Advertisment

ଚେକିଂ ସତ୍ତ୍ୱେ ସୁଧୁରୁ ନାହାନ୍ତି, ଦୁଇ ଦିନରେ ୩୩୪ଟି ମାମଲା ରୁଜୁ

ସୁନ୍ଦଗରଡ଼ରେ ଏକ ବସ୍‌ ଉପରେ ୧ଲକ୍ଷ ୨୨ ହଜାର ଟଙ୍କାର ଫାଇନ ଲଗାଇଛି ସ୍ଥାନୀୟ ପରିବହନ ବିଭାଗ। ଗାଡ଼ିଟି ଭବାନୀପୁର କ୍ରୀଡା ଛାତ୍ରାବାସରେ ରହି ଟାଉନ ହାଇସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିଲା।

Angul

Angul

Advertisment

କିଏ ବିନା ହେଲମେଟରେ ତ କିଏ ଡବଲ ବସାଇ ଗାଡ଼ି ଉଡାଉଛି? ପୁଣି କେଉଁଠି ଚେକିଂ ଦେଖି କିଏ ଚଟ୍‌ କରି ୟୁ ଟର୍ଣ୍ଣ ମାରିଲାଣି? ତ ଆଉ କିଏ ଧରାପଡ଼ି ଛାଡ଼ି ଦେବାକୁ କାକୁତି ମିନତୀ ହେଉଛି। ଧରାପଡ଼ିବା ପରେ ସ୍କୁଲ କଲେଜ ପଢୁଆ ପିଲାମାନେ ଆଜି ଏମିତି ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେଲା ରାଜ୍ୟର ପ୍ରାୟ ସବୁଆଡ଼େ ଜୁଭେନାଇଲ୍‌ ଡ୍ରାଇଭ ରୋକିବା ପାଇଁ କଡ଼ା ଆକ୍ସନ ମୁଡ୍‌ରେ ପରିବହନ ବିଭାଗ। ଉଦ୍ଦେଶ୍ୟ ବାରମ୍ବାର ସତର୍କ କରାଇବା ପରେ ମଧ୍ୟ ଚେତୁନଥିବା ବାପା-ମାଆଙ୍କୁ ରାସ୍ତାକୁ ଆଣିବା। ମିଳିଥିବା ସୂଚନା ଅନୁସାରେ ଦୁଇ ଦିନରେ ୩୩୪ଟି ମାମଲା ରୁଜୁ ହୋଇଛି। ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଚାଲାଣ କଟା ଯାଇଛି।

Advertisment

ଆଜି ସକାଳ ୬ଟାରେ ଅନୁଗୋଳ ଶିଶୁ ଉଦ୍ୟାନ ଛକରେ ଚେକିଂ କରୁଥିଲା ଆରଟିଓ ଟିମ୍। ୨ ଚକିଆ ଯାନ ଚାଳକଙ୍କ ମଧ୍ୟରୁ ଯାହାକୁ ସନ୍ଦେହ ହେଉଥିଲା, ତାକୁ ଅଟକାଇ ବୟସ ଯାଞ୍ଚ କରୁଥିଲେ। ୧୮ ବର୍ଷରୁ କମ୍‌ ହୋଇଥିଲେ ଓ ଡ୍ରାଇଭିଂ ଲାଇସେନ୍ସ ଦେଖାଇ ନପାରିଲେ କିଛି ଶୁଣୁନଥିଲେ। ସିଧା ଗାଡ଼ି ମାଲିକ ନାଁରେ ୨୫ ହଜାର ଟଙ୍କାର ଚାଲାଣ କାଟୁଥିଲେ।

ସେମିତିକା ଚିତ୍ର ଦେଖିବାକୁ ମିଳିଥିଲା ଇସ୍ପାତନଗରୀ ରାଉରକେଲାରେ। ଆର୍‌ଟିଓ ଟିମ୍‌ ଡିପିଏସ୍ ଛକରେ ଧରପଗଡ଼ କରୁଥିଲା।ସେହି ସମୟରେ ଗାଡ଼ି ଚଢ଼ି ଯାଉଥିବା ସ୍କୁଲ ପିଲାଙ୍କ ବୟସ ଯାଞ୍ଚ କରି ମୋଟା ଅଙ୍କର ଫାଇନ୍ କାଟିଥିଲା। କିଛି ଅଭିଭାବକ ହାତ ଯୋଡ଼ି ପରିବହନ ଅଧିକାରୀଙ୍କୁ ନେହୁରା ହେଉଥିବାର ଚିତ୍ର ଦେଖିବାକୁ ମିଳିଥିଲା। ହେଲେ ଫ୍ଲାଇଙ୍ଗ ସ୍କ୍ୱାଡ୍‌ କିଛି ଶୁଣିନଥିଲା।

