/odisha-reporter/media/post_attachments/uploadimage/library/16_9/16_9_0/CM_1728135303.jpg)
CM
ଦେଶର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ସହିଦ୍ ବାଜି ରାଉତ ଜୟନ୍ତୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଅନେକ ବୀର ଓଡ଼ିଆଙ୍କ ମଧ୍ୟରେ ସହିଦ୍ ବାଜି ରାଉତଙ୍କ ସ୍ଥାନ ଅନନ୍ୟ ଓ ସବୁଠାରୁ ଭିନ୍ନ। କେବଳ ଓଡ଼ିଶା ନୁହେଁ, ସାରା ଭାରତର କନିଷ୍ଠତମ ସ୍ଵାଧୀନତା ସଂଗ୍ରାମୀଭାବେ ମାନ୍ୟତା ପାଇଥିବା ଏହି ବୀର ବାଳକଙ୍କ ଜୀବନୀ ସ୍ୱଳ୍ପ ହୋଇଥାଇ ପାରେ, ହୁଏତ ତାଙ୍କ ବୀରତ୍ୱର ଗାଥା ଇତିହାସର ଗୋଟିଏ କିମ୍ବା ଦୁଇଟା ପୃଷ୍ଠାରେ ସୀମାବଦ୍ଧ ହୋଇଥାଇ ପାରେ, କିନ୍ତୁ ସେଇ ବୀରତ୍ଵର ଗାଥା ଭବିଷ୍ୟତ ପିଢିକୁ ବ୍ରିଟିଶ ସରକାର ବିରୋଧରେ ଲଢିବା ପାଇଁ ଲକ୍ଷ ଲକ୍ଷ ବାଜି ରାଉତ ସୃଷ୍ଟି କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଅକ୍ଟୋବର ମାସରେ ବାଜି ରାଉତଙ୍କ ସହିତ ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ, ଉତ୍କଳମଣି ଗୋପବନ୍ଧୁ ଦାସ ପରି ପ୍ରମୁଖ ମହାନାୟକମାନେ ମଧ୍ୟ ଜନ୍ମ ଗ୍ରହଣ କରିଥିଲେ। ସମସ୍ତେ ନିଜ ନିଜ ସ୍ତରରେ ଏ ଦେଶ, ଏ ଜାତି ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି। ବାଜି ରାଉତଙ୍କ ବଳିଦାନର ବ୍ୟଥା ଯାଇ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବାଜି ରାଉତଙ୍କ ତ୍ୟାଗର ପଦଚିହ୍ନକୁ ଅନୁସରଣ କରି ୧୯୪୨ ମସିହା ସେପ୍ଟେମ୍ବର ମାସରେ ଭଦ୍ରକ ଜିଲ୍ଲାର ଇରମ ମାଟି ରକ୍ତାକ୍ତ ହୋଇଉଠିଥିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଲହୁରେ। ଓଡ଼ିଶାରେ ସେହି ସମୟରେ ଚାଲି ଆସୁଥିବା ସ୍ଵାଧୀନତା ସଂଗ୍ରାମର ଯାତ୍ରାରେ ବାଜି ରାଉତଙ୍କ ବଳିଦାନ ଜନ ମାନସରେ ଏକ ଅଭୂତପୂର୍ବ ଉତ୍ସାହ ଭରି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଇଂରେଜ ସରକାର ତାଙ୍କ ଶାସନ ପ୍ରଣାଳୀକୁ ସହଜ କରିବା ପାଇଁ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲ ବନ୍ଦୀ ଓ ଗଡଜାତ ଅଞ୍ଚଳ ଭାବେ ନାମିତ କରିଥିଲେ। ଗଡଜାତ ଅଞ୍ଚଳର ରାଜାମାନେ ଇଂରେଜ ସରକାରଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରି ପ୍ରଜାମାନଙ୍କୁ ଶୋଷଣ କରୁଥିଲେ। ରାଜ କର୍ମଚାରୀମାନଙ୍କ ଦୌରତ୍ମ୍ୟରେ ଲୋକମାନ ଅତିଷ୍ଠ ହୋଇ ଉଠୁଥିଲେ। ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣର ଫଳ ସ୍ୱରୂପ ପୁଞ୍ଜିଭୂତ ଅସନ୍ତୋଷ ବୃଦ୍ଧି ପାଇ ବିସ୍ଫୋରଣର ରୂପ ନେଉଥିଲା। କିନ୍ତୁ ରାଜାମାନେ ଇଂରେଜ ସରକାରଙ୍କ ସାହାଯ୍ୟରେ ତାହାକୁ କଳେ ବଳେ କୌଶଳେ ଦମନ କରୁଥିଲେ। ଅନ୍ୟାୟ ଅତ୍ୟାଚାରକୁ ଦୂର କରି ଦେଶକୁ ସ୍ୱାଧୀନ କରିବା ପାଇଁ ସମସ୍ତଙ୍କ ମନ ଭିତରେ ନୂତନ ଆଶା ଓ ଉଦ୍ଦୀପନା ସୃଷ୍ଟି ହେଉଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବାଜି ରାଉତଙ୍କ ଜୀବନୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୨୬ ମସିହା ଆଜିର ଦିନରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠ ପୁର ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ବାଜି ରାଉତ। ବାଜି ରାଉତ ବ୍ରାହ୍ମଣୀ ନଦୀରେ ଡଙ୍ଗା ଚଳାଇ ଅନ୍ୟ ସାଧାରଣ ପରିବାର ପରି ଜୀବନ ଅତିବାହିତ କରୁଥିଲେ। ୧୨ ବର୍ଷ ହେବା ବେଳକୁ ସେ ଢେଙ୍କାନାଳର ଅନେକ ସ୍ୱାଧୀନଚେତା ସଂଗ୍ରାମୀଙ୍କ ସହିତ ପ୍ରଜା ମଣ୍ଡଳ ଆନ୍ଦୋଳନର ଜଣେ ସକ୍ରିୟ କର୍ମୀ ରୂପେ କାର୍ଯ୍ୟ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସହିଦ୍ ବାଜି ରାଉତ ମେମୋରିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା, କ୍ରୀଡା, ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଯୋଗ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
