Advertisment

ଦୁଇଟି ସଂଗଠନ ଓ ୭ଜଣଙ୍କ ଉପରେ କଟକଣା ଜାରି କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ନିଷେଧାଦେଶ ଅନୁସାରେ ଜିଲ୍ଲାର ସୁଙ୍ଗେର, ଆଡ଼ାଜୋର, ସିନ୍ଦୁର ଘାଟି, ତାଳଝିରି ଓ କାଶୀପୁର  ପଂଚାୟତ ଅଂଚଳରେ ପ୍ରବେଶ, ସମାବେଶ କିମ୍ବା କୌଣସି ସାବର୍ଜନୀନ କାର୍ଯ୍ୟକ୍ରମରେ  ଏହି ଦୁଇଟି ସଂଗଠନ କରିବା ଉପରେ କଟକଣା ଜାରି ହୋଇଛି ।

author-image
Ordigital Desk
Odisha

Odisha

ଆସନ୍ତାକାଲି ବିଶ୍ୱ ଆଦିବାସୀ ଦିବସ ଅବସରରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ୱାରା  ୨ଟି ସଂଗଠନ ଓ ୭ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହି କଟକଣା ଶୁକ୍ରବାର ଅପରାହ୍ନ ୫ଟାରୁ ୧୧ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଆବଶ୍ୟକ ପଡ଼ିଲେ ଏହି କଟକଣା ଅବଧିକୁ ବୃଦ୍ଧି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ ହୋଇଚି ।

Advertisment

ଦୁଇ ସଂଗଠନ ଓ ୭ଜଣ ବ୍ୟକ୍ତିଙ୍କ ଉପରେ କଟକଣା

ଅଗଷ୍ଟ ୯ତାରିଖରେ ବିଶ୍ୱ ଆଦିବାସୀ ଦିବସ ଅବସରରେ ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଜନଶୃଙ୍ଖଳା ଏବଂ ଶାନ୍ତି ରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩ ଅନୁଯାୟୀ ଦୁଇଟି ନିଷେଧାଜ୍ଞା ଜାରି କରାଯାଇଛି । ଦୁଇଟି ସଂଗଠନ "ମା ମାଟି ମାଳି ସୁରକ୍ଷା ମଂଚ’ ଓ "ନିୟମଗିରି ସୁରକ୍ଷା ସମିତି’ର ଯୋଜନାବଦ୍ଧ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି ହୋଇଛି ।

ନିଷେଧାଦେଶ ଅନୁସାରେ ଜିଲ୍ଲାର ସୁଙ୍ଗେର, ଆଡ଼ାଜୋର, ସିନ୍ଦୁର ଘାଟି, ତାଳଝିରି ଓ କାଶୀପୁର  ପଂଚାୟତ ଅଂଚଳରେ ପ୍ରବେଶ, ସମାବେଶ କିମ୍ବା କୌଣସି ସାବର୍ଜନୀନ କାର୍ଯ୍ୟକ୍ରମରେ  ଏହି ଦୁଇଟି ସଂଗଠନ କରିବା ଉପରେ କଟକଣା ଜାରି ହୋଇଛି । ଏହି ଦୁଇ ସଂଗଠନ ସମେତ ୭ଜଣ ପ୍ରତିଷ୍ଠିତ ସମାଜସେବୀ ଯଥା ପ୍ରଫୁଲ୍ଲ ସାମନ୍ତରାୟ, ନରେନ୍ଦ୍ର ମହାନ୍ତି, ଲିଙ୍ଗରାଜ ଆଜାଦ, ରାଜା ରଞ୍ଜନ, ସାରଣ୍ୟା କୁମାରୀ, ରାଜ କିଶୋର ସୁନାନୀ ଏବଂ ମେଧା ପାଟକରଙ୍କୁ ମଧ୍ୟ ଏସବୁ ଅଂଚଳରେ ପ୍ରବେଶ ଉପରେ କଟକଣା ଘୋଷଣା ହୋଇଛି ।

