Advertisment

ନବୀନ ନିବାସ ଆଗ ରାସ୍ତାରୁ ହଟିବ ଅବରୋଧ?

ପୋଖରୀପୁଟରୁ ପୂନାମା ଗେଟ୍ ଓ ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଚଉଡ଼ା ହେଉଛି। ଏଥିପାଇଁ ଏବେ ଏୟାରପୋର୍ଟକୁ ଲାଗିଥିବା ଅବରୋଧଗୁଡ଼ିକୁ ହଟାଯାଉଛି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Road widening

Road widening

ନବୀନ ନିବାସ ଆଗ ଦେଇ ଯାଇଥିବା ରାସ୍ତାର ସଂପ୍ରସାରଣ କାମ ଆରମ୍ଭ ହୋଇଛି। ପୋଖରୀପୁଟରୁ ପୂନାମା ଗେଟ୍ ଓ ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଚଉଡ଼ା କରିବା ପାଇଁ ଭୁବନେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ୍-୨ ପକ୍ଷରୁ କିଛି ଦିନ ହେଲା ଜୋରସୋରରେ କାମ ଆରମ୍ଭ ହୋଇଛି। ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ଏହି ଦୁଇ କିଲୋମିଟର ରାସ୍ତା ତିଆରି ହେଉଥିବା ସୂଚନା ମିଳିଛି।

Advertisment

ଭୁବନେଶ୍ୱର ବିମାନ ବନ୍ଦର କଡ଼ ଦେଇ ଯାଇଥିବା ଏହି ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ଏବେ ଏୟାରପୋର୍ଟକୁ ଲାଗିଥିବା ଅବରୋଧଗୁଡ଼ିକୁ ହଟାଯାଉଛି। ତେବେ ଏହି ଅବରୋଧ ହଟାଇଲାବେଳେ ନବୀନ ନିବାସ ଆଗରେ ଅବରୋଧ ହୋଇ ରହିଥିବା ଗୋଟିଏ ଲେନକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସୁରକ୍ଷା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ନବୀନ ନିବାସ ଆଗରେ ପୂର୍ତ୍ତ ବିଭାଗ ଦୁଇ-ଥାକିଆ ଚଉଡ଼ା ରାସ୍ତା ତିଆରି କଲା। ଏଥିରୁ ଗୋଟିଏ ରାସ୍ତାକୁ ସବୁଦିନ ପାଇଁ ସୁରକ୍ଷା କର୍ମୀଙ୍କ ଗାଡ଼ି ରହିବା ପାଇଁ ବନ୍ଦ କରିଦିଆଗଲା। ସାଧାରଣ ଲୋକେ ଏବେ କେବଳ ଗୋଟିଏ ପଟ ରାସ୍ତାରେ ଯା-ଆସ କରୁଛନ୍ତି। ପୂର୍ତ୍ତ ବିଭାଗ ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦର ପାଖରୁ ପ୍ରାୟ ୩ ଏକର ଜମି ଆଣିଥିଲା। ବିମାନ ବନ୍ଦରକୁ ସେହି ପରିମାଣ ଜାଗା ଦେଇଥିଲେ ରାଜ୍ୟ ସରକାର। କ୍ୟାପିଟାଲ ରୋଡ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ବା ସିଆରଡିପି କାର୍ଯ୍ୟକ୍ରମ ଜରିଆରେ ଏହି ରାସ୍ତା ପାଇଁ ୩.୨୨ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଥିଲା।

Advertisment

ହେଲେ କାମକୁ ଅଧାପନ୍ତରିଆ ଛାଡ଼ି ଦିଆଯାଇଥିବାରୁ ମହାଲେଖାକାର ବା ସିଏଜି ୨୦୨୨ରେ ଏହାର ସମାଲୋଚନା କରିଥିଲେ। ରାସ୍ତାଟି ସର୍ବସାଧାରଣଙ୍କ କାମରେ ଠିକ ଭାବରେ ଲାଗି ପାରିଲା ନାହିଁ ବୋଲି ଦର୍ଶାଇଥିଲେ। ଅନ୍ୟପଟରେ ଏହି ଟଙ୍କାରୁ ୧ କୋଟି ୧୩ ଲକ୍ଷ ଖର୍ଚ୍ଚ ହୋଇପାରିନଥିଲା ଓ ରାସ୍ତାରେ ଥିବା ଦୁଇଟି ଟ୍ରାନସଫର୍ମର ଉଠିନପାରିବାରୁ ରାସ୍ତାଟି ଦୁର୍ଘଟଣାପ୍ରବଣ ହୋଇଛି ବୋଲି ସିଏଜି ଦର୍ଶାଇଥିଲେ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଯିବା ପରେ ନବୀନ ନିବାସ ଆଗ ଦେଇ ଯାଇଥିବା ରାସ୍ତାରେ ଆଉ ବିଶେଷ ସୁରକ୍ଷା ଗାଡ଼ି ରହୁନାହିଁ। ସୁରକ୍ଷା କର୍ମୀ ବି କମିଛନ୍ତି। ଏବେ ସରକାର ନବୀନ ନିବାସ ଆଗ ରାସ୍ତାକୁ ଅବରୋଧମୁକ୍ତ କରିବେ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍ଗୋ

Naveen Patnaik Naveen Niwas Road Widening