/odisha-reporter/media/post_attachments/uploadimage/library/16_9/16_9_0/Tiger_1697985926.jpg)
Tiger
ଓଡ଼ିଶା ମୁହାଁ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ବାଘ। ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଜଙ୍ଗଲରେ ଘୂରି ବୁଲୁଛି ମହାବଳ ବାଘ। ରାତି ହେଲେ ଗାଁରେ ପଶି ଗାଈଗୋରୁଙ୍କୁ ଶିକାର ବି କରୁଛି। ବନ ବିଭାଗ କ୍ୟାମେରା ଟ୍ରାପରୁ ମହାବଳର ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଛି। ଜଙ୍ଗଲ ସହ ଗାଁରେ ମହାବଳ ବୁଲୁଥିବାରୁ ସ୍ଥାନୀୟ ଲୋକମାନେ ଛାନିଆ ହୋଇପଡ଼ିଛନ୍ତି।
ରାୟଗଡ଼ ଓ ଗୋଷାଣୀ ଜଙ୍ଗଲରେ ବୁଲୁଥିବା ମହାବଳ ବାଘ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛି। ଲୋକଙ୍କ ଗୁହାଳରେ ବନ୍ଧା ଗାଈଗୋରୁଙ୍କୁ ସେ ଶିକାର କରୁଛି। ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବନାଞ୍ଚଳରେ ଗୋଟିଏ ମହାବଳ ବାଘ ବୁଲୁଥିବାର ଜଣାପଡ଼ିଛି। ବନ ବିଭାଗର କ୍ୟାମେରା ଟ୍ରାପରେ କଏଦ ହୋଇଛି ମହାବଳର ଫଟୋ। ମହେନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗାଁରେ ଦୁଇ ଦିନରେ ଦୁଇଟି ଗାଈକୁ ଘୋଷାରି ମାରିବା ପରେ ବନ ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନିଆଯାଇ ଥିଲା।
ଯାଞ୍ଚ ବେଳେ ଆଖପାଖ ଅଞ୍ଚଳରୁ ମହାବଳର ପାଦ ଚିହ୍ନ ମିଳିଥିଲା। ଏହାପରେ ମହାବଳର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ଖଞ୍ଜା ଯାଇଥିଲା କ୍ୟାମେରା ଟ୍ରାପ। ଯେଉଁଥିରୁ ଗଜପତିରେ ମହାବଳ ଘୁରି ବୁଲୁଥିବା ସ୍ପଷ୍ଟ ହୋଇଛି। ଏହାପରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ବାଘର ଗତିବିଧି ଉପରେ ବି ନଜର ରଖାଯାଇଛି।
ତେବେ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ। ସନ୍ଧ୍ୟା ହେଲେ ଘରେ ପଡ଼ୁଛି ତାଟି କବାଟ।
ମହାବଳର ଉପସ୍ଥିତି ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି। ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା। ଯେହେତୁ ବାଘ ସଂରକ୍ଷଣ ନେଇ ରାଜ୍ୟରେ ବ୍ୟାପକ ପଦକ୍ଷେପ ନିଆଯାଇଛି, ସେଥିପାଇଁ ବାରମ୍ବାର ଓଡ଼ିଶା ମୁହାଁ ହେଉଛନ୍ତି ବାଘ।
ମହାବଳ ବାଘ ଉପରେ ନଜର ରଖିବାକୁ କ୍ୟାମେରା ଟ୍ରାପ ସହ ସ୍ୱତନ୍ତ୍ର ଟ୍ରାକିଂ ୟୁନିଟ୍ ବି ନିୟୋଜିତ କରାଯାଇଛି। ଏହାଛଡ଼ା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ କ୍ଷୟକ୍ଷତିକୁ ତୁରନ୍ତ ଭରଣା କରାଯାଉଛି ବୋଲି ସେ କହିଛନ୍ତି।
ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବାଘ ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ବାଘ ସଂଖ୍ୟା ୨୦କୁ କମିଛି । ହେଲେ ବନ ବିଭାଗର ଦାବି ୨୦ ନୁହେଁ, ରାଜ୍ୟରେ ଅଧିକ ମହାବଳ ଅଛନ୍ତି । ଏସବୁ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜସ୍ୱ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ନଭେମ୍ବର ପହିଲାରୁ ବିଭିନ୍ନ ଜଙ୍ଗଲରେ ଲାଗିବ କ୍ୟାମେରା ଟ୍ରାପ। ଗଣତି ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
