୫୯ଜଣ ଓଏଏସ୍ ଅଫିସରଙ୍କ ବଦଳି: ୪୩ ବ୍ଲକରେ ନୂଆ ବିଡିଓ

ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କୁ ଭୁବନେଶ୍ୱର ରାଜସ୍ୱ ଅଫିସର ପ୍ରଶିକ୍ଷଣ କେନ୍ଦ୍ର(ରୋଟି) ଯୁଗ୍ମ ନିର୍ଦ୍ଦେଶକ, ବାଇତୁରା ଦୀପଙ୍କୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ଲୋକସେବା ଭବନ

  • Published: Thursday, 26 September 2024
  • , Updated: 26 September 2024, 08:31 PM IST

ରାଜ୍ୟର ମୋହନ ମାଝୀ ସରକାର ଆଜି ମୋଟ ୫୯ଜଣ ଓଏଏସ୍ ଅପିସରଙ୍କ ବଦଳି କରିଛନ୍ତି । ୪୩ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ମିଳିଥିବାବେଳେ ୩ଜଣ ବିଡିଓଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି । ଆଉ ୧୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ମଧ୍ୟ ବଦଳି କରି ନୂଆ ସ୍ଥାନରେ ଅବସ୍ଥାପିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଯୁକ୍ତି ମିଳିଛି । ଏ ସଂକ୍ରାନ୍ତରେ ଆଜି ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ବଦଳି ନିର୍ଦ୍ଦେଶ ଜାରି ହୋଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଏମସି ଜେନେରାଲ ମ୍ୟାନେଜର ବରିଷ୍ଠ ଓଏଏସ୍ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସମେତ କଟକସ୍ଥିତ ବନ୍ଦୋବସ୍ତ ଅଧିକାରୀ ବବିତାରାଣୀ ଦଳବେହେରା, ଓସଡମା ମୁଖ୍ୟ ଜେନେରାଲ ମ୍ୟାନେଜର ରଶ୍ମୀରଞ୍ଜନ ସାହୁ ଓ ବିଏମସି ଡେପୁଟି କମିଶନର ପ୍ରିୟବ୍ରତ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁତୟନ କରାଯାଇଛି । ଏହି ସମସ୍ତ ୪ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁତୟନ କରାଯାଇଛି ।

ସେହିପରି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ତ୍ରିଲୋଚନ ପାତ୍ରଙ୍କୁ ଅବକାରୀ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କୁ ଭୁବନେଶ୍ୱର ରାଜସ୍ୱ ଅଫିସର ପ୍ରଶିକ୍ଷଣ କେନ୍ଦ୍ର(ରୋଟି) ଯୁଗ୍ମ ନିର୍ଦ୍ଦେଶକ, ବାଇତୁରା ଦୀପଙ୍କୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ଓଏଏସ୍ ରଶ୍ମୀରେଖା ପ୍ରଧାନଙ୍କୁ ବିଏମସି ଡେପୁଟି କମିଶନର, ସୌମ୍ୟରୂପା ରଥଙ୍କୁ ସୋନପୁର ଉପଜିଲ୍ଲାପାଳ, ମନୋଜ କୁମାର ତ୍ରିପାଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଉପସଚିବ, ସୌରଭ ଚକ୍ରବର୍ତ୍ତୀଙ୍କୁ ଭଦ୍ରକ ଉପଜିଲ୍ଲାପାଳ ଓ ଅଂଶୁମାନ ମହାପାତ୍ରଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି ।

ସେହିପରି ପଂଚାୟତିରାଜ ବିଭାଗ ଆଜି ୪୩ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦେଇଛି । ଅନ୍ୟ ୩ଜଣ ବିଡିଓଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦେଇଛି । ଗଞ୍ଜାମ ବେଗୁନିଆପଡ଼ା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଏରସମା ବିଡିଓ ଲମ୍ବୋଦର ଖୁଂଟିଆ ଓ ମାହାଙ୍ଗା ବିଡିଓ ବିଶ୍ୱରଞ୍ଜନ ବିଶ୍ୱାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ଫେରସ୍ତ କରାଯାଇଛି । ଏହି ୩ଜଣଙ୍କ ବ୍ୟତୀତ ଅନ୍ୟ ୪୩ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡିଓ ଭାବେ ନିଯୁକ୍ତି ଦିଆଯିବା ସଂକ୍ରାନ୍ତ ବିଜ୍ଞପ୍ତି ଆଜି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ହୋଇଛି ।

 

Related story