୍ତ କମିଟିକୁ ଏଡ଼ାଇଯିବା ସିଧାସଳଖ ପୁଲିସର ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଜଣାପଡ଼ିଛି ।
ଏଆଇ କ୍ୟାମେରା: ପ୍ରଚାର ବେଶୀ, କାର୍ଯ୍ୟ ଶୂନ୍ - ବିଲ୍ ଦେବ କିଏ
ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଓ ନିରାପଦ କରିବା ପାଇଁ ହାଇଟେକ୍ ବ୍ୟବସ୍ଥା ହୋଇଥିବା ନେଇ ଓଡ଼ିଶା ପୁଲିସ ଗଣମାଧ୍ୟମରେ ଲମ୍ବାଚଉଡ଼ା ଭାଷଣବାଜି କଲା । ଏପରିକି ରଥଯାତ୍ରାବେଳେ ପୁରୀରେ ସ୍ଥାପନ ହୋଇଥିବା ଏକ କଂଟ୍ରୋଲ କମାଣ୍ଡ ସେଂଟରକୁ ବୁଲାଇ ଦେଖାଇ ବାହାବା ସାଉଁଟିଲା । ପୁରୀ ସହର ଓ ଏହାର ଚାରିପାଶ୍ୱର୍(ଭୁବନେଶ୍ୱର ଆଡ଼ୁ ଉତ୍ତରା ଛକରୁ ପୁରୀ ପର୍ଯ୍ୟନ୍ତ) ଏଆଇ କ୍ୟାମେରା ଲାଗିଥିବାର ପ୍ରଚାର କରାଗଲା । ସମସ୍ତେ ପୁଲିସର ଏଭଳି ଫୁଲପ୍ରୁଫ୍ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ପ୍ରଶଂସା କଲେ । କିନ୍ତୁ ପୁଲିସର ବାହାସ୍ଫୋଟ ୨୪ଘଣ୍ଟା ମଧ୍ୟ ତିଷ୍ଠି ପାରିଲା ନାହିଁ ।
ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କ ଅନୁମୋଦନରେ ଇନଭଣ୍ଟଗ୍ରିଡ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀକୁ ପ୍ରାୟ ୮୫.୫୪ଲକ୍ଷ ଟଙ୍କାରେ ପୁରୀ ରଥଯାତ୍ରାରେ ୨୦୨୫ ଜୁନ୍ ୨୪ରୁ ଜୁଲାଇ ୯ତାରିଖ ପର୍ଯ୍ୟନ୍ତ ୨୭୫ଟି ଏଆଇ-ସକ୍ଷମ ସିସିଟିଭି କ୍ୟାମେରା, ୨୨ଟି ଏଲଇଡି ଭିଡିଓ ୱାଲ୍, ୬ଟି ଡ୍ରୋନ୍ ଏବଂ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ସହିତ ଏକ କମାଣ୍ଡ କେଂଟ୍ରାଲ ସେଂଟର ସ୍ଥାପନ କରିବାର କାର୍ଯ୍ୟାଦେଶ ଦିଆଗଲା ।
ଅଦୃଶ୍ୟ କାରଣରୁ ଟେଣ୍ଡର ଦସ୍ତାବିଜରେ ଏସବୁ ଉପକରଣର ବୈଶିଷ୍ଟ୍ୟ ଓ ଗୁଣାତ୍ମକ ମାନ ସମ୍ପର୍କରେ କିଛି ଉଲ୍ଲେଖ କରାଗଲା ନାହିଁ ଓ କୌଣସି ଯାଂଚ ମଧ୍ୟ କରାଗଲାନାହିଁ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ତ୍ରୁଟିପୂର୍ଣ୍ଣ ଟେଣ୍ଡରର ଫାଇଦା ଉଠାଇ ସମ୍ପୃକ୍ତ ସଂସ୍ଥା ଯେଉଁ ସବୁ ଉପକରଣ ଲଗାଇଥିଲା ତାହା ଠିକ୍ ସମୟରେ କାର୍ଯ୍ୟ ନକରିବାରୁ ରଥଯାତ୍ରାବେଳେ ପୁରୀ ସହର ଭିତରେ ଓ ବାହାରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଅନୁ ଗର୍ଗ କମିଟି ନିଜର ତଦନ୍ତବେଳେ ଏହି ତ୍ରୁଟିପୂର୍ଣ୍ଣ ଟେଣ୍ଡରକୁ ନେଇ ନିରବ ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୁଲିସ ସୂତ୍ର ଅନୁସାରେ, ଏହି ସବୁ ବିବାଦୀୟ କାରଣରୁ ସମ୍ପୃକ୍ତ ସଂସ୍ଥାକୁ ଏପର୍ଯ୍ୟନ୍ତ ତା’ର ପ୍ରାପ୍ୟ ମଧ୍ୟ ମିଳିପାରିନାହିଁ । ପୁରୀ ଏସପି ପିନାକ ମିଶ୍ର ମଧ୍ୟ ନିଜକୁ ଏହି ବିବାଦରୁ ଦୂରେଇ ରଖିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Odisha_1754747193.jpg)