Advertisment

ଏମିତି ବିଭାଗ ଯେଉଁଠି ଅବସର ପରେ ମିଳେ ପୁନଃନିଯୁକ୍ତି: ଥଇଥାନ ହେଲେଣି ୪୪ଜଣ କର୍ମଚାରୀ

ସରକାରୀ ଚାକିରିରୁ ଅବସର ନେବାମାତ୍ରେ ବିଭାଗୀୟ କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିଯାଏ। ଯେଉଁ କାମ ସେମାନେ କରୁଥାନ୍ତି ତାହା ବଜାୟ ରହେ। ମୋଟା ଅଙ୍କର ପେନସନ ସହ ବି ମାସିକ ପାରିଶ୍ରମିକ ସରକାର ଦେଇଥାନ୍ତି।

Loka Seva Bhavan

Loka Seva Bhavan

Advertisment

ଓଡ଼ିଶା ସରକାରଙ୍କର ଏଭଳି ଗୋଟିଏ ବିଭାଗ ଅଛି, ଯେଉଁଠି କର୍ମଚାରୀଙ୍କୁ ଅବସର ମନା। ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ସରକାରୀ ଚାକିରିରୁ ଅବସର ନେବାମାତ୍ରେ ବିଭାଗୀୟ କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିଯାଏ। ଯେଉଁ କାମ ସେମାନେ କରୁଥାନ୍ତି ତାହା ବଜାୟ ରହେ। ମୋଟା ଅଙ୍କର ପେନସନ ସହ ବି ମାସିକ ପାରିଶ୍ରମିକ ସରକାର ଦେଇଥାନ୍ତି। ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ଚାକିରି ଅନ୍ୱେଷଣରେ ଥିଲେ ମଧ୍ୟ ସରକାର ସେମାନଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱ ନଦେଇ ଏହି କର୍ମଚାରୀମାନଙ୍କୁ ଓଏସଡି ଭାବେ ପୁନଃ ଥଇଥାନ କରୁଥିବା ଜଣାପଡ଼ିଛି। ଏପରିକି ଚାକିରିରୁ ଅବସର ନେବାର ୧୦-୧୨ବର୍ଷ ପରେ ବି ଏହି ବିଭାଗର କର୍ମଚାରୀଙ୍କୁ ସରକାର ନିଜର ‘ତୁଣ୍ଡ’ (ଲୋକସମ୍ପର୍କ ଅଧିକାରୀ) କରି ରଖିବାକୁ ପଛାଇ ନଥିବା ଦେଖିବାକୁ ମିଳିଛି।

Advertisment

ଆଜି ବିଧାନସଭାରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ୍ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ତାଙ୍କର ଏହି ବିଭାଗ ସମ୍ପର୍କରେ ନୂଆ ତଥ୍ୟ ପଦାକୁ ଆଣିଛନ୍ତି। ଶ୍ରୀ ଅମାତ୍ କହିଛନ୍ତି ଯେ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ରାଜ୍ୟରେ ଏବେ ମୋଟ ୪୮୦ଜଣ ନିୟମିତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏବେ ବିଭାଗର ୪୪ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ୧୦ହଜାରରୁ ୪୬ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକରେ ‘ଓଏସଡି’ ଭାବେ ନିଯୁକ୍ତି ଦିଆଯାଇଛି। ଏହି କର୍ମଚାରୀମାନେ ଠିକାରେ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି।

ବିଭାଗ ଅଧୀନରେ ଖାଲିଥିବା ମୂଳ ପଦବୀଗୁଡ଼ିକୁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ସମୟ ମଧ୍ୟରେ ବିଭାଗର କାର୍ଯ୍ୟଭାର ପରିଚାଳନା ପାଇଁ ପ୍ରଚଳିତ ନିୟମ ଆଧାରରେ ଖାଲିଥିବା ମୂଳ ପଦବୀରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଓଏସଡି ଭାବେ ଠିକା ନିଯୁକ୍ତି ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି।

Advertisment

ସୂଚନାଯୋଗ୍ୟ, କେବଳ ସୂଚନା ଓ ଲୋକସମ୍ପର୍କ ବିଭାଗ ନୁହେଁ ରାଜ୍ୟ ସରକାରଙ୍କ ଅନେକ ବିଭାଗ ରହିଛି ଯେଉଁଠି ଅବସର ପରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁନଃ ଥଇଥାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏଭଳି ୮ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର ପରେ ଥଇଥାନ କରାଯାଇଥିବା ଜଣାପଡ଼ିଛି।

ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ଚାକିରି ଅନ୍ୱେଷଣରେ ରହିଥିବାବେଳେ ଏହି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ କରାଇ ସରକାର ପରୋକ୍ଷରେ ମେଧାବୀ ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳିବାକୁ ପଛାଉନଥିବା ଚର୍ଚ୍ଚା ହେଉଛି।

Govt Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe