Advertisment

ଏସ୍‌ସିବିରେ ରୋଗୀଙ୍କ ଜୀବନ ସହ ଖେଳ! ଅନ୍ଧାରରେ ଚାଲିଛି ସବୁ କିଛି

ଏସ୍‌ସିବିକୁ ସରକାର ବିଶ୍ୱସ୍ତରୀୟ ମେଡିକାଲ କରିଥିବା କହୁଥିବେଳେ ଏଠାରେ ଥିବା ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। କେବଳ ଅଭିଯୋଗ ଆସିନି ବରଂ ଏସ୍‌ସିବିରେ ଚାଲିଥିବା ଅବ୍ୟବସ୍ଥାର ଦୁଇଟି ତାଜା ଅଦେଖା ଚିତ୍ର ବି ସମସ୍ତଙ୍କ ସାମ୍ନାକୁ ଆସିଛି।

author-image
Hemant Lenka
Odisha

Odisha

କଟକ ବଡ଼ ମେଡିକାଲରେ ମୋବାଇଲ୍ ଲାଇଟରେ ହେଉଛି ରୋଗୀ ସେବା। ପୁଣି ଘଣ୍ଟା ଘଣ୍ଟା ଲାଇନ୍ ନଥିବାରୁ ରୋଗୀ ହେଉଛନ୍ତି କଲବଲ। ନିଦାନ ବିଭାଗରେ ଟେଷ୍ଟିଂ ବି ବନ୍ଦ। ରୋଗୀଙ୍କ ଜୀବନ ସହ ଚାଲିଥିବା ଏ ଖେଳକୁ ବି କ’ଣ ବିଶ୍ୱସ୍ତରୀୟ ବୋଲି ପ୍ରଶ୍ନ କଲେଣି ରୋଗୀଙ୍କ ସଂପର୍କୀୟ।

Advertisment

ଏସ୍‌ସିବିକୁ ସରକାର ବିଶ୍ୱସ୍ତରୀୟ ମେଡିକାଲ କରିଥିବା କହୁଥିବେଳେ ଏଠାରେ ଥିବା ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। କେବଳ ଅଭିଯୋଗ ଆସିନି ବରଂ ଏସ୍‌ସିବିରେ ଚାଲିଥିବା ଅବ୍ୟବସ୍ଥାର ଦୁଇଟି ତାଜା ଅଦେଖା ଚିତ୍ର ବି ସମସ୍ତଙ୍କ ସାମ୍ନାକୁ ଆସିଛି। ଗୋଟିଏ ମୋବାଇଲ୍ ଲାଇଟରେ ରୋଗୀସେବା ବେଳର ଦୃଶ୍ୟ ଓ ଅନ୍ୟଟି ହେଲା ଲାଇନ୍ ନଥିବାରୁ ନିଦାନ ବିଭାଗରେ ପଡ଼ିଛି ତାଲା।

ଶନିବାର କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନଥିବାରୁ ମୋବାଇଲ୍ ଲାଇଟରେ କାହାକୁ ଇଂଜେକସନ ତ କାହାକୁ ଔଷଧ ଦିଆଯାଇଥିଲା। ଏମିତି କି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍। ରୋଗୀ କଲବଲ ହେବା ସହ ସେମାନଙ୍କ ସହ ଆସିଥିବା ସଂପର୍କୀୟ ବି ଯମ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି।

Advertisment

ଏଣେ ଲାଇନ୍ ନଥିବାରୁ ଇଣ୍ଡୋର ପେସେଣ୍ଟଙ୍କ ପାଇଁ ଉଦ୍ଦିଷ୍ଟ ନିଦାନ କେନ୍ଦ୍ରରେ ବି ତାଲା ପଡ଼ିଛି। ରକ୍ତ ପରୀକ୍ଷା ଓ ସିଟି ସ୍କାନ ବନ୍ଦ ହୋଇ ଯାଇଛି। ଗୋଟିଏ ପଟେ ଅନ୍ଧାର ଓ ଗରମରେ ସଢୁଥିବା ରୋଗୀ ମୂକ ପାଲଟି ଯାଇଛନ୍ତି। ସଂପର୍କୀୟଙ୍କ ପ୍ରଶ୍ନ ଖାଲି ବଡ଼ ବଡ଼ କଥାରେ କ’ଣ ରୋଗୀ ବଞ୍ଚିଯିବେ?

ବିଶ୍ୱସ୍ତରୀୟ ମେଡିକାଲର ଡିଣ୍ଡିମ ପିଟା ଚାଲିଥିବା ଏସସିବିରେ ଅବ୍ୟବସ୍ଥାର ଚିତ୍ର ନୂଆ ନୁହେଁ। ୨୦୨୨ ମସିହା ମେ’ ୭ ତାରିଖରେ କଟକ ବଡ଼ ମେଡିକାଲରେ ମୃତଦେହ ଉପରେ ରୋଗୀସେବାର ଅଭିଯୋଗ ସାରା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିଲା। ସେହିପରି ୨୦-୦୪-୨୦୨୨ରେ ଷ୍ଟ୍ରେଚରେ ରୋଗୀ ନେବାକୁ ହେଲେ କେମିତି ରୋଗୀଙ୍କ ସଂପର୍କୀୟଙ୍କୁ ନିଜ ମୋବାଇଲ୍ ବନ୍ଧା ରଖିବାକୁ ପଡୁଥିଲା, ସେ ଖବର ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଆଉ ଗତ ଅଗଷ୍ଟ ୧ରେ ମେଡିକାଲ ଭିତରେ ପାଣିର ସୁଅ, ଯେମିତି ପୂରା ଢିଲା ବ୍ୟବସ୍ଥାର ପୋଲ୍ ଖୋଲି ଦେଇଥିଲା।

ଅବ୍ୟବସ୍ଥା ମଧ୍ୟରେ ରାଜ୍ୟର ସବୁଠାରୁ ବଡ଼ ହସ୍ପିଟାଲରେ ରୋଗୀ ସେବା ଚାଲିଥିବା ବେଳେ ପ୍ରଶାସନ ଦୋଷ ଲଦାଲଦିରେ ବ୍ୟବସ୍ତ। ଏସସିବି ମେଡିକାଲ ଇଲେକ୍ଟ୍ରିକ୍ ମେଣ୍ଟେନାନସ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପରକୁ ଦୋଷ ଠେଲି ନିଜ ଅସହାୟତା ପ୍ରକାଶ କରିଛନ୍ତି ଅଧୀକ୍ଷକ ଡାକ୍ତର ସୁଧାଂଶୁ ମିଶ୍ର।

ସେ କହିଛନ୍ତି, ଏହା ଏକ ଟେକ୍ନିକାଲ ଓ ଇଲେକ୍ଟ୍ରି କାମ। ଏ ବିଷୟରେ ଆମେ କହିବା ଠିକ ହେବ ନାହିଁ। ସେମାନେ ଯଦି ମଝିରେ ମଝିରେ ଏହାକୁ ଯାଞ୍ଚ କରନ୍ତେ, ତା’ହେଲେ ଏପରି ଘଟଣା ଆଉ ଘଟନ୍ତା ନାହିଁ। ଏଠାରେ ବିଜୁଳି ବିଭ୍ରାଟ ଯେମିତି ନ ହେବ, ସେଥିପାଇଁ ଇଲେକ୍ଟ୍ରିକ ବିଭାଗ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।

Odisha Cuttack Scb Medical