Advertisment

ଠିକ୍‌ ସେମିତି ବାଲେଶ୍ୱର ଓ ବ୍ରହ୍ମପୁରରେ ଆଜି ବହୁ ନାବାଳକ, ନାବାଳିକା ଚଳାଉଥିବା ଗାଡ଼ି ଅଟକାଇ ଫାଇନ କାଟିଛି ଏନଫୋର୍ସମେଣ୍ଟ ଟିମ୍। ସଡ଼କ ସୁରକ୍ଷା ଦୃଷ୍ଟିରୁ ଏଭଳି ଅଭିଯାନ ଅତି ଉପାଦେୟ ବୋଲି କହିଲେଣି ଅନେକ ଅଭିଭାବକ।

ସେପଟେ ସୁନ୍ଦଗରଡ଼ରେ ଏକ ବସ୍‌ ଉପରେ ୧ଲକ୍ଷ ୨୨ ହଜାର ଟଙ୍କାର ଫାଇନ ଲଗାଇଛି ସ୍ଥାନୀୟ ପରିବହନ ବିଭାଗ। ଗାଡ଼ିଟି ଭବାନୀପୁର କ୍ରୀଡା ଛାତ୍ରାବାସରେ ରହି ଟାଉନ ହାଇସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିଲା। ହେଲେ ଯାଞ୍ଚ ବେଳେ ଉକ୍ତ ବସ୍‌ର କୌଣସି ଗୋଟିଏ କାଗଜପତ୍ର ଠିକ ନଥିବା ଜାଣିବାକୁ ପାଇଥିଲା ଆରଟିଓ ଟିମ୍‌। ବସ୍‌ଟି କୋଇଡାରୁ ସମ୍ବଲପୁରକୁ ଯାତ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା। ହେଲେ ଅଧିକ ଲାଭ ଆଶାରେ ସ୍କୁଲ ପିଲାଙ୍କୁ ନେଉଥିଲା। ତା’ସହ ଯାଞ୍ଚ ବେଳେ ଡ୍ରାଇଭରର ଲାଇସେନ୍ସ ନଥିବାରୁ ୫ ହଜାର, ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର, ପରମିଟ୍‌ ନଥିବାରୁ ୧୦ ହଜାର, ଇନସ୍ୟୁରାନ୍ସ ପାଇଁ ୨ ହଜାର, ଗତ ମାର୍ଚ୍ଚ ମାସରୁ ଟ୍ୟାକ୍ସ ପଇଠ ହୋଇନଥିବାରୁ ସେଥିପାଇଁ ୯୪ ହଜାର ୯୮୮ ଟଙ୍କାକୁ ମିଶାଇ ମୋଟ୍ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କାର ଚାଲାଣ କାଟି ବସକୁ ସିଜ୍‌ କରିଛି ପରିବହନ ବିଭାଗ।

ସେପଟେ ସାରା ରାଜ୍ୟରେ ଗତ ଦୁଇ ଦିନ ଭିତରେ ଜୁଭେନାଇଲ୍ ଡ୍ରାଇଭିଂ ସମ୍ପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଫାଇନ ଆଦାୟ ହେଲାଣି। ତେବେ ନନଷ୍ଟପ୍ ରାସ୍ତା ଦୁର୍ଘଟଣା ସହ ଅକାଳରେ ଜୀବନ ହାନୀ ରୋକିବାକୁ ଏସଟିଏର ଏ ରାଜ୍ୟବ୍ୟାପୀ ଅଭିଯାନ କେତେ ଫଳପ୍ରଦ ହେଉଛି, ଏବେ ତାହା ଦେଖିବାର କଥା।

RTO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe