Advertisment

ପ୍ରବାସୀଙ୍କୁ ସ୍ୱାଗତ ପାଇଁ ଭବ୍ୟ ପ୍ରସ୍ତୁତି : ସଜେଇ ହେଉଛି ରାଜଧାନୀ, ୩୭୦୦ରୁମ୍ ବୁକ୍‌

ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ। ଭୁବନେଶ୍ୱରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ରାସ୍ତାର ପ୍ରାଚୀର, କାନ୍ଥ ଆଦିରେ ଚିତ୍ରକଳା ପେଣ୍ଟିଂ ସହ ବିଭିନ୍ନ ସ୍ଥାନରେ କଳାକୃତି ରଖାଯିବ।

author-image
Ordigital Desk
ଅଦ୍ୟତନ ହୋଇଛି
undefined

Loka Seva Bhavan

ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଭବ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱରକୁ ସଜେଇବା ସହ ପ୍ରବାସୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ୩୭୦୦ରୁମକୁ ରାଜ୍ୟ ସରକାର ଆଗୁଆ ବୁକ୍ କରିସାରିଥିବାବେଳେ ଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ଥିବା ୨୮ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଛି।

Advertisment

ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁଆରୀ ୮ରୁ ୧୦ତାରିଖ ୩ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ଆୟୋଜନକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ଟି ସବକମିଟି ଗଠନ କରାଯାଇଛି। ଏହି କମିଟି ଦ୍ୱାରା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ମୁଖ୍ୟ ସଚିବ ଆଲୋଚନା କରିଥିଲେ।

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବାକୁ ଆସିବାକୁ ଥିବା ଅତିଥି, ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ପର୍ଯ୍ୟଟନ ବିଭାଗ ୩୭୦୦ଟି ରୁମ୍ ବୁକ କରିଛି। ଭୁବନେଶ୍ୱରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ରାସ୍ତାର ପ୍ରାଚୀର, କାନ୍ଥ ଆଦିରେ ଚିତ୍ରକଳା ପେଣ୍ଟିଂ ସହ ବିଭିନ୍ନ ସ୍ଥାନରେ କଳାକୃତି ରଖାଯିବ। ଏହାସହ ବିଭାଗ ତରଫରୁ କେତେ ଏୟାରଲାଇନ୍ସ ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କୁ ଫ୍ଲାଇଟ୍ ସଂଖ୍ୟା ବୃଦ୍ଧି ପାଇଁ ଅନୁରୋଧ କରାଯାଇଛି। ନଗର ଉନ୍ନୟନ ବିଭାଗ, ବିଡିଏ, ବିଏମସି, ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ ଆଦିର ସହଯୋଗରେ ଭୁବନେଶ୍ୱର ସହର ଯେଭଳି ଆକର୍ଷଣୀୟ ରୂପରେ ଶୋଭା ପାଇବ ସେଥିପାଇଁ ପ୍ରୟାସ କରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି। ରାଜ୍ୟ ସଂଗ୍ରହାଳୟ, ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ, ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।

Advertisment

ସେହିପରି କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନରେ ଯେପରି ବ୍ୟାପକ ଇଂଟରନେଟ୍ ସୁବିଧା ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଆଇଟି ବିଭାଗକୁ କୁହାଯାଇଛି। ଜନତା ମଇଦାନର କାର୍ଯ୍ୟକ୍ରମ ସ୍ଥଳରେ ଭିଭିଆଇପି, ଅତିଥି, ପ୍ରବାସୀ ଭାରତୀୟ,ସ୍ଥାନୀୟ ଦର୍ଶକମାନଙ୍କ ବସିବା, ଯାନବାହନ ପାର୍କିଂ, ଉତ୍ସବ ସ୍ଥଳରେ ଖାଦ୍ୟବ୍ୟବସ୍ଥା ଆଦିର ବ୍ୟାପକ ଆୟୋଜନ ଠିକଠାକ୍ କରିବା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ସବୁ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Bhubaneswar News Pravasi Bharatiya Divas Manoj Ahuja