ମନ୍ତ୍ରୀଙ୍କ ତାଗିଦ୍‌: ୩୧ସୁଦ୍ଧା ଇ-କେୱାଇସି ନକଲେ ଅକାମୀ ହୋଇଯିବ ରାସନକାର୍ଡ

ଏବେ ସୁଦ୍ଧା ୪୯ ଲକ୍ଷ ରାସନକାର୍ଡ ହିତାଧିକାରୀ ନିଜର ଇ-କେୱାଇସି ଯାଂଚ ପ୍ରକ୍ରିୟା ଶେଷ କରିନାହାନ୍ତି । ସେମାନଙ୍କୁ ଜାନୁୟାରୀ ୩୧ତାରିଖ ସୁଦ୍ଧା ଏହି ଇ-କେୱାଇସି ଯାଂଚ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ସମୟ ଦେଇଛନ୍ତି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

  • Published: Thursday, 09 January 2025
  • , Updated: 09 January 2025, 06:06 PM IST

ଚଳିତ ମାସ ୩୧ତାରିଖ ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ଶେଷ ହୋଇନଥିଲେ ହିତାଧିକାରୀଙ୍କ ରାସନ କାର୍ଡ ଅକାମୀ ହୋଇଯିବ । ରାସନକାର୍ଡର ଇ-କୋୱାଇସି ଯାଂଚ ପ୍ରକିୟା ଶେଷ କରିନଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ଏହି ଇ-କେୱାଇସି ଯାଂଚ ପ୍ରକ୍ରିୟା ଶେଷ ହେବାପରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ନୂଆ ରାସନକାର୍ଡ ଯୋଗାଇ ଦେବେ ।

ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ସୁଦ୍ଧା ୪୯ ଲକ୍ଷ ରାସନକାର୍ଡ ହିତାଧିକାରୀ ନିଜର ଇ-କେୱାଇସି ଯାଂଚ ପ୍ରକ୍ରିୟା ଶେଷ କରିନାହାନ୍ତି । ସେମାନଙ୍କୁ ଜାନୁୟାରୀ ୩୧ତାରିଖ ସୁଦ୍ଧା ଏହି ଇ-କେୱାଇସି ଯାଂଚ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ସମୟ ଦେଇଛନ୍ତି । ଯେଉଁମାନେ ଏହି ନିର୍ଦ୍ଧାରିତ ଅବଧି ମଧ୍ୟରେ ଇ-କେୱାଇସି ଯାଂଚ ଶେଷ କରିନଥିବେ ସେମାନଙ୍କର କାର୍ଡକୁ ରାଜ୍ୟ ସରକାର ଅକାମୀ କରିଦେବେ । ହିତାଧିକାରୀମାନେ ନିଜର ରାସନ୍ ସାମଗ୍ରୀ ପାଉଥିବା କେନ୍ଦ୍ର(ରାସନ ଡିଲର) ଅବା ସ୍ଥାନୀୟ ଜନସେବା କେନ୍ଦ୍ରକୁ ଯାଇ ଏହି ଇ-କେୱାଇସି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ବାହାର ରାଜ୍ୟରେ ରହୁଥିବା ରାସନକାର୍ଡଧାରୀଙ୍କ ଇ-କେୱାଇସି ଯାଂଚ ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର  ରାଜ୍ୟ ଭିତରେ ରାସନକାର୍ଡ ହିତାଧିକାରୀ ଥିବା ବୃଦ୍ଧବୃଦ୍ଧା ଓ ଅସୁସ୍ଥ ଲୋକଙ୍କୁ ଭେଟି କେୱାଇସି ଯାଂଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଯୋଗାଯୋଗ କଲେ ସେଠାକୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ପଠାଯିବାକୁ ମଧ୍ୟ ପଦକ୍ଷେପ ନେଇଛନ୍ତି ।

ଏବେସୁଦ୍ଧା ରାଜ୍ୟରେ ପ୍ରାୟ ୮୬ପ୍ରତିଶତ ରାସନକାର୍ଡର ଇ-କେୱାଇସି ଯାଂଚ ଶେଷ ହୋଇଛି । ଇ-କେୱାଇସି ଯାଂଚ ମାଧ୍ୟମରେ ଏବେସୁଦ୍ଧା ରାଜ୍ୟରୁ ପ୍ରାୟ ୪୦ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇସାରିଲେଣି । ପ୍ରତ୍ୟେକ ଜିଲ୍ଲାରେ ପ୍ରାୟ ୧ଲକ୍ଷରୁ ଦେଢ଼ ଲକ୍ଷ ଭୂତ ରାସନକାର୍ଡଧାରୀ ଚିହ୍ନଟ ହୋଇଛନ୍ତି।

Related story