Advertisment

ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସିଇଓ ପଦ ଛାଡ଼ିଲେ ଶିବପ୍ରସାଦ ସାମନ୍ତରାୟ

ଚଳିତବର୍ଷ ଜାନୁୟାରୀ ମାସରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

author-image
Jitendra Garnayak
Metro Train

Metro Train

ଭୁବନେଶ୍ୱର ମେଟ୍ରୋ ରେଳ ନିଗମ(ବିଏମଆରସିଏଲ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦରୁ ଅବ୍ୟାହତି ନେଇଛନ୍ତି ଶିବପ୍ରସାଦ ସାମନ୍ତରାୟ । ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନକରିବା ପରେ ସେ ଏହି ପଦ ଛାଡ଼ିଥିବା ଜଣାପଡ଼ିଛି । ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ୧୦୦୦କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଛନ୍ତି ।

Advertisment

ସୂଚନା ଅନୁସାରେ, ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ତତକାଳୀନ ବିଜେଡି ସରକାର ଗତବର୍ଷ ଜୁଲାଇ ମାସରେ ଶ୍ରୀ ସାମନ୍ତରାୟଙ୍କୁ ସିଇଓ ଭାବେ ଏକବର୍ଷ ପାଇଁ ନିଯୁକ୍ତି ଦେଇଥିଲେ । ତାଙ୍କର କାର୍ଯ୍ୟକାଳ ଗତମାସ ୩୧ତାରିଖରେ ଶେଷ ହୋଇଛି । ଭାରତୀୟ ରେଳବାଇ ଇଞ୍ଜିନୟର୍ସ ସେବା(ଆଇଆରଏସଇ)ର ଅଧିକାରୀ ଶ୍ରୀ ସାମନ୍ତରାୟ ପୂର୍ବତଟ ରେଳବାଇର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ବ୍ରିଜ୍ ୱାର୍କସ) ଭାବେ କାର୍ଯ୍ୟ କରିସାରିଛନ୍ତି ।

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ମୋହନ ସରକାର ଚଳିତ ବଜେଟରେ ୧ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ମଧ୍ୟ ସିଇଓ ଶ୍ରୀ ସାମନ୍ତରାୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିନଥିବାରୁ ନିଗମର ଚିଫ୍ ଜେନେରାଲ ମ୍ୟାନେଜର କଲ୍ୟାଣ ପଟ୍ଟନାୟକ ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।

Advertisment

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀ ମାସରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ୨୬କିମି ମାର୍ଗରେ ମୋଟ ୨୦ଟି ଷ୍ଟେସନ ରହିବ ତଥା ୬୨୫୫.୯୪କୋଟି ଟଙ୍କା ବ୍ୟୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ମାର୍ଗ ଚିହ୍ନଟ ସହ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

Metro Rail