Advertisment

ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ

ଏହି ନିଷେଧାଜ୍ଞା ଜାରି କରି ଜିଲ୍ଲା ପ୍ରଶାସନ କହିଛି ଯେ, ଗୁଇନ୍ଦା ସୂଚନା ଆଧାରରେ ଏହି ସଂଗଠନମାନେ ସିଝିମାଳି ପାହାଡ଼ ଅଂଚଳରେ ଖଣି ବିରୋଧରେ ବିକ୍ଷୋଭ ଓ ଶୋଭାଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଛନ୍ତି, ଯାହାକୁ ବିଶ୍ୱ ଆଦିବାସୀ ଦିବସ ଉତ୍ସବ ଆଳରେ କରାଯିବାକୁ ରଣନୀତି ପ୍ରସ୍ତୁତ ହୋଇଛି । କାଲାଗାଁ ଓ ସାଗାବାରୀ ଗାଁର ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଏହି ସଂଗଠନଗୁଡ଼ିକ ସାମାଜିକ ବର୍ଜନର ଧମକ ଦେଇ ଗ୍ରାମବାସୀଙ୍କୁ ଅଗଷ୍ଟ ୯ରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାଧ୍ୟ କରୁଛନ୍ତି । ଗ୍ରାମବାସୀ ନିଜ ଜୀବନ ଓ ସଂପତ୍ତି ନେଇ ଭୟଭୀତ ଅଛନ୍ତି ।

ସିଝିମାଳି ଅଂଚଳରେ ଜୁଲାଇ ୨୮ତାରିଖରେ ତିନି ଜଣ ନକ୍ସଲ ପୋଷାକରେ ଅସ୍ତ୍ରଧାରୀ ବ୍ୟକ୍ତି ଆସି ପୁଲିସ ମୁତୟନ ବିଷୟରେ ପଚାରିବା ନେଇ ଗୁପ୍ତଚର ସୂଚନା ମିଳିଛି, ଯାହା ନକ୍ସଲ ଆକ୍ରମଣର ଆଶଙ୍କା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନା ହିତାଧିକାରୀଙ୍କୁ ଅଗଷ୍ଟ ୯ ଓ ୧୦ରେ ଅର୍ଥ ବଂଟନ ପାଇଁ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହି ବିକ୍ଷୋଭ ଯୋଗୁଁ ତାହା ବାଧାପ୍ରାପ୍ତ ହେବାର ପ୍ରଶାସନ ଆଶଙ୍କା କରିଛି । ତା’ଛଡ଼ା ଲିଙ୍ଗରାଜ ଆଜାଦ, ପ୍ରଫୁଲ୍ଲ ସାମନ୍ତରାୟ ଓ ନରେନ୍ଦ୍ର ମହାନ୍ତିଙ୍କ ବିରୁଦ୍ଧରେ ଦଙ୍ଗା, ଗୁଣ୍ଡାଗିରି ଓ ହତ୍ୟା ଚେଷ୍ଟା ଭଳି ଅପରାଧିକ ମାମଲା ରହିଛି ।

ମେଧା ପାଟକରଙ୍କ ବିରୁଦ୍ଧରେ ମଧ୍ୟପ୍ରଦେଶରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଏକ ଏଫଆଇଆର ରୁଜୁ ହୋଇଛି । ତେଣୁ ଏହି ବ୍ୟକ୍ତିମାନଙ୍କ ଉପସ୍ଥିତି ସ୍ଥାନୀୟ ଅଂଚଳରେ ହିଂସା ଓ ଶାନ୍ତି ବିନାଶ କରିପାରେ ବୋଲି ଜିଲ୍ଲାପାଳଙ୍କ ଦ୍ୱାରା ଜାରି ନିଷେଧାଜ୍ଞରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଏହି ନିଷେଧାଜ୍ଞଙ୍କୁ ଉଲ୍ଲଘଂନ କଲେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଅନୁସାରେ ଦଣ୍ଡବିଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସତର୍କ କରାଇ ଦେଇଛି ।

Odisha Rayagada