ବଦଳିଲେ ବହୁ ଜିଲ୍ଲାର ଏସ୍‌ପି, ହଟିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ

ପୁରୀ ଏସ୍‌ପି ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି। 

ପ୍ରତୀକ ସିଂହ

  • Published: Sunday, 29 September 2024
  • , Updated: 29 September 2024, 10:27 PM IST

ୱାଇ. ବି ଖୁରାନିଆ ନୂଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ନେବାର ପ୍ରାୟ ଦେଢ଼ ମାସ ପରେ ଆଜି ଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ୨୦ଟି ଜିଲ୍ଲାର ଏସ୍‌ପିଙ୍କ ବଦଳି ହୋଇଛି। ବ୍ରହ୍ମପୁର ଓ ରାଉରକେଲା ଏସ୍‌ପି ମଧ୍ୟ ବଦଳିଛନ୍ତି। ଆଉ ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।   

ଭାରତପୁର ଥାନା କାଣ୍ଡ ମାମଲାରେ ବିବାଦ ମଧ୍ୟକୁ ଠେଲି ହୋଇଯାଇଥିବା ୨୦୧୪ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି କରି ବଦଳି କରାଯାଇଛି। ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପୁରୀ ଏସ୍‌ପି ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି। ଯାଜପୁର ଏସ୍‌ପି ଥିବା ୨୦୧୬ ବ୍ୟାଚ୍‌ର ଆଇପିଏସ୍ ବିନିତ ଅଗ୍ରୱାଲଙ୍କୁ ପୁରୀ ଏସ୍‌ପି କରାଯାଇଛି।  

ଢେଙ୍କାନାଳ ଏସ୍‌ପି ଥିବା ୨୦୧୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକ ଏସ୍‌ପି ଭାବେ ବଦଳି କରାଯାଇଛି। ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସ୍‌ପି ଭାବେ ବଦଳି କରାଯାଇଛି। 

ଦେବଗଡ଼ ଏସ୍‌ପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଥିବା ରାହୁଲ ପିଆରଙ୍କୁ ମଧ୍ୟ ଭିଜିଲାନ୍ସ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ର ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। କଟକ ଏସ୍‌ପି ଥିବା ଏଲ୍‌ ଦିବ୍ୟା ବି’ଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। 

ନୟାଗଡ଼ ଏସ୍‌ପି ଥିବା ୨୦୧୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ରାହୁଲ ଜୈନଙ୍କୁ ଅନୁଗୋଳ ଏସ୍‌ପି ଭାବେ ବଦଳି କରାଯାଇଛି। ମୟୂରଭଞ୍ଜ ଏସ୍‌ପି ଏସ୍‌ ସୁଶ୍ରୀଙ୍କୁ ନୟାଗଡ଼ ବଦଳି କରାଯାଇଥିବା ବେଳେ ଗଜପତି ଏସ୍‌ପି ସ୍ୱାତୀ ଏସ୍‌ କୁମାରଙ୍କୁ ରାୟଗଡ଼ା, ମାଲକାନଗିରି ଏସ୍‌ପି ନୀତେଶ ୱାଧାନିଙ୍କୁ ରାଉରକେଲା, ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କୁ ବାଲେଶ୍ୱର ଏସ୍‌ପି ଭାବେ ବଦଳି କରାଯାଇଛି। ଭିଜିଲାନ୍ସ ଏସ୍‌ପି ଥିବା ଡାକ୍ତର ଏସ୍‌. ବିବେକ ଏମ୍‌ଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି। 

ପୁଲିସ ମୁଖ୍ୟାଳୟରେ ଏଆଇଜି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସ୍‌ପି ଭାବେ ବଦଳି କରାଯାଇଛି। କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଗଞ୍ଜାମ, ନବରଙ୍ଗପୁର ଏସ୍‌ପି ରୋହିତ ବର୍ମାଙ୍କୁ କୋରାପୁଟ, ସୋନପୁର ଏସ୍‌ପି ଯଶପ୍ରତାପ ଶ୍ରୀମଲଙ୍କୁ ଯାଜପୁର ଓ ରାୟଗଡ଼ା ଏସ୍‌ପି ହରିଶ ବି.ସିଙ୍କୁ କନ୍ଧମାଳ ଏସ୍‌ପି ଭାବେ ବଦଳି କରାଯାଇଛି।

୫ ଓପିଏସ୍‌ ହେଲେ ଏସ୍‌ପି

ଏହି ଅଦଳବଦଳ ପ୍ରକ୍ରିୟାରେ ୫ ଜଣ ଓପିଏସ୍‌ଙ୍କୁ ଏସ୍‌ପି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର-କଟକ ପୁଲିସ କମିଶନରେଟରେ ଅତିରିକ୍ତ ଡିସିପି ଥିବା ଓପିଏସ୍ ଅଫିସର ଅନୀଲ କୁମାର ମିଶ୍ରଙ୍କୁ ଦେବଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି। 

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଥିବା ଓପିଏସ୍ ଅଫିସର ରାମ ପ୍ରସାଦ ସାହୁଙ୍କୁ  ସୋନପୁର ଏସ୍‌ପି ଭାବେ ବଦଳି କରାଯାଇଛି। ଢେଙ୍କନାଳ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସ୍‌ପି ଥିବା ଭବାନୀ ଶଙ୍କର ଉଦଗାତାଙ୍କୁ ଜଗତସିଂହପୁର ଏସ୍‌ପି ଭାବେ ବଦଳି କରାଯାଇଛି।

ସେହିପରି ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏସ୍‌ପି ଥିବା ତଥା କଟକ ଏସ୍‌ଆରପି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ଓପିଏସ୍ ଅଫିସର ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ନୂଆ ଦାୟିତ୍ୱ ମିଳିଛି। 

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ପ୍ରଶାସକ (ସୁରକ୍ଷା) ଥିବା ଓପିଏସ୍‌ ଅଫିସର ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ଗଜପତି ଜିଲ୍ଲା ଏସ୍‌ପି ଭାବେ ବଦଳି କରାଯାଇଛି। 

    

 

 

 

Related story