ଚଳିତ ମାସରୁ ଜିଲ୍ଲା ଗସ୍ତରେ ଯିବେ ସଚିବ, ପ୍ରତି ମାସରେ ବଦଳିବ ଆବଣ୍ଟିତ ଜିଲ୍ଲା

ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨-୩ଦିନର ଯୋଜନା ପ୍ରସ୍ତୁତ କରିବା ସହ ଅନ୍ୟ ୧୧ଟି ଦିଗ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସହିତ ବିଭିନ୍ନ ବିଭାଗର ସଚିବମାନେ

  • Published: Wednesday, 04 September 2024
  • , Updated: 04 September 2024, 10:22 PM IST

ଦୀର୍ଘ ପ୍ରାୟ ଦୁଇବର୍ଷ ପରେ ସଚିବମାନେ ପୁଣିଥରେ ଚଳିତ ମାସରୁ ଜିଲ୍ଲା ଗସ୍ତରେ ଯିବେ । ସେମାନଙ୍କୁ ଆଜି ଜିଲ୍ଲା ଆବଂଟିତ ହୋଇଛି । ପ୍ରତିମାସରେ ‘ସଚିବମାନଙ୍କୁ ଆବଂଟିତ ଜିଲ୍ଲା’ ବଦଳିବ । ବିଜେଡି ସରକାରରେ ‘ଭିକେ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ’ ପାଇଁ ସଚିବମାନଙ୍କ ଜିଲ୍ଲା ଗସ୍ତ ଉପରେ ଅଘୋଷିତ କଟକଣା ଜାରି ହୋଇଥିଲା । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ଅଗଷ୍ଟ ୨୪ତାରିଖରେ ‘ପୁଣି ଜିଲ୍ଲା ଗସ୍ତରେ ଯିବେ ସଚିବ’ ଶୀର୍ଷକ ଏକ ତଥ୍ୟଭିତ୍ତିକ ଖବର ‘ଓଡ଼ିଶା ରିପୋର୍ଟର’ ପ୍ରକାଶ କରିଥିଲା ।

ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଆଜି ସମସ୍ତ ବିଭାଗର ସଚିବ ଓ ଅନ୍ୟ ୮ଜଣ ନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କୁ ଚିଠି ଲେଖି ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨-୩ଦିନର ଯୋଜନା ପ୍ରସ୍ତୁତ କରିବା ସହ ଅନ୍ୟ ୧୧ଟି ଦିଗ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।

ଏହି ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାର ଯେକୌଣସି ସ୍ଥାନକୁ ନିଜ ଇଚ୍ଛା ଅନୁସାରେ ପରିଦର୍ଶନରେ ଯାଇପାରିବେ । ତେବେ ଏଥିରେ ଅପହଂଚ ଓ ଆଦିବାସୀ ବହୁଳ ଅଂଚଳକୁ ସାମିଲ କରିବାକୁ କୁହାଯାଇଛି । ଗସ୍ତ ସମୟରେ ସେମାନେ ଯେକୌଣସି ଗୋଟିଏ ପଂଚାୟତକୁ ପରିଦର୍ଶନ କରି ସେଠାରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡ଼ିକ କିଭଳି ଉପଲବ୍ଧ ହେଉଛି ତାହା ତଦାରଖ କରିବେ । ଏହାସହିତ ଦିନକୁ ଅତିକମରେ ଧାର୍ଯ୍ୟ ମୂଲ୍ୟଦେଇ ଆହାର କେନ୍ଦ୍ର, ଆବାସିକ ଛାତ୍ରାବାସ, ସ୍କୁଲ ମଧ୍ୟାହ୍ନଭୋଜନ ଅବା ଅନାଥ ଆଶ୍ରମରେ ଭୋଜନ କରି ଖାଦ୍ୟର ଗୁଣବତ୍ତା ଓ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ । ଏହି ସମୟରେ ସେମାନେ ଛାତ୍ରଛାତ୍ରୀ ଓ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେଠାରେ ଉପଲବ୍ଧ ସୁରକ୍ଷା, ସୁବିଧାସୁଯୋଗ ଓ ସେମାନଙ୍କ ପ୍ରତି କରାଯାଉଥିବା ଆଚରଣ ପଚାରି ବୁଝିବେ ।

କେବଳ ସେତିକି ନୁହେଁ ଜିଲ୍ଲା ଗସ୍ତବେଳେ ବିଭିନ୍ନ ବର୍ଗର ଲୋକ, ହସ୍ପିଟାଲରେ ଚିକିତ୍ସିତ ରୋଗୀ, ଅଙ୍ଗନୱାଡ଼ି ହିତାଧିକାରୀ, ସ୍କୁଲ ଓ ହଷ୍ଟେଲର ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସମୀକ୍ଷା କରିବା ସହ ଜିଲ୍ଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ କାର୍କ ଓ କରିଡୋର, ମେଡିକାଲ କଲେଜ, ବୃହତ୍ ଜଳସେଚନ ପ୍ରକଳ୍ପଗୁଡ଼ିକ ଓ ନୂଆ ପ୍ରକଳ୍ପ ଆଦିର ସମୀକ୍ଷା ମଧ୍ୟ କରିବେ । ଜିଲ୍ଲାରେ ଯଦି ଟ୍ରେନି ଆଇଏଏସ୍ ଥିବେ ସେମାନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

କ୍ଷେତ୍ର ପରିଦର୍ଶନ ପରେ ଅତିକମରେ ଅଧାଦିନ ସମ୍ପୃକ୍ତ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ଅଫିସରମାନେ ନିଜସ୍ୱ ମନ୍ତବ୍ୟ ଦେବେ ।

ଏସବୁ ବ୍ୟତୀତ ୮ଟି ଡିଏମଏଫ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଓମବାଡ଼ସି ପାଣ୍ଠିର ବିନିଯୋଗ ଏବଂ ୨୯ଟି ଆକାଂକ୍ଷୀ ବ୍ଲକଗୁଡ଼ିକରେ ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ।

ପ୍ରତିମାସରେ ଜିଲ୍ଲା ଗସ୍ତରୁ ଫେରିବା ପରେ ଗସ୍ତର ସାରାଂଶ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କୁ ଅବଗତ ପାଇ ପଠାଇବେ ।

ରାଜ୍ୟ ସରକାର ସମସ୍ତ ସୁବିଧା ଓ ଅଧିକ ସ୍ୱଚ୍ଛତା ପାଇଁ ଖୁବଶୀଘ୍ର ଏ ସମ୍ବନ୍ଧରେ ଏକ ୱେବପୋର୍ଟାଲ ଖୋଲି ପରିଦର୍ଶନ ଟିପ୍ପଣୀଗୁଡ଼ିକୁ ଅପଲୋଡ୍ କରିବେ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି ।

ଚଳିତ ମାସରେ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଆବଂଟିତ ହୋଇଥିବାବେଳେ ଦେଓରଞ୍ଜନ ସିଂହ- ଅନୁଗୁଳ, ସୁରେନ୍ଦ୍ର କୁମାର-କଟକ, ଜି ମାଥିଭାଥାନନ- କେନ୍ଦ୍ରାପଡ଼ା, ହେମନ୍ତ ଶର୍ମା- କେନ୍ଦୁଝର, ବିଷ୍ଣୁପଦ ସେଠୀ- ମାଲକାନଗିରି, ଚିତ୍ରା ଅରୁମୁଗମ- କୋରାପୁଟ, ସୁଶୀଲ କୁମାର ଲୋହାନୀ- କଳାହାଣ୍ଡି, ଅରବିନ୍ଦ କୁମାର ପାଢ଼ୀ- ଖୋର୍ଦ୍ଧା, ଶାଶ୍ୱତ ମିଶ୍ର- ବରଗଡ଼, ବୀରବିକ୍ରମ ଯାଦବ- ବଲାଙ୍ଗୀର, ବିଶାଳ ଦେବ- ନୂଆପଡ଼ା, ଉଷା ପାଢ଼ୀ- କନ୍ଧମାଳ, ସଞ୍ଜୟ କୁମାର ସିଂ- ମୟୂରଭଞ୍ଜ, ସୁରେଶ କୁମାର ବଶିଷ୍ଠ- ପୁରୀ, ଶୁଭା ଶର୍ମା- ଗଜପତି, ଭାସ୍କରଜ୍ୟୋତି ଶର୍ମା- ନବରଙ୍ଗପୁର, ଶାଳିନୀ ପଣ୍ଡିତ- ରାୟଗଡ଼ା, ଏସ.ଅଶ୍ୱଥି- ସୁନ୍ଦରଗଡ଼, ରାଜେଶ ପ୍ରଭାକର ପାଟିଲ-ଦେବଗଡ଼, ଅରବିନ୍ଦ ଅଗ୍ରୱାଲ- ସମ୍ବଲପୁର, ବଳବନ୍ତ ସିଂ-ଗଞ୍ଜାମ, ଭୂପେନ୍ଦ୍ର ଏସ ପୁନିଆ-ଝାରସୁଗୁଡ଼ା,ଯାମିନୀ ଷଡ଼ଙ୍ଗୀ- ସୋନପୁର, ଗୁହା ପୁନମ ତାପସ କୁମାର- ଭଦ୍ରକ, ବିଜୟକେତନ ଉପାଧ୍ୟାୟ- ବୌଦ୍ଧ, ପ୍ରଶାନ୍ତ କୁମାର ରେଡ୍ଡୀ- ବାଲେଶ୍ୱର, ଏନ.ଥିରୁମାଳା ନାଏକ-ନୟାଗଡ଼, ସୁଧାଂଶୁ ମୋହନ ସାମଲ- ଢେଙ୍କାନାଳ ଓ ରଶ୍ମୀତା ପଣ୍ଡାଙ୍କୁ ଯାଜପୁର ଜିଲ୍ଲା ଆବଂଟିତ ହୋଇଛି ।

ସୂଚନାଯୋଗ୍ୟ, ବିଜେଡି ସରକାର ଅମଳରେ ଏହି ସଚିବମାନଙ୍କ ଜିଲ୍ଲା ଗସ୍ତକୁ ଅଘୋଷିତ ଭାବେ ବନ୍ଦ କରିଦିଆଯାଇଥିଲା ।

Related story